September 7, 2024

ଭୁବନେଶ୍ବରରେ କାଳବୈଶାଖୀ: ଅଧା ଭାସିଲା, ଅଧା ଶୁଖିଲା

1 min read

ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ଆଜି ଭୁବନେଶ୍ବରରେ ବର୍ଷା ହୋଇଛି। ପୂରା ଭୁବନେଶ୍ବରରେ ନୁହେଁ, ବରଂ ଏହି ବର୍ଷାରେ ଅଧା ଭୁବନେଶ୍ବର ଭାସିଥିବା‌ ବେଳେ ଅଧା ସହର ଶୁଖିଲା ପଡ଼ିଛି। ତେବେ ଅଧିକାଂଶ ଅଞ୍ଚଳରେ ୪୦ରୁ ୫୦ କିମି ବେଗରେ ପବନ ବହିଛି। ଫଳରେ କେତେକ ମୁଖ୍ୟ ରାସ୍ତାରେ ଗଛ ଡାଳ ଭାଙ୍ଗି ପଡ଼ିଥିବା ବେଳେ ଓଡ଼ିଶା ବିଧାନ ସୌଧ ପରିସରରେ ଥିବା ଜାତୀୟ ପତାକା ଚିରି ଯାଇଛି। ଭୁବନେଶ୍ବରରେ ୦.୧ ମିମି ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ବରରେ ତାପମାତ୍ରା ଲଗାତାର ପ୍ରାୟ ୪୦ ଡିଗ୍ରି ରହୁଥିବା ବେଳେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିଲା। ବର୍ଷା ହେବା ଫଳରେ ଯେଉଁ ତ୍ରାହି ମିଳିବା ଆଶା କରାଯାଉଥିଲା ସ୍ବଳ୍ପ ପରିମାଣର ବର୍ଷା ଯୋଗୁ ତାହା ପୂରଣ ହୋଇ ପାରିନାହିଁ।

ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ବର୍ଷା ଆରମ୍ଭ ହୋଇଥିଲା। ବରମୁଣ୍ଡାରୁ ସିଆରପି, ୟୁନିଟ୍‌-୮, ନୂଆପଲ୍ଲୀ, ଜୟଦେବବିହାର, ଚନ୍ଦ୍ରଶେଖରପୁର ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ବେଳେ ପୋଖରୀପୁଟ, ଜାଗମରା, ଲିଙ୍ଗରାଜବିହାର, ସୁନ୍ଦରପଦା ଅଞ୍ଚଳରେ ଆଦୌ ବର୍ଷା ହୋଇ ନାହିଁ। ରସୁଲଗଡ଼, ପଳାସୁଣି, ବାଣୀବିହାର, ମଞ୍ଚେଶ୍ବର ପ୍ରଭୃତି ଅଞ୍ଚଳରେ ସାମାନ୍ୟ ବର୍ଷା ହୋଇଥିଲା। ପ୍ରାୟ ଏକ ଘଣ୍ଟା ଧରି ସହରର ବର୍ଷା ହୋଇଥିଲା। ବର୍ଷା ପବନ ଯୋଗୁଁ ରାଜପଥର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଉଚ୍ଚାର ପାଣି ଜମି ରହିଥିଲା। କେତେକ ଖାଲୁଆ ଅଞ୍ଚଳ‌ରେ ମଧ୍ୟ ପାଣି ଜମିଥିଲା। ପବନ ଯୋଗୁ ରାମ ମନ୍ଦିର ଛକ, ସିଆର୍‌ପି ଛକ, ଲୋକସେବା ଭବନ ସମ୍ମୁଖରେ ଗଛ ଉପୁଡ଼ି ପଡ଼ିଥିଲା। ଅଧିକାଂଶ ସ୍ଥାନରେ ବିଦ୍ୟୁତ୍‌ ସରବରାହ ମଧ୍ୟ ବିଚ୍ଛିନ୍ନ ହୋଇଯାଇଥିଲା। ଲିଙ୍ଗରାଜ ମନ୍ଦିରରେ ଥିବା ବିଭିନ୍ନ ମନ୍ଦିରରୁ ପାଣି ଗଳିଥିଲା।

ୟୁନିଟ୍‌-୨ ଅଞ୍ଚଳର ଏକାଧିକ ସ୍ଥାନରେ ପବନ ଯୋଗୁ ଗଛ ଉପୁଡ଼ିବା‌ ସହ ଡାଳ ଭାଙ୍ଗି ରାସ୍ତା ଉପରେ ପଡ଼ିଥିଲା‌। ‌ଲୋୟର ପିଏମ୍‌ଜିରୁ ୟୁନିଟ୍‌-୨ ମାର୍କେଟ୍‌ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଗଳି ରାସ୍ତାରେ ଡାଳ ଛିଣ୍ଡି ପଡ଼ିଥିଲା‌। ୟୁନିଟ୍‌-୩ ରାମମନ୍ଦିର ନିକଟରେ ମଧ୍ୟ ଗଛ ଡାଳ ରାସ୍ତାରେ ପଡ଼ିଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ନୂଆପଲ୍ଲୀ ଓ ରେଣ୍ଟାଲ୍‌ କଲୋନିରେ ମଧ୍ୟ ରାସ୍ତା ଓ ଫୁଟ୍‌ପାଥ୍‌ରେ ଗଛ ଡାଳ ପଡ଼ିଯିବାରୁ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସେହିଭଳି ୟୁନିଟ୍‌-୪ ଅଞ୍ଚଳ ଓ ହାଟ ରାସ୍ତାରେ ବଡ଼ ଡ଼ାଳ ରାସ୍ତା ଉପରେ ପଡ଼ିଥିଲା। ପୁରୁଣା ବିଧାନସୌଧ ସାମ୍ନା ରାସ୍ତାରେ ମଧ୍ୟ ଡାଳ ଭାଙ୍ଗି ପଡ଼ିଥିଲା। ୟୁନିଟ୍‌ ୬ ଗଙ୍ଗନଗର, ୟୁନିଟ୍‌-୩ ଖାରବେଳନଗର, ୧୨୦ ବ‌ାଟାଲିୟନ୍, ଆର୍‌ବିଆଇ କଲୋନି, ବାଇଆ ବାବା ମଠ, ୟୁନିଟ୍‌ ୧ ସ୍ଥିତ ମହିଳା ପୁଲିସ ଷ୍ଟେସନ, ପାସ୍‌ପୋର୍ଟ ଅଫିସ୍‌, ଖାରବେଳ ନଗର ଓଏସ୍‌ ସଂଘ, କଳ୍ପନା ଜୟଦୂର୍ଗା ନଗର, ଝାରପଡ଼ା, ହୋମ ସେକ୍ରେଟେରୀଙ୍କ ଘର, ସହିଦ୍‌ ନଗର, ଦେବରାୟ କଲେଜ୍‌ ଗଳି, ନୂଆପଲ୍ଲି ଅଞ୍ଚଳ, ବ୍ରିଟ୍‌ କଲୋନି, ନୀଳକଣ୍ଠନଗର, ସିଆର୍‌ପିଏଫ୍‌ ଛକ ଭଳି ବିଭିନ୍ନ ସ୍ଥାନରୁ ଅଗ୍ନିଶମ କର୍ମଚାରୀମାନେ ଡାଳକୁ ହଟାଇ ରାସ୍ତା ପରିଷ୍କାର କରିଥିଲେ। ସନ୍ଧ୍ୟା ସୁଦ୍ଧା ରାସ୍ତାରୁ ଏହି ସବୁ ଅବରୋଧ ହଟି ଯାଇଥିଲା। ବିଧାନସୌଧ ପରିସରରେ ଚିରି ଯାଇଥିବା ଜାତୀୟ ପତାକାକୁ ତୁରନ୍ତ ଓହ୍ଲାଇ ଦିଆଯାଇଥିଲା। ଜନପଥରେ ଥିବା ବାଉଁଶ ମେଡିଆନ୍‌ ମଧ୍ୟ ପ୍ରଭାବିତ ହୋଇଛି। ଚର୍ଚ୍ଚ ସାମ୍ନାରେ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ବାଉଁଶ ବାଡ଼ ଉପୁଡ଼ି ବିପରୀତ ଦିଗକୁ ଢଳି ଯାଇଛି। ତେବେ କୌଣସି ବସ୍ତିରେ ଜଳବନ୍ଦୀ ସମସ୍ୟା ଉପୁଜିନଥିବା ବିଏମ୍‌ସି କହିଛି।

Leave a Reply

Your email address will not be published. Required fields are marked *