January 3, 2025

ପଶ୍ଚିମବଙ୍ଗର ବାଙ୍କୁଡ଼ାରେ ଟ୍ରାଙ୍କୁଲାଇଜ୍‌ କରି ଧରାଯାଇଥିବା ବାଘୁଣୀ ‘ଜୀନତ୍‌’ର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନାହିଁ

1 min read

ବାରିପଦା: ପଶ୍ଚିମବଙ୍ଗର ବାଙ୍କୁଡ଼ାରେ ଟ୍ରାଙ୍କୁଲାଇଜ୍‌ କରି ଧରାଯାଇଥିବା ବାଘୁଣୀ ‘ଜୀନତ୍‌’ର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନାହିଁ। ଜୀନତ୍‌କୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ୩ଟି ସଟ୍‌ ମରାଯାଇଥିଲା। ଯାହାର ପ୍ରଭାବରେ ଜୀନତ୍‌ ଅସୁସ୍ଥ ହୋଇପଡ଼ିଛି। ଅଲିପୁର ଚିଡ଼ିଆଖାନାରେ ୧୨ ଜଣିଆ ଟିମ୍‌ ଜୀନତ୍‌ର ଚିକିତ୍ସ‌ା ଓ ନିରୀକ୍ଷଣ ଦାୟିତ୍ବରେ ଅଛନ୍ତି। ଆଜି ସକାଳୁ ବାଘୁଣୀର ଶ୍ବାସକ୍ରିୟା ଅସ୍ବ‌ାଭାବିକ ହୋଇ ପଡ଼ିଥିଲା। ତେବେ ଅପରାହ୍ଣ ୨ଟା ପରେ ସେ ସାଧାରଣ ଅବସ୍ଥାକୁ ଫେରିଛି। ହେଲେ ଶରୀର ସମ୍ପୂର୍ଣ୍ଣ ଦୁର୍ବଳ ରହିଛି। ମଙ୍ଗଳବାର ସକାଳୁ ଓ ଅପରାହ୍‌ଣ ୨ଟାରେ ଆଉ ଦୁଇଥର ଡାକ୍ତରୀ ପରୀକ୍ଷା ପରେ ‘ଜୀନତ୍‌’ କେବେ ଶିମିଳିପାଳ ଫେରିବ ସେ ସଂପର୍କରେ ନିଷ୍ପତ୍ତି ନିଆଯିବ। ଏହି ସମୟରେ ଓଡ଼ିଶା ଓ ପଶ୍ଚିମବଙ୍ଗ ବନ ବିଭାଗ, ଅଲିପୁର ଚିଡ଼ିଆଖାନାର ଡାକ୍ତର ତଥା ସୁନ୍ଦରବନ ଟାଇଗର ରିଜର୍ଭର କର୍ମଚାରୀଙ୍କୁ ନେଇ ଗଠିତ ଟିମ୍‌ ‘ଜୀନତ୍‌’ ଉପରେ ନଜର ରଖିବେ। ବାଘୁଣୀ ସୁସ୍ଥ ହେବା ପରେ ଯଥାଶୀଘ୍ର ହସ୍ତାନ୍ତର ପାଇଁ ପଶ୍ଚିମବଙ୍ଗ ବନ ବିଭାଗକୁ ଅନୁରୋଧ କରାଯାଇଛି ବୋଲି ଆଜି ଭୁବନେଶ୍ବରରେ ପିସିସିଏଫ୍‌ ପ୍ରେମ୍‌ କୁମାର ଝା ଗଣମାଧ୍ୟମକୁ କହିଛନ୍ତି।
ତେବେ ‘ଜୀନତ୍‌’ ସୁସ୍ଥ ହୋଇ ଫେରିଲେ ତାକୁ କେଉଁଠି ରଖାଯିବ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଣି ସଫ୍ଟ ଏନ୍‌କ୍ଲୋଜର୍‌ରେ ରଖାଯିବ ନା ଅନ୍ୟ କେଉଁ ଅଭୟାରଣ୍ୟକୁ ପଠାଯିବ ସେନେଇ ଚିନ୍ତା କରୁଛି ବନ ବିଭାଗ। ଯଦି ଶିମିଳିପାଳ ସଫ୍ଟ ଏନ୍‌କ୍ଲୋଜର୍‌ରେ ରଖାଯିବ, ତେବେ ଜୀନତ୍‌ର ବୟସ ଅନୁସା‌ରେ ସଙ୍ଗମ ପାଇଁ ଏଠାରେ ଏକ ପୁରୁଷ ବାଘ ଛଡ଼ାଯିବାର ଆବଶ୍ୟକତା ରହିଛି। ଜୀନତ୍‌ ଶିମିଳିପାଳରୁ ପଳାଇବା ପରେ ଦିନକୁ ହାରାହାରି ୧୨.୫ କିମି ଅତିକ୍ରମ କରୁଥିଲା। ତେଣୁ ବାଘୁଣୀକୁ କିପରି ଏକ ନିର୍ଦ୍ଦିଷ୍ଟ ଅଭୟାରଣ୍ୟରେ ରଖିହେବ, ସେ ନେଇ ମଧ୍ୟ ଯୋଜନା କରାଯାଉଛି ବୋଲି ଜଣେ ବରିଷ୍ଠ ବନ କର୍ମଚାରୀ କହିଛନ୍ତି। ସୂଚନାଥାଉକି; ନଭେମ୍ବରରେ ଜୀନତ୍‌କୁ ମହାରାଷ୍ଟ୍ରର ତଡ଼ବା-ଅନ୍ଧାରୀ ଅଭୟାରଣ୍ୟରୁ ଶିମିଳିପାଳକୁ ଅଣାଯାଇଥିଲା। ତେବେ ଡିସେମ୍ବର ୮ ତାରିଖ ଦିନ ସେ ଶିମିଳିପାଳ ଅଭୟାରଣ୍ୟରୁ ବାଙ୍ଗିରିପୋଷି ରେଂଜ ଦେଇ ଝାଡ଼ଖଣ୍ଡ ଏବଂ ପରେ ପଶ୍ଚିମବଙ୍ଗ ପଳାଇଥିଲା। ୨୧ ଦିନର ପରିଶ୍ରମ ପରେ ଗତକାଲି ପଶ୍ଚିମବଙ୍ଗର ବାଙ୍କୁଡ଼ାରେ ‘ଜୀନତ୍‌’କୁ ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା।