December 12, 2024

ଏକ୍ସଆଇଏମ୍‌ବି ପକ୍ଷରୁ ବାର୍ଷିକ ମିଡିଆ କନକ୍ଲେଭ ‘କମ୍ୟୁନିକ୍ୟୁ ୨୦୨୪’ ଆୟୋଜିତ

1 min read

ଭୁବନେଶ୍ଵର: ଭୁବନେଶ୍ଵରସ୍ଥିତ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଏକ୍ସଆଇଏମ୍‌ବି) ପକ୍ଷରୁ ଆୟୋଜିତ ହୋଇଯାଇଛି ବାର୍ଷିକ ମିଡିଆ କନକ୍ଲେଭ ‘କମ୍ୟୁନିକ୍ୟୁ ୨୦୨୪’। ‘ବ୍ରାଣ୍ଡ ଟେଲ୍ସ: ୱେଭିଂ ନ୍ୟାରେଟିଭସ୍ ଥ୍ରୁ କଣ୍ଟେଣ୍ଟ’ ଥିମ ଉପରେ ରବିବାର ଏହି ମିଡିଆ କନକ୍ଲେଭର ଆୟୋଜନ କରାଯାଇଥିଲା। ବ୍ୟବସାୟ ଓ କମ୍ୟୁନିକେସନ କ୍ଷେତ୍ର ସହ ଜଡ଼ିତ ଅନେକ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି କନକ୍ଲେଭରେ ମାର୍କେଟିଙ୍ଗ, ବ୍ରାଣ୍ଡ ବିଲ୍ଡିଂ ଓ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରାଯାଇଥିଲା। କନକ୍ଲେଭର ବିଭିନ୍ନ ସେସନରେ ଅତିଥିମାନେ ନିଜର ବକ୍ତବ୍ୟ ରଖିଥିଲେ।

ଏହି କନକ୍ଲେଭରେ ପ୍ରଥମ ବକ୍ତା ଭାବେ ୟୁନିଲିଭରର ସିନିୟର ଗ୍ଲୋବାଲ ବ୍ରାଣ୍ଡ ମ୍ୟାନେଜର ଅମୃତା ପି କେ ପୁରକୟାସ୍ଥା ନିଜର ବକ୍ତବ୍ୟ ରଖିଥିଲେ। ଏକ ବ୍ରାଣ୍ଡର ନିର୍ମାଣ ଏବଂ ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତାକୁ ଅନୁଧ୍ୟାନ କରି ଏହାର ବିକାଶ କରିବା ବିଷୟରେ ସେ ଆଲୋଚନା କରିଥିଲେ। ଏହାସହ ଗ୍ରାହକଙ୍କୁ ପ୍ରଭାବିତ କରୁଥିବା ବ୍ରାଣ୍ଡ ଷ୍ଟୋରି ଟେଲିଙ୍ଗର ବିଭିନ୍ନ ଦିଗ ଉପରେ ସେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ।

ସେହିପରି ଏକାକସରର ପ୍ରତିଷ୍ଠାତା ତଥା ସିଇଓ କୀର୍ତ୍ତି ସିଂହ ବ୍ୟବସାୟର ବ୍ରାଣ୍ଡିଂ ପାଇଁ ପ୍ରଭାବଶାଳୀ କାହାଣୀ ସୃଷ୍ଟି କରିବାରେ ତଥ୍ୟର ଭୂମିକା ବିଷୟରେ ମତବ୍ୟକ୍ତ କରିଥିଲେ। କିଛି ଲୋକପ୍ରିୟ ବିଜ୍ଞାପନ ଦେଖାଇ ସେ ବ୍ରାଣ୍ଡ ପ୍ରମୋସନର ମୁଖ୍ୟ ଦୃଷ୍ଟିକୋଣଗୁଡ଼ିକୁ ଚିହ୍ନଟ କରାଇଥିଲେ।

ଏହି କନକ୍ଲେଭର ଶେଷ ପର୍ଯ୍ୟାୟରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା। ବକ୍ତାମାନେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।

ଏହି କନକ୍ଲେଭରେ ଆଇଟିସି ଲିମିଟେଡର ଏଚଆର୍ ମୁଖ୍ୟ ପ୍ରଜ୍ଞା ପାରମିତା ସାହୁ ଓ ଟାଟା କନଜ୍ୟୁମର ପ୍ରଡକ୍ଟସର ସହ ନିର୍ଦ୍ଦେଶକ ଅଭିକ ସେନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହାସହ ଏକ୍ସଆଇଏମ୍‌ବିର ଅନେକ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏକ୍ସଆଇଏମ୍‌ବିର ଲୋକ ସଂପର୍କ ସେଲ୍ ‘ଇଲ୍ୟୁମିନାଟିକ୍ସ’ ପକ୍ଷରୁ ଏହି କନକ୍ଲେଭର ପରିଚାଳନା କରାଯାଇଥିଲା।