October 18, 2024

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ୬ ସପ୍ତାହ ପରେ ପୁଣି ଖୋଲିଛି

1 min read

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ୬ ସପ୍ତାହ ପରେ ପୁଣି ଖୋଲିଛି। ସୋମବାର ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥର କେବଳ ଅନଲାଇନରେ ପଞ୍ଜୀକରଣ କରିଥିବା ଲୋକମାନେ ହିଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିବେ। ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ। ଏନେଇ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ପ୍ରବଳ ଭିଡ଼ ଲାଗିଛି।

ଏଥର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ନିକଟସ୍ଥ ସରକାରୀ ବାସଗୃହରେ ଅଭିଯୋଗ ଶୁଣାଣି ପାଇଁ ବ୍ୟବସ୍ଥା କରାଯାଇଛି। ଏନେଇ ଲୋକମାନଙ୍କୁ ପୂର୍ବରୁ ସୂଚନା ଦିଆଯାଇଥିଲା।

ଅନ୍ୟପଟେ ପଞ୍ଜୀକରଣ କରିନଥିବା ବ୍ୟକ୍ତିମାନେ ଅଭିଯୋଗ ପ୍ରକୋଷ୍ଠରେ ଖୋଲାଯାଇଥିବା କାଉଣ୍ଟରରେ ପଞ୍ଜୀକରଣ କରାଇପାରିବେ। ତେବେ ସେମାନେ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିବେ।

ପ୍ରାୟ ୧୬ ବର୍ଷର ବ୍ୟବଧାନ ପରେ ଜୁଲାଇ ୧ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗର ଶୁଣାଣି ଆରମ୍ଭ ହୋଇଥିଲା। ପ୍ରତି ସୋମବାର ଲୋକଙ୍କ ସମସ୍ୟା ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ। ହେଲେ ଅଗଷ୍ଟ ୫ ତାରିଖରେ ଶେଷ ଥର ପାଇଁ ଅଭିଯୋଗ ଶୁଣାଣି ହୋଇଥିଲା। ୬ ସପ୍ତାହ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା।

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୋଟ ୩୦୦୦ରୁ ଅଧିକ ଅଭିଯୋଗ ପଞ୍ଜୀକୃତ ହୋଇଛି। ଏବେ ଓଡ଼ିଶାରେ ରାଜଧାନୀ ଭୁବନେଶ୍ଵର ସହିତ ଆରଡିସି ସ୍ତରରେ ମଧ୍ୟ ଲୋକଙ୍କ ଅଭିଯୋଗର ସମାଧାନ ପାଇଁ ଯୋଜନା କରାଯାଉଛି।

Leave a Reply

Your email address will not be published. Required fields are marked *