ଶ୍ରୀମନ୍ଦିର ରତ୍ନଭଣ୍ଡାର କାମ ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବ
1 min readପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର କାମ ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବ। ଏହା ପୂର୍ବରୁ ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି।
ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ ରାତି ୨ଟାରୁ ଦ୍ୱାର ଫିଟିବ ନୀତି ଆରମ୍ଭ ହେବ। ଦ୍ଵି’ପହର ଧୂପ ସରିବା ପରେ ଅପରାହ୍ଣ ୧ଟାରୁ ମରାମତି କାର୍ଯ୍ୟ ଆରମ୍ଭ ହେବ। ମରାମତି କାମ ୫ ଘଣ୍ଟା କରାଯିବାକୁ ସ୍ଥିର ହୋଇଛି।
ଜିପିଆର ଓ ଜିପିଆରଏସ ସର୍ଭେରେ ଚିହ୍ନଟ ହୋଇଥିବା ରତ୍ନଭଣ୍ଡାରର କାନ୍ଥ ଏବଂ ଚଟାଣରେ ମରାମତି କାମ ହେବ। ମରାମତି ସମୟରେ ବିଭିନ୍ନ ପ୍ରକାର ରାସାୟନିକ ସାମଗ୍ରୀ ବ୍ୟବହାର କରି ମରାମତି କରାଯିବ। ମରାମତି ସମୟରେ ଏସଓପିକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି କହିଛନ୍ତି ଏଏସଆଇ ଡେପୁଟି ସୁପରିଟେଣ୍ଡେଣ୍ଟ ଆରକ୍ୟୋଲୋଜିଷ୍ଟ ଚିତ୍ତରଞ୍ଜନ ଦାସ।
ମରାମତି ସମୟରେ ଡାକ୍ତରୀ ଟିମ, ଅଗ୍ନିଶମ ବିଭାଗ କର୍ମଚାରୀ ଓ ଏଏସଆଇର ସ୍ୱତନ୍ତ୍ର ଟିମ ଉପସ୍ଥିତ ରହିବେ। ରତ୍ନଭଣ୍ଡାର ମରାମତି ସମୟରେ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସାଧାରଣ ଭକ୍ତି।
ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ କରାଯିବ। ମରାମତି କାମ ଶେଷ ହେବା ପରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ସ୍ତାନାନ୍ତର କରାଯିବ। ଅଳଙ୍କାର ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବା ପରେ ଗଣତି ମଣତି କାମ ଆରମ୍ଭ ହେବ