ବିଶ୍ଵରେ ପ୍ରସିଦ୍ଧ ଚାନ୍ଦିପୁର ବେଳାଭୂମିର ଚମକ ଆଉ ନାହିଁ
1 min readବାଲେଶ୍ଵର: ସବୁଠୁ ବିରଳ ବିଚ୍ ଭାବରେ ସମଗ୍ର ବିଶ୍ଵରେ ପ୍ରସିଦ୍ଧ ଚାନ୍ଦିପୁର ବେଳାଭୂମିର ଚମକ ଆଉ ନାହିଁ। ଚାନ୍ଦିପୁରକୁ ନେଇ ହୋଇଥିବା ସମସ୍ତ ଯୋଜନା ଏବେ ମଳିନ ଦେଖା ଗଲାଣି। ୨୦୨୦ ମସିହାରେ ୩୦ କୋଟି ଟଙ୍କାରେ ଚାନ୍ଦିପୁର ବେଳାଭୂମିକୁ ନେଇ ଆରମ୍ଭ ହୋଇଥିବା ତଟ ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ କାମ ଏବେ ଅଧୁରା ପଡ଼ିଛି। କାମ ସମ୍ପୂର୍ଣ୍ଣ ନହେଉଣୁ ଏଠାରେ ପଥର ବନ୍ଧ ମଧ୍ୟ ଧସି ଯାଇଛି। ଏ ପର୍ଯ୍ୟନ୍ତ କୌଣସି ଏହାର ମରାମତି କାମ କରାଯାଇନାହିଁ। ଫଳରେ ତଟ ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣକୁ ନେଇ ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବାଲେଶ୍ଵର ଜିଲ୍ଲାର ଚାନ୍ଦିପୁର ବେଳାଭୂମିକୁ ସବୁଠୁ ଅଧିକ ବଙ୍ଗୀୟ ପର୍ଯ୍ୟଟକ ଆସଥାନ୍ତି। ପଶ୍ଚିମବଙ୍ଗରୁ ଆସୁଥିବା ବଙ୍ଗାଳୀ ପର୍ଯ୍ୟଟକଙ୍କ ପାଇଁ ଦୀଘା ବେଳାଭୂମି ପରେ ଚାନ୍ଦିପୁର ହେଉଛି ପ୍ରଥମ ପସନ୍ଦ। ତା’ଛଡ଼ା କୋଳାହଳ ଓ ଭିଡ଼କୁ ପସନ୍ଦ କରୁନଥିବା ପର୍ଯ୍ୟଟକମାନେ ଚାନ୍ଦିପୁରର ଶାନ୍ତ ନିରବ ପରିବେଶକୁ ପସନ୍ଦ କରି ଏଠାକୁ ସପ୍ତାହାନ୍ତ ବା ଛୁଟିଦିନ କଟେଇବାକୁ ଛୁଟି ଆସନ୍ତି।
ତେବେ ଏଠାକୁ ଆସିବା ପରେ ଆଶାନୁସାରେ କିଛି ବି ମନୋରଞ୍ଜନ ପାଇଁ ବ୍ୟବସ୍ଥା କିମ୍ବା ପରିବେଶ ପାଉନାହାନ୍ତି। ବିଶେଷ କରି ଏଠାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକ ବିସ୍ତୀର୍ଣ୍ଣ ବେଳାଭୂମି ଦେଖି ହତାଶ ହେଉଛନ୍ତି। ବେଳାଭୂମିର ସେମିତି କିଛି ଚମକ ଦେଖିବାକୁ ନପାଇ ନିରାଶ ହୋଇ ଫେରିଯାଉଛନ୍ତି।
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଓଡ଼ିଶାର ବେଷ୍ଟ୍ ମଡେଲ୍ ବିଚ୍ ଭାବେ ପରିଗଣିତ ହେବା ନେଇ ଚାନ୍ଦିପୁରରେ ଆରମ୍ଭ ହୋଇଥିଲା ପ୍ରକଳ୍ପ କାମ। ୩୦ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଜଳସେଚନ ବିଭାଗ ଏହି କାମ ହାତକୁ ନେଇଥିଲା।
ବିଶେଷକରି ଏଠାକୁ ଆସୁଥିବା ରାଜ୍ୟ ବାହାର ତଥା ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଦୁଇ କିଲୋମିଟର ପର୍ଯ୍ୟନ୍ତ ନିର୍ମାଣ ହେଲା ମେରାଇନ୍ ଡ୍ରାଇଭ୍, ପର୍ଯ୍ୟଟକଙ୍କ ବସିବା ବ୍ୟବସ୍ଥା, ଗାଡ଼ି ଯାତାୟାତ ସୁବିଧା ଏବଂ ସବୁଜୀକରଣକୁ ନେଇ ଏକ ମାଷ୍ଟର ଡିଜାଇନ୍ ପ୍ରସ୍ତୁତ ହୋଇଥିଲା। ପ୍ରଥମେ ସମୁଦ୍ର ତଟରେ ପଥର ପକାଇବା କାମ ଆରମ୍ଭ ହୋଇଥିଲା। ଚାନ୍ଦିପୁର ପାନ୍ଥନିବାସ ନିକଟରୁ ବଳରାମଗଡି ମୁହାଣ ପର୍ଯ୍ୟନ୍ତ ପ୍ରାୟ ୧.୭ କିଲୋମିଟର ଯାଏଁ ସମୁଦ୍ର ତଟ ସୁରକ୍ଷା ଓ ପଥର ପକାଇବା ସହ ପେଭର୍ ବ୍ଲକ ପକାଇବା କାମ ସରିଥିଲା। ଏମିତିକି ବସିବା ପାଇଁ କିଛି କିଛି ଜାଗାରେ ସିମେଣ୍ଟ ବେଞ୍ଚ୍ ପଡିଥିଲା। ମାତ୍ର ଏହି କାମ ସମ୍ପୂର୍ଣ୍ଣ ହୋଇନଥିଲା।
୨୦୨୦ ରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ କାମ କରୋନା ପାଇଁ ବନ୍ଦ ଥିବାବେଳେ ୨୦୨୨ରେ ପୁଣି କାମ ଆରମ୍ଭ ହୋଇଥିଲା ବୋଲି ତତ୍କାଳୀନ ଜଳସେଚନ ବିଭାଗ ଅଧୀକ୍ଷକ ଯନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ତେବେ ସେତେବେଳେ ସମୁଦ୍ର କୂଳରେ ଥିବା ୪୫ ଦୋକାନୀଙ୍କୁ ସ୍ଥାନାନ୍ତର ଓ ଥଇଥାନ ପାଇଁ ମଧ୍ୟ ଯୋଜନା ହୋଇଥିଲା। ଏ ନେଇ ଦୋକାନମାନଙ୍କ ସହ ମଧ୍ୟ ଆଲୋଚନା କରା ଯାଇଥିଲା। ସେମାନଙ୍କ ଥଇଥାନ ପାଇଁ ମେରାଇନ୍ ଡ୍ରାଇଭ୍ ରାସ୍ତାରେ ସ୍ଵତନ୍ତ୍ର କମ୍ପ୍ଲେକ୍ସ ତିଆରି ହୋଇଥାନ୍ତା। ଏନେଇ ସେତେବେଳେ ମଡେଲରେ ଡିଜାଇନ୍ ମଧ୍ୟ ହୋଇଥିଲା।
ଦୋକାନୀ ସ୍ଥାନାନ୍ତର ହେବା ପରେ ପର୍ଯ୍ୟଟକ ସିଧାସଳଖ ଫକୀରମୋହନ ସ୍କୁଲ୍ ରାସ୍ତା ଦେଇ ଗାଡ଼ି ମାଧ୍ୟମରେ ସମୁଦ୍ର ପାଖରେ ପହଞ୍ଚି ମେରାଇନ୍ ଡ୍ରାଇଭର ମଜା ନେଇ ପାରିବେ ବୋଲି କୁହାଗଲା। ଏହା ପର୍ଯ୍ୟଟନ ବିଭାଗ କରିବାର ଯୋଜନା ହୋଇଥିଲା। ମାତ୍ର ଏସବୁ ସେମିତି ଡିଜାଇନ୍ ଭିତରେ ଚାପି ହୋଇ ରହିଗଲା। ଏଯାଏଁ ସମ୍ପୂର୍ଣ୍ଣ ହେଲା ନାହିଁ କାମ।
