April 16, 2025

୧୫ ଜଣ ଛାତ୍ର ଏକାସାଙ୍ଗରେ ଫେରାର ହୋଇଯାଇଥିବା ଘଟଣା

1 min read

ବଣାଇଁ: ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ସିହିଡିଆ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଥିବା ଛାତ୍ରାବାସରୁ ଗତ ୨୮ ତାରିଖ ରାତିରେ ୧୫ ଜଣ ଛାତ୍ର ଏକାସାଙ୍ଗରେ ଫେରାର ହୋଇଯାଇଥିବା ଘଟଣାରେ ଗୁରୁବାର ବଣାଇଁ ବିଇଓ ସୁନୀଲ ମୁଣ୍ଡ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଦ୍ରୌପଦୀ ସାହୁଙ୍କୁ ନିଲମ୍ବନ ଆଦେଶ ଦେଇଛନ୍ତି। ଛାତ୍ର ମିଳିବା ପରେ କାରଣ ସ୍ପଷ୍ଟ ହୋଇଥିଲା। ସମ୍ପୃକ୍ତ ବିଦ୍ୟାଳୟରେ ଥିବା ଏକ ଆଦିବାସୀ ଛାତ୍ରାବାସରେ ସମୁଦାୟ ୩୭ ଜଣ ଛାତ୍ର ରହୁଥିଲେ। ସେମାନଙ୍କ ମଧ୍ୟରୁ ତୃତୀୟ-ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ୧୫ଜଣ କୋମଳମତି ଛାତ୍ର ସେଦିନ ରାତି ଫେରାର ହୋଇଯାଇଥିଲେ। ପରେ ପାଟ୍ରୋଲିଂ କରୁଥିବା ବାରକୋଟ ପୋଲିସ ଦ୍ୱାରା ଫେରାର ଛାତ୍ର ଉଦ୍ଧାର ହେବା ପରେ ପୋଲିସ ବିଦ୍ୟାଳୟର ଶିକ୍ଷକ ଜିମାରେ ପିଲାମାନଙ୍କୁ ଛାଡିଥିଲେ। ଗତକାଲି ଖବର ପ୍ରଚାରିତ ହେବା ପରେ ସୁନ୍ଦରଗଡ଼ ଜିଲା ଶିକ୍ଷାଧିକାରୀ ଅମୂଲ୍ୟ ପ୍ରଧାନଙ୍କ ତଦନ୍ତ ନିର୍ଦ୍ଦେଶ ପାଇ ବଣାଇଁ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାବୁରାମ ମହାନ୍ତ ତଦନ୍ତ କରିଥିଲେ। ତଦନ୍ତ ପରେ ସମ୍ପୃକ୍ତ ବିଦ୍ୟାଳୟ ଛାତ୍ରାବାସରେ ରହୁଥିବା ରୋଷେୟା ତଥା ପରିଚାରକ ଅମିତ କୁମାର ପାହୁଲେଙ୍କ ବ୍ୟବହାର ଭଲ ଲାଗୁ ନ ଥିଲା ତେଣୁ ପଳେଇ ଯାଇଥିଲେ ବୋଲି ସେ ସ୍ପଷ୍ଟ କରିଥିଲେ। ଅପରପକ୍ଷେ ସମ୍ପୃକ୍ତ ବିଦ୍ୟାଳୟଟି ଗଣଶିକ୍ଷା ବିଭାଗର ହୋଇଥିଲେ ମଧ୍ୟ ଛାତ୍ରାବାସଟି ଆଦିବାସୀ ଉନ୍ନୟନ ବିଭାଗର ହୋଇଥିବାରୁ ତାଙ୍କ ବିଭାଗକୁ ତଦନ୍ତ ରିପୋର୍ଟ ଦେଲା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଥିଲେ। ଆଜି ଶିକ୍ଷା ବିଭାଗ ପକ୍ଷରୁ ବଣାଇଁ ବିଇଓ ସୁନୀଲ ମୁଣ୍ଡ ସମ୍ପୃକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଦ୍ରୌପଦୀ ସାହୁଙ୍କୁ କାର୍ଯ୍ୟରେ ଅବହେଳା ଦର୍ଶାଇ ନିଲମ୍ବନ କରାଯାଇଛି।