February 3, 2025

ଓଡ଼ିଶାରେ ଉପରମୁହାଁ ପାରଦ

1 min read

CREATOR: gd-jpeg v1.0 (using IJG JPEG v62), quality = 82

ଭୁବନେଶ୍ବର: ଓଡ଼ିଶାରେ ଏବେ ଶୀତ କମିବା ସହ ଧୀରେ ଧୀରେ ତାତି ବଢ଼ିବାରେ ଲାଗିଛି। ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରିଛି। ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ହାରାହାରି ତାପମାତ୍ରା ଆହୁରି ବଢ଼ିବାର ସମ୍ଭାବନା ରହିଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ଅଧିକ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି। ଏନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏବେ ରାଜ୍ୟରେ ଆକାଶ ମେଘମୁକ୍ତ ରହୁଥିବାରୁ ଖରା ବଢ଼ିବ। ରବିବାର ଟିଟିଲାଗଡ଼ରେ ସର୍ବାଧିକ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ପାରଳାଖେମୁଣ୍ଡିରେ ୩୫.୮ ଡିଗ୍ରୀ, ଝାରସୁଗୁଡ଼ାରେ ୩୫.୬ ଡିଗ୍ରୀ, ସମ୍ବଲପୁରରେ ୩୫.୧ ଡିଗ୍ରୀ, ଭବାନୀପାଟଣାରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏହାସହ ଭୁବନେଶ୍ୱରର ତାପମାତ୍ରା ୩୪.୯ ଡିଗ୍ରୀ ରହିଥିବାବେଳେ କଟକରେ ଦିନ ତାପମାତ୍ରା ୩୩ ଡିଗ୍ରୀ ଛୁଇଁଥିଲା।

ଅନ୍ୟପଟେ ରାଜ୍ୟରେ ଏବେ ତାପମାତ୍ରା ବଢୁଥିବାବେଳେ ବିଭିନ୍ନ ସ୍ଥାନରେ ସକାଳେ କୁହୁଡ଼ି ହେଉଥିବା ଦେଖିବାକୁ ମିଳିଛି। ଏନେଇ ସୋମବାର ରାଜ୍ୟର ୯ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେ ସବୁ ଜିଲ୍ଲା ମଧ୍ୟରେ ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲା ସାମିଲ ରହିଛି।