January 5, 2025

ଆୟୁଷ୍ମାନ ଭାରତ ଯୋଜନାରେ ମହିଳାଙ୍କୁ ଗୁରୁତ୍ଵ

1 min read

ଆୟୁଷ୍ମାନ ଭାରତ ଯୋଜନାରେ ମହିଳାମାନଙ୍କୁ ବିଶେଷ ଗୁରୁତ୍ଵ ଦିଆଯାଇଛି। ଏହି ଯୋଜନାରେ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ। ସେମାନେ ଦେଶର ୩୦ ହଜାର ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଇପାରିବେ। ଏ ନେଇ ସ୍ଵାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ଆହୁରି କହିଛନ୍ତି ଯେ, ପ୍ରତି ପରିବାରର ପୁରୁଷଙ୍କ ଲାଗି ୫ ଲକ୍ଷ ଟଙ୍କା ଏବଂ ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ଵାସ୍ଥ୍ୟ ବୀମା ପ୍ରଦାନ କରାଯିବ। ଏହା ସହ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଜାରି ରହିବ ବୋଲି ମନ୍ତ୍ରୀ କହିଛନ୍ତି।

ଓଡ଼ିଶାରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ଯୋଜନା। ଏହି ଯୋଜନା ପାଇଁ କେନ୍ଦ୍ରୀୟ ଟିମ ଓଡ଼ିଶା ପରିଦର୍ଶନ କରିସାରିଛନ୍ତି। ଆସନ୍ତା ଫେବ୍ରୁଆରି ମାସରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ସ୍ଵାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି।

କୌଣସି ଗରିବ ପରିବାର ଯେପରି ଏହି କାର୍ଡ ପାଇବାରୁ ବଞ୍ଚିତ ନହେବେ ସେଥିପ୍ରତି ଗୁରୁତ୍ଵ ଦିଆଯିବ। ରାଜ୍ୟରେ ନୂଆ ମେଡିକାଲ କଲେଜ, ନର୍ସିଂ କଲେଜ, ଡିଜିଟାଲ ହେଲ୍ପ ମିଶନ ଭଳି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି।