December 17, 2024

ପୋଷାକ ପାଇଁ ମିଳିବ ୧୦ ହଜାର

1 min read

କଟକ: ହାବିଲଦାର, କନେଷ୍ଟବଳ ଓ ସିପାହିମାନେ ଏଣିକି ପୂର୍ବରୁ ମିଳୁଥିବା ଏକ ମାସର ଅଧିକ ଦରମା ନୂତନ ବେତନ ହାରରେ ପାଇବେ। ହାବିଲଦାର ଓ କନେଷ୍ଟବଳମାନେ ପୂର୍ବରୁ ସାଇକେଲ ଭତ୍ତା ବାବଦରେ ମାତ୍ର ୩ ଶହ ଟଙ୍କା ପାଉଥିଲେ। ଏବେ ମୋଟର ସାଇକଲ ଭତ୍ତା ବାବଦରେ ଏକ ହଜାର ଟଙ୍କା ପାଇବେ। ଆଜି କଟକରେ ଆୟୋଜିତ ଓଡ଼ିଶା ପୁଲିସ, ଓଏସ୍‌ଏପି ହାବିଲଦାର, କ‌ନେଷ୍ଟବଳ ଓ ସିପାହି ମହାସଂଘର ବାର୍ଷିକ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏଭଳି ଘୋଷଣା କରିଥିଲେ। କେବଳ ସେତିକି ନୁହେଁ, ପୂର୍ବରୁ ପୋଷାକ, ଜୋତା ଇତ୍ୟାଦି ପାଇଁ ୫ ହଜାର ଟଙ୍କା ପାଉଥିବା ବେଳେ ଏଣିକି ସେମାନଙ୍କୁ ୧୦ହଜାର ଟଙ୍କା ମିଳିବ। ମୁଖ୍ୟମନ୍ତ୍ରୀ କହିଥିଲେ, ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନିଆଯିବ।
ଭୁବନେଶ୍ୱରଠାରେ ମହାସଂଘର ନୂତନ ଗୃହ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ। ଏହି ଅବସରରେ ଶ୍ରୀ ମାଝୀ କହିଥିଲେ, ରାଜ୍ୟର ପ୍ରଗତି ପାଇଁ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଭୂମିକା ରାଜ୍ୟର ପୁଲିସ ବଳ ତୁଲାଇଥାନ୍ତି। ବିଭାଗରେ କନେଷ୍ଟବଳ ଏବଂ ସିପାହିମାନେ ସବୁଠାରୁ ଗୁରୁ ଦାୟିତ୍ବ ତୁଲାଉଛନ୍ତି। ତୃଣମୂଳ ସ୍ତରରେ ଆଇନ ଶୃଙ୍ଖଳାଠାରୁ ଆରମ୍ଭ କରି ଗୁଇନ୍ଦା ପାଇଁ ଖବର ସଂଗ୍ରହ କରିବା ପରି ଦାୟିତ୍ବ ତୁଲାଉଛନ୍ତି। ସେମାନେ ହିଁ ବିଭାଗର ମେରୁଦଣ୍ଡ ସଦୃଶ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ଶ୍ରୀ ମାଝୀ କହିଥିଲେ, ଓଡ଼ିଶା ପୁଲିସର ମୂଳ ମନ୍ତ୍ର ହେଉଛି, ‘ସେବା ଓ ସୁରକ୍ଷା’। ପ୍ରତ୍ୟେକ କାର୍ଯ୍ୟରେ ଦାୟିତ୍ୱବୋଧ ଓ ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବାକୁ ହେବ। ଏହାସହ ଖୁବଶୀଘ୍ର ରାଜ୍ୟର ପ୍ରତି ଥାନାକୁ ମୋଟର ସାଇକଲ୍‌ ଯୋଗାଇ ଦେବାସହ ଏହି ବାବଦରେ ଅତିରିକ୍ତ ବଜେଟ୍‌ରେ ୩୫ କୋଟି ଟଙ୍କାର ପ୍ରାବଧାନ କରାଯାଇଛି ବୋଲି ସେ କହିଥିଲେ। ସେହିପରି ରାଜ୍ୟରେ ଅତିରିକ୍ତ ସିଏପିଏଫ୍‌ ପ୍ରତିଷ୍ଠା ପାଇଁ ୨୯୯ କୋଟି ଟଙ୍କା ଏବଂ ପୁଲିସର ତ୍ବରିତ ଗମନାଗମନ ପାଇଁ ୧୬ କୋଟି ଟଙ୍କା ପ୍ରାବଧାନ କରାଯାଇଛି। ଯେଉଁଥିରେ ୬୪୯ ଗୋଟି ଯାନ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।