November 21, 2024

ରାଜ୍ୟରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି

1 min read

ଆମ ରାଜ୍ୟରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାର କେତେକ କାରଣ ମଧ୍ୟ ରହିଛି। ଅଧିକାଂଶ ବ୍ୟକ୍ତି କ୍ୟାନ୍‌ସର ରୋଗର ଲକ୍ଷଣକୁ ପ୍ରାଥମିକ ସ୍ତରରେ ଜାଣିପାରନ୍ତି ନାହିଁ। କେବଳ ସେତିକି ନୁହେଁ, ସେଭଳି ଲକ୍ଷଣକୁ ଗୁରୁତ୍ୱର ସହ ନ ନେଇ ଅବହେଳା କରିଥାଆନ୍ତି। ଏହା ଫଳରେ କ୍ୟାନ୍‌ସର ରୋଗ ବଢ଼ିଯାଏ ଏବଂ ଅଧିକ ଦିନ ଚିକିତ୍ସା କରିବାକୁ ପଡ଼ିଥାଏ। ବେଳେବେଳେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ତେଣୁ ଆମେ ଯଦି କ୍ୟାନ୍‌ସର ଲକ୍ଷଣକୁ ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା, ଡାକ୍ତରଙ୍କ ପରାମର୍ଶରେ ସମସ୍ତ ଡାକ୍ତରୀ ପରୀକ୍ଷା କରାଇନେବା ଏବଂ ଆବଶ୍ୟକ ପଡିଲେ ଠିକ୍‌ ଚିକିତ୍ସା କରାଇନେବା, ତେବେ ଆମେ ମଧ୍ୟ ଅନ୍ୟ ସମସ୍ତ ବ୍ୟକ୍ତିଙ୍କ ଭଳି ଏକ ସାଧାରଣ ଜୀବନ ଅତିବାହିତ କରିପାରିବା। ତେଣୁ ଏହି ରୋଗର କାରଣ ସମ୍ପର୍କରେ ଆସନ୍ତୁ ଜାଣିବା। କାରଣ ଏ ବିଷୟରେ ଜଣେ ଭଲ ଭାବରେ ଅବଗତ ହେବା ନିହାତି ଦରକାର। ଆପଣଙ୍କ ଜିଭ, ପାଟିରେ ଘା’ ହୋଇଛି କି? ଯଦି ହଁ, ତେବେ ଏହା ଚିକିତ୍ସା ପରେ ସମ୍ପୂର୍ଣ୍ଣ ଭାବରେ ଶୁଖି ଯାଇଛି ତ? ଯଦି ଘା’ ଶୁଖୁ ନାହିଁ ତେବେ ବିଳମ୍ବ ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କାରଣ ଏହା ହୁଏତ କ୍ୟାନ୍‌ସରର କାରଣ ହୋଇପାରେ। ଅନ୍ୟପକ୍ଷରେ ବେକରେ ଆବୁ ପରି ଫୁଲିବା, ସ୍ବର ପରିବର୍ତ୍ତନ ହେବା, ଖାଦ୍ୟ ଢୋକିବାରେ ଅସୁବିଧା ହେବାକୁ ଅବହେଳା କରନ୍ତୁ ନାହିଁ। ଏସବୁ ବିଷୟରେ ଜାଣିବାକୁ ପାଇଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। କାରଣ ଏଗୁଡିକୁ କ୍ୟାନ୍‌ସରର ପ୍ରାରମ୍ଭିକ ଲକ୍ଷଣ ଭାବରେ ଗଣାଯାଇଥାଏ।
ସ୍ତନରେ ଗୋଟା ଭଳି ଅନୁଭବ ହେବା ଯଦି ଆପଣଙ୍କର ସ୍ତନ କିମ୍ବା କାଖରେ ଗୋଟା ଭଳି ଅନୁଭବ ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହା ସହିତ ସ୍ତନର ଆକାର ପରିବର୍ତ୍ତନ ହେବା, ନିପଲ ଭିତରକୁ ପଶିଯିବା, ନିପଲରୁ ତରଳ ପଦାର୍ଥ ବାହାରିବା ଆଦି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ସହ ଯେତେ ଶୀଘ୍ର ପରାମର୍ଶ କରିବେ ସେତେ ଭଲ।