ସବୁଠୁ ବଡ଼ କଥା ହେଉଛି ଏହାର କାମ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଚଳିତବର୍ଷ ବର୍ଷା ଋତୁରେ ପଥର ବନ୍ଧ ଧସି ବଡ଼ ଗାତ ସୃଷ୍ଟି ହୋଇଗଲାଣି। ବର୍ତ୍ତମାନ ଅନାବନା ଘାସରେ ପରିପୂର୍ଣ୍ଣ ହୋଇଗଲାଣି ସେ ରାସ୍ତା। କଡ଼ରୁ ମାଟି ମଧ୍ୟ ଧସି ଆସିଗଲାଣି। ୨୦୨୩ ମାର୍ଚ୍ଚ ମାସ ବେଳକୁ ସବୁ ଠିକ୍ ଠାକ୍ ଥିବାବେଳେ ଏବେ ଏହାର ନିର୍ମାଣ କାମ ଅଟକି ରହି ଯାଇଛି।
ଅନ୍ୟପଟେ କାମ ଅଧୁରା ଥିବା ବେଳେ ପେଭର୍ ବ୍ଲକ ରାସ୍ତା କଡ଼ କଂକ୍ରିଟ ହୋଇନାହିଁ। ଗଛ ମଧ୍ୟ ଲଗା ଯାଇନାହିଁ। ବର୍ଷା ପାଣି ନିଷ୍କାସନ ପାଇଁ ଡ୍ରେନେଜ୍ ବ୍ୟବସ୍ଥା ନାହିଁ କି ସୁଇସ୍ ନାହିଁ। ଫଳରେ ଏତେ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ପ୍ରକଳ୍ପ କାମ ଚୁଟକିରେ ଧୂଳିସାତ ହୋଇଯାଇଥିବା ଅଭିଯୋଗ ହୋଇଛି।
ଏବେ ପର୍ଯ୍ୟଟକ ବେଳାଭୂମି ଯାଇ ନିରାଶ ହୋଇ ଫେରୁଛନ୍ତି। ମେରାଇନ୍ ଡ୍ରାଇଭରେ ଯିବାକୁ ମଧ୍ୟ ପର୍ଯ୍ୟଟକ ଭୟ କରୁଛନ୍ତି। ରାସ୍ତା କେତେବେଳେ କେଉଁଠି ଧସିପଡ଼ିବ ତାହା କାହାକୁ ଜଣାନାହିଁ।
ତେବେ ବେଳାଭୂମି କାମ ବାବଦରେ ଜାଣିବାକୁ ଜଳସେଚନ ବିଭାଗ ଯନ୍ତ୍ରୀଙ୍କଠାରୁ ସହଯୋଗ ନ ମିଳିବାରୁ ଗଣମାଧ୍ୟମର ପ୍ରତିନିଧି ବାଲେଶ୍ଵର ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିଥିଲେ। ସେ କହିଥିଲେ, “ଏହାର ଅପଡେଟ୍ ବାବଦରେ କେବଳ ବିଭାଗୀୟ କର୍ତ୍ତୃପକ୍ଷ ହିଁ ସୂଚନା ଦେଇପାରିବେ। ତଥାପି ମୁଁ ଏବାବଦରେ ବୁଝିବି।”
ବର୍ତ୍ତମାନ ଚାନ୍ଦିପୁର ବେଳାଭୂମିର ଉପଯୁକ୍ତ ବିକାଶ ଦିଗରେ ଜନ ପ୍ରତିନିଧି ଓ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଜନସାଧାରଣ ଅପେକ୍ଷା କରିଛନ୍ତି।