March 13, 2025

ହୀରାକୁଦ ଜଳଭଣ୍ଡାରରେ ଅତିରିକ୍ତ ସ୍ପିଲ୍‌ୱେ ନିର୍ମାଣ ପାଇଁ ଅନିଶ୍ଚିତତା ଦୂର

1 min read

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଅତିରିକ୍ତ ସ୍ପିଲ୍‌ୱେ ନିର୍ମାଣ ପାଇଁ ଅନିଶ୍ଚିତତା ଦୂର ହୋଇଛି। ପ୍ରକଳ୍ପ ନିର୍ମାଣ ପାଇଁ ବିଶ୍ବବ୍ୟାଙ୍କ, କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି) ଓ ରାଜ୍ୟ ବନ୍ଧ ସୁରକ୍ଷା ବିଭାଗର ଏକ ପ୍ରତିନିଧି ଦଳ ହୀରାକୁଦ ଜଳଭଣ୍ଡାର ନିରୀକ୍ଷଣ କରିଛନ୍ତି। ଚଳିତ ଆର୍ଥିକ ବର୍ଷରୁ ଏହା ଆରମ୍ଭ ହୋଇ ଆସନ୍ତା ୨୦୩୦-୩୧ ଆର୍ଥିକ ବର୍ଷରେ ସଂପୂର୍ଣ୍ଣ ହେବାର ଲକ୍ଷ୍ୟ ରଖାଯାଇଛି।

୧୯୯୭ ମସିହାରେ କେନ୍ଦ୍ର ଜଳ ଆୟୋଗ ଓ ରାଜ୍ୟ ସରକାର ମିଳିତ ଭାବେ ମହାନଦୀ‌ରେ ସମ୍ଭାବ୍ୟ ସର୍ବାଧିକ ବନ୍ୟା (ପିଏମ୍‌ଏଫ୍‌) ସଂପର୍କ‌‌ରେ ଆକଳନ କରିଥିଲେ। ହୀରାକୁଦ ଜଳଭଣ୍ଡାରକୁ ଏକ ସଙ୍ଗରେ ୨୪.୫୦ ଲକ୍ଷ କ୍ୟୁସେକ୍‌ ବନ୍ୟା ଜଳ ଆସିବା ଆଶଙ୍କା ଥିବା ଏହି ଆକଳନରୁ ଜଣାପଡ଼ିଥିଲା। ବର୍ତ୍ତମାନର ବ୍ୟବସ୍ଥାରେ ଏକ ସଙ୍ଗରେ ହୀରାକୁଦ ଜଳଭଣ୍ଡାରରୁ ସର୍ବାଧିକ ୧୫ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ ନିଷ୍କାସିତ ହୋଇପାରିବ। ଛତିଶଗଡ଼ ସରକାର ମହାନଦୀ ଉପର ମୁଣ୍ଡରେ ଏକାଧିକ ବ୍ୟାରେଜ୍‌ ନିର୍ମାଣ କରିବା ସହିତ ନିଜ ରାଜ୍ୟର ସୁରକ୍ଷା ପାଇଁ ମନଇଚ୍ଛା ବର୍ଷାଜଳ ନିଷ୍କାସନ କରୁଛନ୍ତି। ଏହା ଦ୍ବାରା ହୀରାକୁଦ ଜଳଭଣ୍ଡାର ପାଇଁ ବିପଦ ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଜଳ ଆୟୋଗ ଓ ବିଶ୍ବବ୍ୟାଙ୍କ ସହଯୋଗରେ ରାଜ୍ୟ ସରକାରଙ୍କ ଦ୍ବାରା ଅତିରିକ୍ତ ସ୍ପିଲ୍‌ୱେ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ରାଜ୍ୟ ସରକାର ୨୦୧୮ ମସିହାରେ ଏଥିପାଇଁ ନୂଆ କରି ସ୍ପିଲ୍‌ୱେ ଡିଭିଜନ୍‌ ଖୋଲିବା ପରେ ଟେଣ୍ତର ପାଇଥିବା ଟାଟା ଇନ୍‌ଫ୍ରା ପ୍ରୋଜେକ୍ଟ ଲିମିଟେଡ୍‌ ସହ ଚୁକ୍ତି ହୋଇଥିଲା। ୩୬୯.୫୩ କୋଟି ଟଙ୍କାରେ ଟେଣ୍ଡର ହାତେଇଥିବା ଏହି ସଂସ୍ଥା ମାତ୍ର ୧୨ କୋଟି ଟଙ୍କାର କାମ କରିବା ପରେ ଜମି ହସ୍ତାନ୍ତର ପ୍ରକ୍ରିୟା ବିଳମ୍ବ ହେବାର ଆଳ ଦେଖାଇ ୨୦୨୦ ମସିହାରେ ପ୍ରକଳ୍ପରୁ ଓହରିଯାଇଥିଲା। ଫଳରେ ଏହି ପ୍ରକଳ୍ପ ଅନିଶ୍ଚିତତା ମଧ୍ୟରେ ଗତି କରୁଥିଲା। ପ୍ରଥମେ ବ୍ୟୟ ଅଟକଳ ୩୬୯.୫୩ କୋଟି ଟଙ୍କା ଥିବା ବେଳେ ଏବେ ଦୁଇ ଗୁଣରୁ ଅଧିକ ହୋଇଛି।

