April 18, 2025

ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

1 min read

ବାଲେଶ୍ୱର : ଓଡ଼ିଆ ପକ୍ଷ ପାଳନ ଅବସରରେ ବାଲେଶ୍ଵରର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଜାତୀୟ ସେବା ଯୋଜନା (ଏନଏସଏସ) ଏବଂ ‘ରୋଟାରି କ୍ଲବ ଅନ୍ ସି’ର ସହଯୋଗରେ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା। ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ।

ଏହି ଶିବିରରେ ମୋଟ ୧୧୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଦାନକାରୀଙ୍କ ମଧ୍ୟରେ ବାଲେଶ୍ଵର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ବଳିଙ୍ଗି ସ୍ନାତକ ମହାବିଦ୍ୟାଳୟର, କେ.କେ.ଏସ. ମହାବିଦ୍ୟାଳୟ ଏବଂ ରେମୁଣା ସ୍ନାତକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।

ଏହି ଶିବିର ଜାତୀୟ ସେବା ଯୋଜନା ଅଧିକାରୀ ଡାକ୍ତର ସମୀର କୁମାର ସାହୁ, ଡାକ୍ତର ଶାଶ୍ୱତୀ ଜେନା, ସହ ଅଧିକାରୀ ଡାକ୍ତର ନିଲମ ସ୍ୱାଇଁ,ଏବଂ ଗୟାଧର ମଲିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯାଇଥିଲା।

ଏହି ରକ୍ତଦାନ ଶିବିରର ପୂର୍ବରୁ ୫ ଏପ୍ରିଲରେ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶିବିରର ଦିନ ଉଚ୍ଚଶିକ୍ଷା ନିର୍ଦ୍ଦେଶlଳୟ ବାଲେଶ୍ୱର ଜୋନର ଉପ ନିର୍ଦେଶକ କୈଳାଶ ଚନ୍ଦ୍ର ମିଶ୍ର ବିଶେଷ ଭାବେ ଶିବିରକୁ ପରିଦର୍ଶନ କରି ଅଭିନନ୍ଦନ ଜଣାଇଥିଲେ। ବାଲେଶ୍ୱର ରକ୍ତ ଭଣ୍ଡାର ପକ୍ଷରୁ ଡାକ୍ତର ବସନ୍ତ ଉପାଧ୍ୟାୟ ଓ ତାଙ୍କ ସହଯୋଗୀମାନେ ଏହି ଶିବିରକୁ ସଫଳତାର ସହିତ ପରିଚାଳନା କରିଥିଲେ।

ରକ୍ତଦାନ ଶିବିରରେ ବାଲେଶ୍ଵର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ସୁଧାକର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଘୋଷ ରକ୍ତଦାନକାରୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।