September 7, 2024

ସେପ୍ଟେମ୍ବର୧୩ ପର୍ଯ୍ୟନ୍ତ ଚାଲିବ ବିଧାନସଭା ଅଧିବେଶନ

1 min read

ଭୁବନେଶ୍ୱର : ସୋମବାରଠାରୁ ଆରମ୍ଭ ହେଲାସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ଅଧିବେଶନ ପୂର୍ବରୁ ଗୃହରେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ରଘୁବର ଦାସ | ଏହାପରେ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇ ଗୃହକୁ ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବୀ ରଖାଯିବ | ୧୭ ତମ ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ସେ‌ପ୍ଟେମ୍ବର ୧୩ତାରିଖ ପର୍ଯ୍ୟନ୍ତ ଚାଲିବ। ବିଧାନସଭାରେ ଗୃହ କାର୍ଯ୍ୟ ଯେପରି ସୁରୁଖୁରୁରେ ଚାଲିବ ସେନେଇ ବାଚସ୍ପତି ସୁରମା ପାଢ଼ୀ ଆଜି ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିରେ ସମସ୍ତ ବିଧାୟକଙ୍କ ସହଯୋଗ ଲୋଡ଼ିଛନ୍ତି। ରାଜ୍ୟରେ ବିଜେପି ଏକାକୀ ସରକାର ଗଢ଼ିବା ପରେ ଏହା ହେବ ବିଧାନସଭାର ପ୍ରଥମ ଅଧିବେଶନ। ସୁରମା ପାଢ଼ୀ ବି ବାଚସ୍ପତି ଭାବେ ପ୍ରଥମ ଥର ପାଇଁ କାର୍ଯ୍ୟ କରିବେ। ତେଣୁ ଗୃହ ପରିଚାଳନା କିପରି ସୁରୁଖୁରୁରେ ହେବ ସେନେଇ ବାଚସ୍ପତି ବିରୋଧୀ ଦଳର ସହଯୋଗ ଲୋଡ଼ିଛନ୍ତି। ୨୩ ତାରିଖରେ ଉପବାଚସ୍ପତି ନିର୍ବାଚନ ପାଇଁ ଘୋଷଣା ହେବ ଓ ୨୪ ତାରିଖରେ ଭୋଟ ଗ୍ରହଣ କରାଯିବ । ୨୫ ତାରିଖରେ ଅର୍ଥମନ୍ତ୍ରୀ ଭାବେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଜେଡି ବିଧାୟକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ମାତ୍ର ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କରିଛନ୍ତି ବିରୋଧୀ ଦଳ ସଦସ୍ୟ। ରାଜ୍ୟପାଳଙ୍କ ଅଭିଭାଷଣ ଜାରି ରହିଥିବା ବେଳେ ବିରୋଧୀମାନେ ତାହାକୁ ବର୍ଜନ କରି କକ୍ଷ ତ୍ୟାଗ କରିଛନ୍ତି। ବିରୋଧୀ ବିଜେଡି ଏବଂ କଂଗ୍ରେସ ସଦସ୍ୟମାନେ ଗୃହରୁ ଚାଲିଯାଇଥିଲେ। ତେବେ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ଡକାଯାଇଥିଲେ ହେଁ ବୈଠକ ଆରମ୍ଭ ହେବା ପର୍ଯ୍ୟନ୍ତ ବିଧାୟକ ଦଳ ନେତା ବଛା ହୋଇନଥିବାରୁ କଂଗ୍ରେସ ତରଫରୁ ଏହି ବୈଠକରେ କେହି ଯୋଗଦେଇନଥିଲେ। ସିପିଆଇ(ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ବୈଠକକୁ ଡକାଯାଇଥିଲେ ବି ସେ ଯୋଗଦେଇନାହାନ୍ତି।

ସେହିଭଳି ଆଜିଠୁ ସଂସଦର ବଜେଟ ଅଧିବେଶନ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଯାହା ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ମୋଟ ୧୬ ଟି କାର୍ଯ୍ୟଦିବସ ରହିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ ମଧ୍ୟ ଉପସ୍ଥାପନା କରିବେ । ଆସନ୍ତାକାଲି ୨୦୨୪-୨୦୨୫ ବର୍ଷ ପାଇଁ ଚଳିତବର୍ଷର ସାଧାରଣ ବଜେଟ ଆଗତ ହେବ ।

Leave a Reply

Your email address will not be published. Required fields are marked *