September 7, 2024

ଅବସର ନେବେ ଭେଟେରାନ୍‌ ଗୋଲ୍‌କିପର ପିଆର୍‌ ଶ୍ରୀଜେଶ୍‌

1 min read

ନୂଆଦିଲ୍ଲୀ: ଭାରତୀୟ ହକି ଦଳର କିଂବଦନ୍ତି ଗୋଲ୍‌ ରକ୍ଷକ ପିଆର୍‌ ଶ୍ରୀଜେଶ୍ ପ୍ୟାରିସ୍ ଅଲିମ୍ପିକ୍ସ ପରେ ଅବସର ନେବେ। ଅବସର ନେଇ ଜାରି କରିଥିବା ପ୍ରେସ୍ ବିଜ୍ଞପ୍ତିରେ ସେ କହିଛନ୍ତି ଯେ ପ୍ୟାରିସ୍ ଅଲିମ୍ପିକ୍ସର ଶେଷ ନୃତ୍ୟ ଲାଗି ମୁଁ ଏବେ ପ୍ରସ୍ତୁତି କରୁଛି। ଅତୀତକୁ ନେଇ ଅତ୍ୟନ୍ତ ଗର୍ବିତ। ଭବିଷ୍ୟତ ପାଇଁ ମନରେ ଅସୁମାରୀ ଆଶା। ମୋ ଯାତ୍ରା ଅସାଧାରଣଠାରୁ କିଛି କମ୍ ନୁହେଁ। ଅଜସ୍ର ଭଲପାଇବା ଓ ସମର୍ଥନ ପାଇଁ ପରିବାର, ସାଥୀ ଖେଳାଳି, ପ୍ରଶିକ୍ଷକ, ପ୍ରଶଂସକ ଓ ହକି ଇଣ୍ଡିଆ ପ୍ରତି ସାରା ଜୀବନ କୃତଜ୍ଞ ରହିବି। ମୋ ଉପରେ ଭରସା କରିଥିବାରୁ ସମସ୍ତଙ୍କୁ ହୃଦୟ ଗଭିରତମ କୋଣରୁ ଅଶେଷ ଅଶେଷ ଧନ୍ୟବାଦ। କଠିନ ସମୟରେ ସାଥୀ ଖେଳାଳିମାନେ ସବୁବେଳେ ମ‌ୋ ପାଖରେ ଠିଆ ହୋଇଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଆମେମାନେ ଚାହି ବସିଛୁ। ପଦକର ରଙ୍ଗ ବଦଳାଇବାକୁ ସମସ୍ତେ ଯେମତି ବ୍ୟଗ୍ର ଅଛୁ। ଶ୍ରୀଜେଶ୍ ୨୦୦୬ ଦକ୍ଷିଣ ଏସୀୟ କ୍ରୀଡ଼ାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ୨୦୧୪ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ଏବଂ ୨୦୧୮ ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ତାଙ୍କ ଖେଳ ଜୀବନକୁ ନୂଆ ମୋଡ଼ ଦେଇଥିଲା। ୨୦୧୮ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ବିଜୟ ଏବଂ ୨୦୧୯ ଏଫ୍‌ଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍‌ରେ ବିଜେତା ହେବା ତାଙ୍କ କ୍ୟାରିୟରର ଅନ୍ୟ ଦୁଇ ପ୍ରମୁଖ ସଫଳତା ଥିଲା। ୨୦୨୧ରେ ସେ ବିଶ୍ବ କ୍ରୀଡ଼ାର ଶ୍ରେଷ୍ଠ ଆଥଲେଟ୍ ପୁରସ୍କାର ଲାଭ କରିଥିଲେ। ୨୦୨୧ରେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ପାଇଥିଲେ। ୨୦୨୧, ୨୦୨୨ରେ ଏଫ୍‌ଆଇଏଚ୍‌ର ଶ୍ରେଷ୍ଠ ଗୋଲ୍‌ରକ୍ଷକ ପୁରସ୍କାର ଲାଭ କରିଥିଲେ।

Leave a Reply

Your email address will not be published. Required fields are marked *