September 7, 2024

ସାମ୍ବିଧାନିକ ପୀଠଙ୍କ ରାୟ ଅନ୍ୟ ଖଣ୍ଡପୀଠ ପାଇଁ ମାନ୍ୟ

1 min read

ନୂଆଦିଲ୍ଲୀ: ସାମ୍ବିଧାନିକ ପୀଠଙ୍କ ରାୟକୁ କମ୍‌ କ୍ଷମତା ବିଶିଷ୍ଟ ଖଣ୍ଡପୀଠଗୁଡ଼ିକ ଅନୁସରଣ କରିବା ଅନିବାର୍ଯ୍ୟ ବୋଲି ସୁପ୍ରିମକୋର୍ଟ ଏହାର ୨୦୨୨ ଏପ୍ରିଲର ଏକ ରାୟକୁ ମନେପକାଇଦେଇ କହିଛନ୍ତି। ହରିୟାଣାର ଏକ ଗାଁର ବାସିନ୍ଦା ମିଳିତ ଭାବେ ବ୍ୟବହାର କରୁଥିବା ଜମି ଉପରେ ଏହି ରାୟ ଦିଆଯାଇଥିଲା। ହରିୟାଣାର ଭୂମି ଆଇନ ଅନୁଯାୟୀ ପ୍ରକୃତ ମାଲିକମାନଙ୍କଠାରୁ ସେମାନଙ୍କ ଅନୁମୋଦିତ ସିଲିଂ ସୀମାରୁ ନିଆଯାଇଥିବା ଜମି ଉପରେ ପଞ୍ଚାୟତ ମାଲିକାନା ଜାହିର କରିପାରିବ ନାହିଁ ବୋଲି ୨୦୨୨ ଏପ୍ରିଲ ୭ରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ପଞ୍ଚାୟତ କେବଳ ଉକ୍ତ ଜମିର ପରିଚାଳନା ଓ ନିୟନ୍ତ୍ରଣ କରିପାରିବ ବୋଲି ଅଦାଲତ କହିଥିଲେ। ପୂର୍ବରୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ପୂର୍ଣ୍ଣ ଖଣ୍ଡପୀଠ ହରିୟାଣା ଗ୍ରାମ ସାଧାରଣ ଜମି (ନିୟାମକ) ଆଇନ, ୧୯୬୧ର ଧାରା ୨(ଜି)ର ଉପଧାରା ୬ର ବୈଧତାକୁ ଅନୁଧ୍ୟାନ କରି ଦେଇଥିବା ରାୟ ବିରୋଧରେ ଏକାଧିକ ଅପିଲ୍‌ ଉପରେ ସୁପ୍ରିମକୋର୍ଟ ଉପରୋକ୍ତ ରାୟ ଦେଇଥିଲେ। ଜଷ୍ଟିସ୍‌ ବି.ଆର୍‌. ଗଭାଇ ଏବଂ ସନ୍ଦିପ୍‌ ମେହେଟ୍ଟାଙ୍କ ଖଣ୍ଡପୀଠ ଗୁରୁବାର କହିଛନ୍ତି, ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ପୀଠ ୧୯୬୬ରେ ଦେଇଥିବା ରାୟ ଆଧାରରେ ହାଇକୋର୍ଟ ତାଙ୍କ ରାୟ ଶୁଣାଇଥିଲେ। ୧୯୬୬ର ରାୟକୁ ହାଇକୋର୍ଟ ଭରସା କରିବା କାହିଁକି ଭୁଲ୍‌ ଥିଲା ସେ ନେଇ ସୁପ୍ରିମକୋର୍ଟ ସ୍ପଷ୍ଟ କରିବେ ବୋଲି ଆଶା କରାଯାଉଥିଲା। ସାମ୍ବିଧାନିକ ପୀଠଙ୍କ ଏକ ରାୟକୁ କମ୍‌ କ୍ଷମତାସମ୍ପନ୍ନ ଖଣ୍ଡପୀଠ ମାନିବା ବାଧ୍ୟତାମୂଳକ ଏହା ଦର୍ଶାଇବା ପାଇଁ କୌଣସି ଆଇନର ଆବଶ୍ୟକତା ନାହିଁ। ୧୯୬୬ର ଭଗତ ରାମ ମାମଲାର ରାୟ ୫ ଜଣିଆ ପୀଠ ଦେଇଥିଲେ। ଏହି ରାୟର ପାରାଗ୍ରାଫ୍‌ ୫ ଅନୁଯାୟୀ ସାମ୍ବିଧାନିକ ପୀଠର ରାୟକୁ ୨ ଜଣିଆ ଖଣ୍ଡପୀଠ ଅଣଦେଖା କରିପାରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

Leave a Reply

Your email address will not be published. Required fields are marked *