September 8, 2024

ଡ୍ରାଇଭରର ଛୁରାମାଡ଼ରେ ଯୁବକ ଯୁବତୀ ମୃତ

1 min read

ସୁନ୍ଦରଗଡ଼ : ଉନ୍ମତ ଡ୍ରାଇଭରର ନାରକୀୟ କାଣ୍ଡ । ଡ୍ରାଇଭରର ଛୁରାମାଡ଼ରେ ଯୁବକ ଯୁବତୀଙ୍କ ମୃତ୍ୟୁ ଘଟିଛି । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଅଞ୍ଚଳରେ । ମୃତ ଯୁବକ ଜଣକ ରୁମାବାହାଲ ଗ୍ରାମର ପ୍ରତାପ ଲାକ୍ରା (୨୬) ଏବଂ ଯୁବତୀ କୁତ୍ରା ଥାନା ତୁନମୁରା ପଞ୍ଚାୟତର କାଶୀପଡା ଗ୍ରାମର ଲିପ୍ସା କେର୍କେଟା (୨୪)। ଗତକାଲି ରାତ୍ରିରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ହତ୍ୟାକାରୀ ହେଉଛନ୍ତି ରାଜୁ ନାଗ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସେ ଜଣେ କାର ଚାଳକ ବୋଲି ସୂଚନା ମିଳିଛି । ସୂଚନାନୁସାରେ,ଅଭିଯୁକ୍ତ ରାଜୁ ନାଗ ସୁନ୍ଦରଗଡ଼ ଜିଲ୍ଲା ତୁନମରା ପଂଚାୟତ କାଶୀପଡ଼ାରେ ମୃତ ଯୁବତୀ ଲିପ୍ସା କେର୍କେଟାଙ୍କୁ ଘରେ କାର ଚାଳକ ଥିଲା । ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ରାଜୁ ଲିପ୍ଶାଙ୍କୁ ବାରମ୍ବାର ମାନସିକ ନିର୍ଯାତନା ଦେବାରୁ ସେ ରାଜୁଙ୍କ ଠାରୁ ଦୁରେଇ ଯାଇଥିଲେ । ଘଟଣା ଘଟିବା ଦିନ ରାଜୁ ନାଗ ରାତି ୧୦ ଟା ବେଳେ ଲିପ୍ସାଙ୍କ ଘରକୁ ଆସି ତାଙ୍କୁ ବାହାରକୁ ଡାକିଥିଲେ । କିନ୍ତୁ ଏତେ ରାତିରେ ଝିଅ ବାହାରକୁ ଯିବନାହିଁ ବୋଲି ତାଙ୍କ ଘର ଲୋକ କହିବାରୁ ସେ ଲିପ୍ସାଙ୍କ ରୁମରେ ପଶି

ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଏହି ସମୟରେ ଲିପ୍ଶାଙ୍କୁ ଉଦ୍ଧାର କରିବାକୁ ତାଙ୍କ ସହପାଠୀ ପ୍ରତାପ ଲାକ୍ରା ଏବଂ ତାଙ୍କ ବାପା ମଧ୍ୟ ସେଠାରେ ପହଞ୍ଚିବାରୁ ତାଙ୍କୁ ମଧ୍ୟ ରାଜୁ ଛୁରୀରେ ମରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଘଟଣା ପରେ ପଡ଼ୋଶୀ ପହଞ୍ଚି ଉଭୟ ଲିପ୍ସା ଏବଂ ପ୍ରତାପକୁ କାର ଯୋଗେ କୁତ୍ରା ସିଏଚସି କୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ଲିପ୍ସାଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ପ୍ରତାପଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରିବା ବେଳେ ରାସ୍ତାରେ ତାଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ କୁତ୍ରା ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ତେବେ ତ୍ରିକୋଣୀୟ ପ୍ରେମକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *