ଘୁ.ଉଦୟଗିରିର ତାପମାତ୍ରା ୯ ଡିଗ୍ରିରୁ ଆଜି ୬.୬ ଡିଗ୍ରିକୁ ଖସି ଆସିଛି
1 min readଘୁ.ଉଦୟଗିରି: ସ୍ଥାନୀୟ ଅଞ୍ଚଳ ସମେତ ଟିକାବାଲି, ରାଇକିଆ, ସାରଂଗଡ଼ ପ୍ରଭୁତି ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି। ଗତ ୪ ଦିନ ଭିତରେ ଓଡ଼ିଶାର ଦାର୍ଜିଲିଂ କୁହାଯାଉଥିବା ଘୁ.ଉଦୟଗିରିର ତାପମାତ୍ରା ୯ ଡିଗ୍ରିରୁ ଆଜି ୬.୬ ଡିଗ୍ରିକୁ ଖସି ଆସିଛି। ସହର ଅପେକ୍ଷା ଦୁର୍ଗମ ପାହାଡ଼ ପର୍ବତ ଜଙ୍ଗଲ ଘେରା ଅଞ୍ଚଳରେ ୬ଡିଗ୍ରି ତକକୁ ପାରଦ ଖସି ରହୁଥିବା ଜଣାପଡ଼ିଛି।
ଚଳିତ ବର୍ଷ ବିଳମ୍ବରେ ଶୀତ ଆରମ୍ବ ହୋଇଥିବା ବେଳେ ହଠାତ ପାରଦ କମିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଲୋକମାନେ ଦିନରେ ସୂର୍ଯ୍ୟଙ୍କ କିରଣକୁ ଭରସା କରୁଥିବା ବେଳେ ସନ୍ଧ୍ୟା ହେଲେ ନିଆଁ ଚାରିପାଖରେ ବସୁଥିବା ପରିଲକ୍ଷତ ହେଉଛି। ଗରିବ ଲୋକ ଥଣ୍ଡା ପାଇଁ ଡହଳବିକଳ ହେଲେଣି। ଝାଟିମାଟି ଘରେ ଜୀବନ ବିତାଉଥିବା ପରିବାର ରାତିସାରା ନିଆଁ ଲଗେଇ ଶୋଉଥିବା ବେଳେ ସ୍ଥାନୀୟ ସହରରେ ବସଷ୍ଟାଣ୍ଡ ନଥିବା ଏବଂ ସହରରେ କୌଣସି ସ୍ଥାନରେ ଯାତ୍ରୀ ବିଶ୍ରାମ ଗୃହ ନଥିବା ଯୋଗୁଁ ବସ ଯାତ୍ରୀମାନେ ରାତିସାରା ବସ୍କୁ ଅପେକ୍ଷା କରିବା ନିମନ୍ତେ କାହା ବାରଣ୍ଡାରେ ବସୁଥିବା ବେଳେ କିଛି ଲୋକେ ଛକଗୁଡ଼ିକରେ ନିଆଁ ଜାଳି ବସୁଥିବା ଦେଖୁବାକୁ ମିଳିଛି।