September 8, 2024

ଉତ୍ତର ଭୁବନେଶ୍ବରକୁ ନେଇ ସୁଶାନ୍ତ ରାଉତଙ୍କ ପ୍ରତିଜ୍ଞା

1 min read

ଭୁବନେଶ୍ବର : ୨୦୧୯ରେ ଉତ୍ତର ଭୁବନେଶ୍ବରରୁ ବିଜେଡି ପ୍ରାର୍ଥୀ ହୋଇଥିଲେ ସୁଶାନ୍ତ କୁମାର ରାଉତ। ପ୍ରଥମ ଥରରେ ଅଞ୍ଚଳବାସୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରିବା ସହ ବିପୁଳ ଭୋଟ ଅଜାଡ଼ି ଦେଇଥିଲେ। ସୁଶାନ୍ତ ମଧ୍ୟ ଲୋକଙ୍କୁ ନିରାଶ କରିନାହାନ୍ତି। ଜଣେ ଯୁବ ବିଧାୟକ ଭାବେ ନିର୍ବାଚନମଣ୍ଡଳୀର ଉନ୍ନତିକରଣ ସହ ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ଭଳି ଗୁରୁ ଦାୟିତ୍ବ ତୁଲାଉଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଉପରେ ଭରସା କରି ୨୦୧୯ରେ ଅଞ୍ଚଳବାସୀଙ୍କ ସେବା କରିବାକୁ ସୁଯୋଗ ଦେଇଥିଲେ। କିଭଳି ବିକାଶ ହୋଇଛି ତାହା ସମସ୍ତେ ଦେଖିଛନ୍ତି। ବସ୍ତିବାସିନ୍ଦାଙ୍କ ଥଇଥାନ କଥା ହେଉ ଅଥବା କଲୋନିକୁ ପକ୍କା ରାସ୍ତା। ଅଥବା ପାଞ୍ଚ ପଞ୍ଚାୟତର ବିକାଶ। ସବୁବେଳେ ଲୋକଙ୍କ ଆଶା, ଆକାକ୍ଷାଂ ଓ ବିଶ୍ବାସକୁ ପାଥେୟ କରି ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି। ଏଥରକ ମଧ୍ୟ ବିକାଶ ହିଁ ମୋର ପ୍ରମୁଖ ପ୍ରସଙ୍ଗ।
ପୂର୍ବ ବିଧାୟକମାନଙ୍କ ସମୟରେ ଅବହେଳିତ ଥିବା ଏହି ନିର୍ବାଚନ ମଣ୍ଡଳୀ ରାଜ୍ୟରେ ଏକ ନମ୍ବର ହେବାକୁ ଯାଉଛି। ପ୍ରତି ଗାଁ, ସାହି, କଲୋନିକୁ ରାସ୍ତା ଓ ବିଜୁଳି ସଂଯୋଗ ହୋଇଛି। ରାଜ୍ୟର ମେଡିକାଲ ହବ୍ ପାଲଟିଛି। ଦୁଇ ଦଶନ୍ଧି ଧରି କାଗଜ କଲମରେ ଅଟକି ରହିଥିବା ମା’ ଶିଖରଚଣ୍ଡୀ ମନ୍ଦିରର ବିକାଶ ତ୍ବରାନ୍ବିତ ହୋଇଛି। ମେଟ୍ରୋ ରେଳ ପ୍ରକଳ୍ପ କାମ ଚାଲିଛି। ନୀଳାଦ୍ରିବିହାରଠାରେ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍ ଓ ସୁଇମିଂ ପୁଲ୍ କରାଯାଇଛି। ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷ୍ୟରେ ୨୬୭ କୋଟି ଟଙ୍କା ବ୍ୟୟରେ ୩୦ ମିଲିୟନ ଲିଟର ପ୍ରକଳ୍ପ କାମ ଆଗେଇଛି। ପ୍ରତାପନଗରୀଠାରେ ଅଟକି ରହିଥିବା ବ୍ରିଜ୍‌ କାର୍ଯ୍ୟ ୨୦୨୨-୨୩ରେ ଶେଷ ହୋଇଥିଲା। କଳାମଣ୍ଡଳର କଳେବର ବୃଦ୍ଧି ହେଉ କି ମୋ ବସ୍ ଟର୍ମିନାଲ, ନିର୍ବାଚନମଣ୍ଡଳୀ ବିକାଶର ଗୋଟିଏ ଗୋଟିଏ ମାଇଲଖୁଣ୍ଟ।
ଓଡ଼ିଶାର ବଡ଼ ବସ୍ତି ସାଲିଆସାହି ମୋ ନିର୍ବାଚନମଣ୍ଡଳୀରେ। ଏହାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ସ୍ବପ୍ନ ଦେଖିବା ସହ ପୂରଣ କରିଛନ୍ତି। ନିର୍ବାଚନମଣ୍ଡଳୀର ସବୁ ବସ୍ତି ଓ କଲୋନିକୁ ପକ୍କା ରାସ୍ତା ସହ ଲାଇଟ୍, ଡ୍ରେନ୍, ସ୍ବେରେଜ୍ ସଂଯୋଗ ହୋଇଛି। ବୁଦ୍ଧବିହାର ଓ ନୀଳମାଧବ ଆବାସରେ ପ୍ରାୟ ୩ହଜାର ପରିବାରକୁ ଥଇଥାନ କରାଯାଇଛି। ଅନ୍ୟମାନଙ୍କ ମୁଣ୍ଡକୁ ଛାତ ଘର ଦେବାକୁ ମୁଁ ପ୍ରତିଶ୍ରୁତିବଦ୍ଧ। ଜମି ପଟ୍ଟା ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଯାଇଛି।

ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସବୁ ଗାଁରେ ବିକାଶ ହୋଇଛି। ଶିଙ୍ଗଡା-କୃଷ୍ଣସରଣପୁରରୁ ହାଇଟେକ୍ ଗଡ଼ା, ମରିଚିଆ ଘେରିବନ୍ଧ ରାସ୍ତା, ଜରିପାଟଣାରୁ ବରିମୁଣ୍ଡ ମଲ୍ଲିକ ସାହି ପର୍ଯ୍ୟନ୍ତ ରାସ୍ତା, କେନ୍ଦୁପାଟଣା କଲେଜ ଛକରୁ ଦାଢ଼ାପାଟଣା ରାସ୍ତା ଓ ଡ୍ରେନ୍, ମରିଚିଆ-ଝିଙ୍କରଢ଼ିହି ରାସ୍ତା ସମ୍ପ୍ରସାରଣ ହୋଇଛି। ପଞ୍ଚାୟତରେ ଏକ ମେଡିକାଲ ପ୍ରତିଷ୍ଠା କରିବାକୁ ଗତକାଲି ଶ୍ରୀଯୁକ୍ତ କାର୍ତ୍ତିକ ପାଣ୍ଡିଆନ ପ୍ରତିଶ୍ରୁତି ଦେଇ ଯାଇଛନ୍ତି। କୁଆଖାଇରେ ୧୨୭.୩୨ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ବ୍ୟାରେଜ୍ ନିର୍ମାଣ ଚାଲିଛି। ପଟିଆରୁ ଜରିପାଟଣା ରାସ୍ତାର ସମ୍ପ୍ରସାରଣ ସହ ସିଧାସଳଖ ହଂସପାଳକୁ ସଂଯୋଗ ପାଇଁ କୁଆଖାଇ ନଦୀ ଉପରେ ଆଉ ଏକ ବ୍ରିଜ୍ ନିର୍ମାଣ ହେବ।

ମୋ ନିର୍ବାଚନମଣ୍ଡଳୀ ଲୋକଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, ସ୍ବଚ୍ଛତା ପରି ମୌଳିକ ସୁବିଧା ଯୋଗାଇବାକୁ ସର୍ବଦା ଉଦ୍ୟମରତ। ଦୟାୱେଷ୍ଟ କେନାଲର ପୁନରୁଦ୍ଧାର ପାଇଁ ସର୍ଭେ ସରିଛି ଏବଂ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ। ତିନୋଟି ରେଳ ଓଭରବ୍ରିଜ୍ କାମ କିଭଳି ଶୀଘ୍ର ସରିବ ସେନେଇ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିବି। ଭୁବନେଶ୍ବର ନୂଆ ରେଳ ଷ୍ଟେସନକୁ ପୂର୍ଣ୍ଣାଙ୍ଗରୂପ ଦେବା ସହ ନନ୍ଦନକାନନକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ଦିଗରେ ପ୍ରୟାସ ଜାରି ରହିବ। ବିକାଶ ଏକ ନିରନ୍ତର ପ୍ରକ୍ରିୟା ହୋଇଥିବାରୁ ତାହା ଚାଲିଛି… ଆଗକୁ ଚାଲିବ।

Leave a Reply

Your email address will not be published. Required fields are marked *