୨୮ରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍
1 min readଭୁବନେଶ୍ୱର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୃଦ୍ଧି ପାଉଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ଏଥିପାଇଁ ଆସନ୍ତା ୨୮ରେ ପ୍ରଥମ ବନ୍ୟାଜଳ ନିସ୍କାସନ ପାଇଁ ଖୋଲିବ ହୀରାକୁଦ ଗେଟ୍ । ଗେଟ୍ ଖୋଲିବା ନେଇ ବୁର୍ଲାସ୍ଥିତ ନିୟନ୍ତ୍ରଣ କକ୍ଷ ଠାରେ ମୁଖ୍ୟଯନ୍ତ୍ରୀ ସୁଶୀଲ କୁମାର ବେହେରା ସୂଚନା ପ୍ରଦାନ କରିଛନ୍ତି । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଜଳ ଭଣ୍ଡାରରୁ ନିଷ୍କାସନ ହେବ । ମହାନଦୀର ତଳମୁଣ୍ଡରେ ଥିବା ଜିଲ୍ଲାମାନଙ୍କୁ ଏନେଇ ସତର୍କ ସୂଚନା ଜାରି କରାଯିବ ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି ।
ଶ୍ରୀ ବେହେରା କହିଛନ୍ତି ଯେ,ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯିବା ଫଳରେ ମହାନଦୀ ଓ ଏହାର ଶାଖାନଦୀରେ ଜଳର ପରିମାଣ ବୃଦ୍ଧି ପାଇବା ଆଶଙ୍କା ଥିବାରୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଏହି ସମୟରେ ଯେପରି କୌଣସି ଦୁର୍ଘଟଣା ନଘଟେ ସେଥିପାଇଁ ନଦୀରେ ପ୍ରବେଶ ନକରିବାକୁ ପ୍ରଶାସନ ସତର୍କ କରିଛି ।
ସୂଚନାନୁଯାୟୀ, ମହାନଦୀ ଉପରମୁଣ୍ଡ ଛତିଶଗଡରେ ପ୍ରବଳ ବର୍ଷା ହେଉଛି । ଚଳିତ ବର୍ଷ ପ୍ରଥମଥର ପାଇଁ ୧ ଲକ୍ଷ ୭୦ ହଜାର ଘନଫୁଟରୁ ଅଧିକ ଜଳ ପ୍ରବେଶ କରୁଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ୬୦୫ ଫୁଟରେ ପହଞ୍ଚିଛି । ଗେଟ୍ ଖୋଲିବା ବେଳକୁ ଜଳସ୍ତର ୬୧୫ ଫୁଟ ଥିବ । ଚଳିତ ମୌସୁମୀ ସମୟରେ ପ୍ରଥମ କରି ଜଳଭଣ୍ଡାରକୁ ଇନଫ୍ଲୋ ଏକ ଲକ୍ଷ କ୍ୟୁସେକ ଉପରେ ରହିଛି। ଆଜି ସକାଳ ୯ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ପ୍ରତିସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୭୨ ହଜାର ୫୬ କ୍ୟୁସେକ ଜଳ ପ୍ରବେଶ କରୁଛି। ଫଳରେ ଜଳସ୍ତର ବୃଦ୍ଧି ପାଇ ୬୦୪.୯୧ ଫୁଟରେ ପହଞ୍ଚିଛି। ଗତ ବର୍ଷ ଜୁଲାଇ ୨୩ ତାରିଖରେ ଗେଟ୍ ଖୋଲିଥିଲା।