ଅସ୍ବାଭାବିକ ରକ୍ତସ୍ରାବ ହେବା ମେନୋପୋଜ୍‌ ବା ଋତୁସ୍ରାବ ବନ୍ଦ ହେବା ପରେ ମଝିରେ ମଝିରେ ରକ୍ତସ୍ରାବ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏହା ସହିତ ଶାରୀରିକ ସମ୍ପର୍କ ପରେ ରକ୍ତସ୍ରାବ ହେବା, ଅଧିକ ଯନ୍ତ୍ରଣା ହେବା ଏବଂ ଯୌନାଙ୍ଗରୁ ଦୁର୍ଗନ୍ଧଯୁ୍‌କ୍ତ ତରଳ ପଦାର୍ଥ ବାହାରିବା କ୍ୟାନ୍‌ସରର ଲକ୍ଷଣ ହୋଇପାରେ। ଝାଡ଼ାରେ ପରିବର୍ତ୍ତନ ଯଦି ଆପଣଙ୍କ ଝାଡ଼ାରେ ପରିବର୍ତ୍ତନ ହେଉଛି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ହଠାତ୍‌ ପତଳା ଝାଡ଼ା ହେବା କିମ୍ବା ହଠାତ୍‌ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦେବା ଝାଡ଼ାରେ ରକ୍ତ ପଡ଼ିବା କ୍ୟାନ୍‌ସର ରୋଗର ଲକ୍ଷଣ ହୋଇପାରେ।
ଖାଇବାକୁ ଇଚ୍ଛା ନ ହେବାସବୁବେଳେ ପେଟ ଫୁଲିଲା ଭଳି ଅନୁଭବ ହେବା, ଖାଇବାକୁ ଇଚ୍ଛା ନ ହେବା, ଅତ୍ୟଧିକ ହାଲିଆ ଲାଗିବା ସହିତ ହଠାତ୍‌ ଓଜନ କମିଗଲେ ବିଳମ୍ବ ନ କରି ଯେତେଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। କାରଣ ଏହା ହୁଏତ କ୍ୟାନ୍‌ସରର ପ୍ରମୁଖ ଲକ୍ଷଣ ହୋଇପାରେ।
ବାରମ୍ବାର କାଶ ହେବା ପାଖାପାଖି ତିନି ସପ୍ତାହରୁ ଅଧିକ ସମୟ ଧରି କଫ ଲାଗି ରହିବା, କାଶରେ ପରିବର୍ତ୍ତନ, କଫରେ ରକ୍ତ ପଡ଼ିବା ଏବଂ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେଲେ ଡେରି ନ କରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।କଳାଜାଇ, ଭାତୁଡ଼ିର ଆକାର, ରଙ୍ଗ ଏବଂ ସଂଖ୍ୟାରେ ପରିବର୍ତ୍ତନ କ୍ୟାନ୍‌ସରର ଲକ୍ଷଣ ହୋଇପାରେ। ଏହା ସହିତ ଯଦି ସେଥିରୁ ରକ୍ତସ୍ରାବ ହେଉଛି ତେବେ ବିଳମ୍ବ ନ କରି ତୁରନ୍ତ ଡାକ୍ତରଙ୍କ ସହ ଏ ବିଷୟରେ ପରାମର୍ଶ କରନ୍ତୁ।
କ୍ୟାନ୍‌ସର ହେଉଛି ଅନ୍ୟତମ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା। ହେଲେ ଏହା ଜୀବନ ପ୍ରତି ବିପଦପୂର୍ଣ୍ଣ ନୁହେଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ବିଷୟରେ ଜାଣିପାରିଲେ ବିଳମ୍ବ ନ କରି ତୁରନ୍ତ ତଥା ଠିକ୍‌ ସମୟରେ ଚିକିତ୍ସା କରାଇ ନେଲେ କ୍ୟାନ୍‌ସରରୁ ଆରୋଗ୍ୟ ମିଳିଥାଏ। ଏହି କଥାଟିକୁ ସମସ୍ତେ ମନେରଖିବା ଯେ, କ୍ୟାନ୍‌ସର ଏକ ଡିଅଁା ରୋଗ ନୁହେଁ। କ୍ୟାନ୍‌ସର ରୋଗୀଙ୍କ ସହ ରହିଲେ, ତାଙ୍କୁ ଛୁଇଁଲେ, ସେମାନଙ୍କର ଜିନିଷପତ୍ର ବ୍ୟବହାର କଲେ କ୍ୟାନ୍‌ସର ହୋଇ ନ ଥାଏ। ଆମ ରାଜ୍ୟରେ କ୍ୟାନ୍‌ସରର ସମସ୍ତ ଚିକିତ୍ସା ଉପଲବ୍ଧ। ଅନ୍ୟପକ୍ଷରେ କ୍ୟାନ୍‌ସର ରୋଗର ଚିକିତ୍ସା ପାଇଁ ଆମ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି।
କ୍ୟାନ୍‌ସର ରୋଗୀଙ୍କୁ ଘୃଣା କରନ୍ତୁ ନାହିଁ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଠିକ୍‌ ସମୟରେ ପରୀକ୍ଷା କରାଇ ନିଅନ୍ତୁ। ରୋଗୀକୁ ସବୁବେଳେ ଉତ୍ସାହିତ କରନ୍ତୁ। ଘରେ ସକାରାତ୍ମକ ପରିବେଶ ସୃଷ୍ଟି କରନ୍ତୁ। ରୋଗୀ ସହିତ ହସଖୁସିରେ ଦିନ ଅତିବାହିତ କରନ୍ତୁ।