September 19, 2024

ଲଗାଣ ବର୍ଷା ଯୋଗୁଁ ୬ ଜିଲ୍ଲାରେ ବନ୍ୟା ଆଶଙ୍କା

1 min read

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣବର୍ଷା । ଏହା ପ୍ରଭାବରେ ଉତ୍ତର ଓଡିଶାରେ କେତକ ନଦୀରେ ବନ୍ୟା ସ୍ଥିତି ଉପୁଜିଛି । ସୁବର୍ଣ୍ଣରେଖା,ବୁଢ଼ାବଳଙ୍ଗ ଏବଂ ଜଳକା ନଦୀରେ ବନ୍ୟା ଜଳ ପ୍ରବେଶ କରିବା ଫଳରେ ବିପଦସଙ୍କେତ ଟପିଛି ଜଳସ୍ତର । ସେଥିପାଇଁ ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଛି ।

ସୁବର୍ଣ୍ଣରେଖା ନଦୀ ଆଜି ରାଜଘାଟଠାରେ ବିପଦସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଥିବାବେଳେ ବାଲେଶ୍ୱର ଜିଲ୍ଲାର ବସ୍ତା, ଭୋଗରାଇ ଓ ବାଲିଆପାଳ ଅଂଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇପାରେ ବୋଲି ଜଣାପଡ଼ିଛି । ଏପଟେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ।

ଅନ୍ୟପଟେ ଗତ ୪ ଦିନ ଧରି ଲଗାଣବର୍ଷା ଫଳରେ ମୟୁରଭଞ୍ଜ ଜିଲ୍ଲାରେ ବୁଢ଼ାବଳଙ୍ଗ,ବୈତରଣୀ, ଓ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ନଦୀର ଉପର ମୁଣ୍ଡରେ ଥିବା ଜାମଶୋଳାଘାଟରେ ମଧ୍ୟ ସକାଳ ୭ ଟାରେ ନଦୀର ଜଳପତ୍ତନ ୫୦.୮୦୦ ମିଟର ରହିଛି । ଏଠାରେ ବିପଦ ସଂଙ୍କେତ ୪୯.୧୬୦ ମିଟର ରହିଛି। ତେବେ ବିଳମ୍ବିତ ରାତିରୁ ଜାମଶୋଳାଘାଟଠାରେ ନଦୀର ଜଳ ପତ୍ତନ ହ୍ରାସ ପାଉଥିବା ସୂଚନା ମିଳିଛି। ଆଜି ସୁବର୍ଣ୍ଣରେଖା ନଦୀ ରାଜଘାଟଠାରେ ବିପଦସଙ୍କେତ ୧୦.୩୬ମିଟର ଥିବାବେଳେ ଏବେ ଜଳସ୍ତର ୧୦.୭୦ମିଟର ପ୍ରବାହିତ ହେଉଛି ।

ସାମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ମଧ୍ୟ ଭୟଭୀତ ଅବସ୍ଥାରେ ରହିଛନ୍ତି । ଆବଶ୍ୟକତା ଅନୁଯାଇ ବନ୍ୟା ଆଶଙ୍କା ଥିବା ଅଞ୍ଚଳରେ ଅଗ୍ନିଶମ ବାହିନୀଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି । ଲୋକମାନଙ୍କୁ ଭୟଭୀତ ନ ହେବା ପାଇଁ ନିର୍ଦେଶ ଦିଆଯିବା ସହିତ ସତର୍କ ରହିବା ପାଇଁ କୁହାଯାଇଛି । ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ମଧ୍ୟମଧରଣର ବନ୍ୟା ହୋଇପାରେ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *