September 8, 2024

ରାଜନୀତିରୁ ସନ୍ୟାସ ନେଲେ ଭିକେ ପାଣ୍ଡିଆନ

1 min read

ଭୁବନେଶ୍ବର : ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ୟାସ ନେଇଛନ୍ତି ଭିକେ ପାଣ୍ଡିଆନ। ଏନେଇ ରବିବାର ସେ ଏକ ଭିଡିଓ ବାର୍ତ୍ତା ଜାରି କରି ଘୋଷଣା କରିଛନ୍ତି। ଚଳିତ ନିର୍ବାଚନରେ ବିଜେଡିର ପରାଜୟ ପାଇଁ ସେ ଦଳର ସବୁ ନେତା ଓ କର୍ମକର୍ତ୍ତାଙ୍କୁ କ୍ଷମା ମାଗିଛନ୍ତି।

“ମୁଁ କେବଳ ନବୀନ ପଟ୍ଟନାୟକଙ୍କ ସହାୟତା ପାଇଁ ସକ୍ରିୟ ରାଜନୀତିକୁ ଆସିଥିଲି। ରାଜନୀତି ଭିତରେ ଯାହା ବି କାମ କରିଛି କେବଳ ଓଡ଼ିଶା ଆଉ ନବୀନ ପଟ୍ଟନାୟକଙ୍କ ପାଇଁ। ଚଳିତ ନିର୍ବାଚନରେ ମୋ ବିରୋଧରେ ପ୍ରଚାର ଦଳକୁ କ୍ଷତି ପହଞ୍ଚାଇଥିବାରୁ ଦୁଃଖ ପ୍ରକାଶ କରୁଛି। ବିଜୁ ପରିବାର ଓ କର୍ମୀମାନଙ୍କୁ ମୁଁ କ୍ଷମା ମାଗୁଛି। ଓଡ଼ିଶା ସବୁବେଳେ ମୋ ହୃଦୟରେ ରହିବ”, କହିଛନ୍ତି ଭିକେ ପାଣ୍ଡିଆନ।

ଭିକେ ପାଣ୍ଡିଆନ ଭାରତୀୟ ପ୍ରଶାସନିକ ସେବାରୁ ଅବସର ନେଇ ୨୦୨୩ ନଭେମ୍ବର ୨୭ ତାରିଖରେ ବିଜେଡିରେ ସାମିଲ ହୋଇଥିଲେ। ସେ ଚଳିତ ସାଧାରଣ ନିର୍ବାଚନରେ ଦଳର ମଙ୍ଗ ଧରିବା ସହ ଏହାର ଷ୍ଟାର ପ୍ରଚାରକ ମଧ୍ୟ ସାଜିଥିଲେ।ତେବେ ବିଜେଡିର ଏକ ନିର୍ବାଚନୀ ସଭାରେ ଭିକେ ପାଣ୍ଡିଆନ କହିଥିଲେ ଯେ, ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନହୁଅନ୍ତି ତା’ ହେଲେ ସେ ରାଜନୀତିରୁ ସନ୍ନ୍ୟାସ ନେବେ। ଆଉ ଶେଷରେ ଆଜି ସେ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି।

ଅନ୍ୟପଟେ ଚଳିତ ନିର୍ବାଚନରେ ବିଜେଡିର ପରାଜୟ ପାଇଁ ଦଳର ବହୁ ନେତା ଓ କର୍ମୀ ଭିକେ ପାଣ୍ଡିଆନଙ୍କୁ ଦାୟୀ କରିଥିଲେ। ତେବେ ଶନିବାର ଏହାକୁ ପ୍ରତିକ୍ରିୟା ଦେବାବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ କ୍ଲିନ ଚିଟ୍ ଦେଇଥିଲେ। ଦଳର ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ ନବୀନ।

ଭିକେ ପାଣ୍ଡିଆନ ୨୦୧୧ ମସିହାରେ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ। ଏହାପରେ ୫-ଟି ସଚିବ ଭାବେ ସେ ରାଜ୍ୟ ପ୍ରଶାସନରେ ଅତ୍ୟନ୍ତ ଶକ୍ତିଶାଳୀ ହୋଇଥିଲେ। ବିନା ବିଭାଗରେ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଦିଆଯାଇଥିଲା। ତେବେ ପାଣ୍ଡିଆନ ସରକାର ଓ ଦଳ ପରିଚାଳନା କରୁଛନ୍ତି ବୋଲି ବିରୋଧୀଙ୍କ ହୋହଲ୍ଲା ପରେ ସେ ପ୍ରଶାସନିକ ସେବା ଛାଡ଼ି ଆନୁଷ୍ଠାନିକ ଭାବେ ବିଜେଡିର ସଦସ୍ୟ ହୋଇଥିଲେ। ତେବେ ଭି କେ ପାଣ୍ଡିଆନଙ୍କ ରାଜନୈତିକ ଜୀବନ ସ୍ୱଳ୍ପ ଅବଧିର ରହିଲା

Leave a Reply

Your email address will not be published. Required fields are marked *