ଆଜି ୯ ଜଣିଆ ଟିମ୍ ହୀରକୁଦ ଗସ୍ତ କରି ଅତିରିକ୍ତ ସ୍ପିଲ୍‌ୱେ ଅଞ୍ଚଳ, ବିସ୍ଥାପିତ ହେବାକୁ ଥିବା ହୀରାକୁଦ ସହରର ଫାଷ୍ଟ ଗ୍ୟାପ୍‌, ରିରୋଲିଂ ମିଲ୍‌ ଏରିଆ, କେବୁଲ୍‌ କଲୋନି, ପ୍ରେମନଗର, ଗାନ୍ଧୀନଗର, ଲକ୍ଷ୍ମୀନଗର, ଗୁଜାତଳ ସହିତ ସାଇଫନ୍ ଅଞ୍ଚଳ ବୁଲିବା ପରେ ଅଶୋକ ନିବାସଠାରେ ସମୀକ୍ଷା ବୈଠକ କରିଛନ୍ତି। ପ୍ରକଳ୍ପରେ ହୀରାକୁଦ ବାମପାର୍ଶ୍ବ ଅତିରିକ୍ତ ସ୍ପିଲ‌୍‌ୱେ ନିର୍ମାଣ ପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ୯୦ କୋଟି, ୨୦୨୬-୨୭ରେ ୨୦୦ ‌‌କୋଟି, ୨୦୨୭-୨୮ରେ ୨୨୪ କୋଟି, ୨୦୨୮-୨୯ରେ ୧୭୦ କୋଟି, ୨୦୨୯-୩୦ରେ ୧୧୦ କୋଟି ଏବଂ ୨୦୩୦-୩୧ରେ ୯୦.୩୮କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ସେହିପରି ଜଳ, ସ୍ଥଳ ଓ ଆକାଶ ମାର୍ଗରେ ସର୍ଭେ କରି ଫାଟ ଓ ଅନ୍ୟାନ୍ୟ ସଂକଟଜନକ ସ୍ଥିତିର ଚିହ୍ନଟ ଏବଂ ଏହାର ପୁନରୁଦ୍ଧାର ପାଇଁ ୩୨ କୋଟି ଖର୍ଚ୍ଚ ହେବ। ହୀରାକୁଦ ଡ୍ୟାମ୍‌, ପ୍ରସ୍ତାବିତ ଅତିରିକ୍ତ ସ୍ପିଲ୍‌ୱେ ଓ ଗେଟ୍‌ଗୁଡ଼ିକ ସ୍ବୟଂଚାଳିତ ପାଇଁ ଆହୁରି ୧୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ବନ୍ୟାଜଳ ନିଷ୍କାସନ କ୍ଷମତାକୁ ବୃଦ୍ଧି କରିବା ପାଇଁ ଅତିରିକ୍ତ ସ୍ପିଲ୍‌ୱେର ଲମ୍ବ ପ୍ରାୟ ୯୧ ମିଟର ରହିବ ବୋଲି କୁହାଯାଇଛି। ଏଥିରେ ୫ଟି ସ୍ଲୁଇସ୍ ଗେଟ୍‌ ରହିବ। ଅତିରିକ୍ତ ସ୍ପିଲ୍‌ୱେ ଚ୍ୟାନେଲ୍‌ର ଲମ୍ବ ୨ କିମି ଓ ପ୍ରସ୍ଥ ୩ ଶହ ମିଟର ରହିବ।