March 13, 2025

ଧୀରେ ଧୀରେ ତାତି ବଢ଼ିବାରେ ଲାଗିଛି

1 min read

CREATOR: gd-jpeg v1.0 (using IJG JPEG v62), quality = 82

ଭୁବନେଶ୍ୱର: ସାରା ଓଡ଼ିଶାରେ ଏବେ ବଢ଼ି ଚାଲିଛି ଖରାର ପ୍ରକୋପ। ଧୀରେ ଧୀରେ ତାତି ବଢ଼ିବାରେ ଲାଗିଛି। ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି। ମଙ୍ଗଳବାର ୯ଟି ସହରର ତାପମାତ୍ରା ୩୭ ଡିଗ୍ରୀ ପାର୍ କରିବା ସହ ଝାରସୁଗୁଡ଼ାରେ ସର୍ବାଧିକ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେବେ ଆଗକୁ ତାପମାତ୍ରା ଆହୁରି ବଢ଼ିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ମଙ୍ଗଳବାର ବୌଦ୍ଧରେ ୩୮.୫ ଡିଗ୍ରୀ, ମାଲକାନଗିରିରେ ୩୮.୪ ଡିଗ୍ରୀ, ଅନୁଗୁଳରେ ୩୭.୯ ଡିଗ୍ରୀ, ସମ୍ବଲପୁରରେ ୩୭.୮ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୭.୮ ଡିଗ୍ରୀ, ବଲାଙ୍ଗିର ୩୭.୫ ଡିଗ୍ରୀ, ହୀରାକୁଦରେ ୩୭.୧ ଡିଗ୍ରୀ, ଟିଟଲାଗଡ଼ ୩୭ ଡିଗ୍ରୀତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରର ତାପମାତ୍ରା ୩୬.୪ ଡିଗ୍ରୀ ରହିଥିବାବେଳେ କଟକରେ ଦିନ ତାପମାତ୍ରା ୩୪.୬ ଡିଗ୍ରୀ ଛୁଇଁଥିଲା।

ଏବେ ରାଜ୍ୟରେ ଆକାଶ ମେଘମୁକ୍ତ ରହୁଥିବାରୁ ଖରା ବଢ଼ି ଚାଲିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ଅଧିକ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି।

ମାର୍ଚ୍ଚରେ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ ସ୍ଥିତି ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ମେ’ ତଥା ଜୁନ୍ ମାସ ଯାଏଁ ସ୍ଵାଭାବିକଠାରୁ ଅଧିକ ତାପମାତ୍ରା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।