October 18, 2024

ସରକାରଙ୍କୁ ଘେରିଲେ ବିରୋଧୀ

1 min read

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ରାଜ୍ୟରେ ରାଜନୀତି ଲାଗିଛି। ମାମଲାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶନିବାର ଭୁବନେଶ୍ୱରରେ ବିରୋଧୀଙ୍କ ଦୃଢ଼ ପ୍ରତିବାଦ ଦେଖିବାକୁ ମିଳିଛି। ପ୍ରଥମେ ବିଜେଡି ଓ ପରେ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି।

ଭରତପୁର ଥାନା ଘଟଣାକୁ ନେଇ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ରାଜଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମାମଲାକୁ ନେଇ ଜାରି ରହିଥିବା କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ଦଳ ପ୍ରଶ୍ନ ଉଠାଇଛି। ଏହି ମାମଲାର ନ୍ୟାୟିକ ତଦନ୍ତ ଦାବି କରିଛି ବିଜେଡି।

“ରାଜ୍ୟ ସରକାର ଏବେ ନିଜର ୧୦୦ ଦିନର ଶାସନର ଡିଣ୍ଡିମ ପିଟୁଛନ୍ତି। ହେଲେ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ତାଙ୍କର ନିୟନ୍ତ୍ରଣ ନାହିଁ। ପୋଲିସର ବର୍ବରତାର ଆଜି ସୀମା ଟପିଛି। ଭରତପୁର ଥାନାରେ ହୋଇଥିବା ଘଟଣା ରାଜ୍ୟର ଛବି ଖରାପ କରିଛି। ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତର କେତେ ସ୍ଵଚ୍ଛ ହେବ ତାହା କହି ହେବନାହିଁ। ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛୁ”, କହିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

ଅନ୍ୟପଟେ ଯୁବ କଂଗ୍ରେସ ପକ୍ଷରୁ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ପ୍ରତିବାଦ କରାଯାଇଛି। ଘଟଣାର ନୈତିକତା ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନିଜ ପଦ ଛାଡ଼ନ୍ତୁ ବୋଲି ଦାବି କରିଛି ଯୁବ କଂଗ୍ରେସ। ଏହି ସମୟରେ କଂଗ୍ରେସ କର୍ମୀ ଓ ପୋଲିସଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା।

ତେବେ ଏହି ମାମଲାରେ ଚନ୍ଦକା ରାସ୍ତାରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିବା ଓ ମାଡ଼ ମାରିବା ଅଭିଯୋଗରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସିସିଟିଭି ଫୁଟେଜ ଆଧାରରେ ଶୁକ୍ରବାର ପୋଲିସ ପକ୍ଷରୁ ସେମାନଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା।

ସେପ୍ଟେମ୍ବର ୧୪ ତାରିଖ ରାତିରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂହ ଏବଂ ତାଙ୍କ ବାନ୍ଧବୀ କାରରେ ଘରକୁ ଫେରୁଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଗାଡ଼ିକୁ ଅଟକାଇ ଦୁର୍ବ୍ୟବହାର କରିଥିଲେ। ଏହାକୁ ନେଇ ମେଜର ଓ ତାଙ୍କ ବାନ୍ଧବୀ ଅଭିଯୋଗ କରିବାକୁ ଭରତପୁର ଥାନାକୁ ଯାଇଥିଲେ। ତେବେ ସେଠାରେ ପୋଲିସ କଥା ଶୁଣିବା ବଦଳରେ ଉଭୟଙ୍କୁ ଦୁର୍ବ୍ୟବହାର ଓ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

ଏହି ମାମଲାରେ ଭରତପୁର ଥାନାର ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଏବେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *