October 18, 2024

ଦିଲ୍ଲୀ ପାନୀୟ ଜଳସଙ୍କଟ ପ୍ରସଙ୍ଗରେ ଦିଲ୍ଲୀ ଓ ହିମାଚଳ ପ୍ରଦେଶ ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

1 min read

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ତୀବ୍ର ଜଳ ସଙ୍କଟ ଦେଖାଦେଇଛି। ଏହାର ଫାଇଦା ନେଇ ଅନେକ ଅନ୍ୟାୟ ଭାବେ ଅର୍ଥ ଉପାର୍ଜନ କରିବା ଆରମ୍ଭ କରିଛନ୍ତି। ଦିଲ୍ଲୀ ଜଳ ସଙ୍କଟକୁ ଅଧିକ ଜଟିଳ କରିବା ପଛରେ ‘ଟ୍ୟାଙ୍କର ମାଫିଆ’ଙ୍କ ହାତ ରହିଛି। ଦିଲ୍ଲୀରେ ମାତ୍ରାଧିକ ଜଳ ନଷ୍ଟ ହେଉଛି। ସେମାନଙ୍କ ନିମନ୍ତେ ଦିଲ୍ଲୀରେ କୃତ୍ରିମ ଜଳ ସଙ୍କଟ ସୃଷ୍ଟି କରାଯାଉଛି। ଦିଲ୍ଳୀ ଜଳ ସଙ୍କଟ ମାମଲାର ଶୁଣାଣି ସମୟରେ ଟ୍ୟାଙ୍କର ମାଫିଆ ପ୍ରସଙ୍ଗକୁ ନେଇ ଆଜି ସୁପ୍ରିମ୍କୋର୍ଟ ଦିଲ୍ଲୀ ସରକାରଙ୍କୁ କଠୋର ଭାଷାରେ ଭର୍ତ୍ସନା କରିଛନ୍ତି।
ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ଓ ପ୍ରସନ୍ନ ବି ବରାଲେଙ୍କୁ ନେଇ ଗଠିତ ଖଣ୍ଡପୀଠ, ଜଳସଙ୍କଟ ପଛରେ ଟ୍ୟାଙ୍କର ମାଫିଆଙ୍କ ସମ୍ପୃକ୍ତି ପ୍ରସଙ୍ଗ ଉଠାଇ ସେମାନଙ୍କ ବିରୋଧରେ ସରକାରଙ୍କ ପକ୍ଷରୁ କଣ ପଦକ୍ଷେପ ନିଆଯାଇଛି ସେନେଇ ସତ୍ୟପାଠ ଜରିଆରେ ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଦିଲ୍ଲୀ ପାନୀୟ ଜଳସଙ୍କଟ ମାମଲାର ଅନ୍ୟ ପକ୍ଷ ହିମାଚଳ ପ୍ରଦେଶ ସରକାରଙ୍କୁ ମଧ୍ୟ କୋର୍ଟ ଭର୍ତ୍ସନା କରିଛନ୍ତି। ପୂର୍ବରୁ ଦାଖଲ କରାଯାଇଥିବା ସତ୍ୟପାଠରେ ହିମାଚଳ ପ୍ରଦେଶ ସରକାର କହିଥିଲେ ଯେ ଚୁକ୍ତି ମୁତାବକ ୧୩୭ କ୍ୟୁସେକ୍ ଜଳ ଦିଲ୍ଲୀ ବ୍ୟାରେଜ୍ ଦେଇ ପ୍ରବାହିତ ହେଉଛି। ଏହି ପ୍ରସଙ୍ଗରେ ଖଣ୍ଡପୀଠ ହିମାଚଳପ୍ରଦେଶ ଆଡ୍ଭୋକେଟ୍ ଜେନେରାଲ୍ଙ୍କୁ ପଚାରିଥିଲେ ଯେ ଯଦି ଜଳ ଛଡ଼ାଯାଇଛି ଓ ହିମାଚଳପ୍ରଦେଶରୁ ଜଳ ଦିଲ୍ଲୀ ଆସୁଛି ତେବେ ପୂର୍ବେ କାହିଁକି ମିଛ ତଥ୍ୟ ଦାଖଲ କରାଯାଇଥିଲା। ପୂର୍ବରୁ ଦାଖଲ କରାଯାଇଥିବା ସତ୍ୟପାଠ ଅନୁସାରେ କୋର୍ଟ ସେତେବେଳେ ନିର୍ଦ୍ଦେଶ ଜାରି କରିଥିଲେ। କିନ୍ତୁ ବର୍ତ୍ତମାନ ଅଧିକ ଜଳ ଛଡ଼ାଯାଉଛି ବୋଲି ସତ୍ୟପାଠ ଦାଖଲ କରାଯାଇଛି। ଏଭଳି ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଧିକାରୀଙ୍କୁ ସିଧାସଳଖ ଜେଲ୍ ପଠାଇବାର ବ୍ୟବସ୍ଥା କରାଯିବ ବୋଲି ତାଗିଦ୍ କରାଯାଇଛି।

Leave a Reply

Your email address will not be published. Required fields are marked *