April 19, 2025

ୱାକଫ୍ (ସଂଶୋଧନ) ଆଇନ ୨୦୨୫ର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ଦାୟର କରାଯାଇଥିବା ଏକାଧିକ ପିଟିସନ ଉପରେ ବୁଧବାର ସୁପ୍ରିମକୋର୍ଟ ଶୁଣାଣି

1 min read

Supreme court | Shutterstock images

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ୱାକଫ୍ (ସଂଶୋଧନ) ଆଇନ ୨୦୨୫ର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ଦାୟର କରାଯାଇଥିବା ଏକାଧିକ ପିଟିସନ ଉପରେ ବୁଧବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା, ବିଚାରପତି ସଞ୍ଜୟ କୁମାର ଓ କେ ଭି ବିଶ୍ବନାଥନଙ୍କୁ ନେଇ ଗଠିତ ପୀଠ ଏକକାଳୀନ ୭୩ଟି ଆବେଦନ ଉପରେ ଶୁଣାଣି କରି ଏକାଧିକ ପ୍ରଶ୍ନ ଉପରେ ସ୍ପଷ୍ଟତା ଲୋଡ଼ି କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ମାତ୍ର ପୀଠ ଆଇନର କାର୍ଯ୍ୟକାରିତା ଉପରେ ତୁରନ୍ତ ରହିତାଦେଶ ଦେବାକୁ ମନା କରିଛନ୍ତି। ଶୁଣାଣି ସମୟରେ କେନ୍ଦ୍ର ଓ ରାଜ୍ୟ ୱାକଫ୍ ବୋର୍ଡର ଗଠନ ପ୍ରଣାଳୀକୁ ନେଇ ଆଇନରେ ରହିଥିବା ବ୍ୟବସ୍ଥା ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ପୀଠ ପ୍ରଶ୍ନ କରିଛନ୍ତି ଯେ, ୱାକଫ୍‌ ବୋର୍ଡରେ ଯଦି ଅଣ ମୁସଲମାନଙ୍କୁ ସଦସ୍ୟ ରଖାଯିବ ତେବେ ହିନ୍ଦୁ ଧାର୍ମିକ ଟ୍ରଷ୍ଟ ବୋର୍ଡରେ ମୁସଲମାନଙ୍କୁ ସଦସ୍ୟ ରଖାଯିବ କି ? ନୂଆ ୱାକଫ୍ ଆଇନ ଅନୁଯାୟୀ ୱାକଫ୍ ବୋର୍ଡରେ ଅଣ ମୁସଲମାନଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯିବା ବ୍ୟବସ୍ଥା କରାଯାଇଛି। ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ରୀୟ ୱାକଫ୍‌ କାଉନସିଲ୍‌ରେ ୨ଜଣ ଅଣମୁସଲମାନ ସଦସ୍ୟ ରହିବେ। ସେହିପରି ରାଜ୍ୟ ୱାକଫ୍‌ ବୋର୍ଡର ୧୧ଜଣ ସଦସ୍ୟଙ୍କ ମଧ୍ୟରୁ ୨ଜଣ ଅଣମୁସଲମାନ ରହିବେ। ଅଦାଲତ କହିଛନ୍ତି ଯେ, ବୋର୍ଡରେ ଧାର୍ମିକ ଆଧାରରୁ ଊର୍ଦ୍ଧ୍ବରେ ଯେ କୌଣସି ବ୍ୟକ୍ତିଙ୍କୁ ଏକ୍ସ ଅଫିସିଓ ସଦସ୍ୟ ରଖାଯିବାରେ କୌଣସି ସମସ୍ୟା ନାହିଁ; ମାତ୍ର ଅନ୍ୟମାନେ ମୁସଲମାନ ସମ୍ପ୍ରଦାୟର ସଦସ୍ୟ ରହିବା କଥା। ଆଜି ଅପରାହ୍ଣରେ ୨ଟାରେ ଏହି ମାମଲାର ପୁନର୍ବାର ଶୁଣାଣି କରିବାକୁ ଅଦାଲତ ସମୟ ଧାର୍ଯ୍ୟ କରିଛନ୍ତି। ଗତକାଲି ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯେଉଁସବୁ ସମ୍ପତ୍ତି ୱାକଫ୍‌ ବୋର୍ଡର ଦଖଲରେ ରହିଛି ତାକୁ ଉଚ୍ଛେଦ କରାଯାଇପାରିବ ନାହିଁ। କାରଣ ୧୪ଶ ଓ ୧୬ଶ ଶତାବ୍ଦୀରେ ନିର୍ମିତ ଅନେକ ମସ୍‌ଜିଦ ଏବେ ୱାକଫ୍ ବୋର୍ଡ ଅଧୀନରେ ରହିଛି। ଏହି ସବୁ ସମ୍ପତ୍ତିର କୌଣସି ବିକ୍ରି ପତ୍ର(ସେଲ୍‌ ଡିଡ୍‌) ନାହିଁ। ତେଣୁ ସେଲ୍‌ ଡିଡ୍‌ ନଥିବା କାରଣରୁ ଏହି ସମ୍ପତ୍ତିକୁ ୱାକଫ୍ ବୋର୍ଡ ଅଧୀନରୁ ପ୍ରତ୍ୟାହାର କରାଯାଇପାରିବ ନାହିଁ ବୋଲି ପୀଠ ମତ ପ୍ରକାଶ କରିଛନ୍ତି। ଯଦି ଏହା ହୁଏ ‌ତେବେ ଜଟିଳ ପରିସ୍ଥିତି ସୃଷ୍ଟି ହେବା ଅଦାଲତ ଆଶଙ୍କା କରିଛନ୍ତି। ଯଦିଓ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ କୌଣସି ମଧ୍ୟବର୍ତ୍ତୀକାଳୀନ ନିର୍ଦେଶ ଦେଇ ନାହାନ୍ତି, ତଥାପି ଆସନ୍ତାକାଲିର ଶୁଣାଣି ଗୁରୁତ୍ବପୂର୍ଣ୍ଣ ବୋଲି ସାମ୍ବିଧାନିକ ବିଶେଷଜ୍ଞଙ୍କ ପକ୍ଷରୁ କୁହାଯାଉଛି। ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ ୱାକଫ୍ ବୋର୍ଡର ସମସ୍ତ ସଦସ୍ୟ ମୁସଲମାନ ରହିବେ। କେବଳ ଏକ୍ସ ଅଫିସିଓ ସଦସ୍ୟ ଅଣମୁଲମାନ ସମ୍ପ୍ରଦାୟରୁ ରହିପାରିବେ। ୱାକଫ୍ ଆଇନର ବୈଧତାକୁ ଚାଲେଞ୍ଜ କରି ୭୩ଟି ପିଟିସନ ଦାୟର କରାଯାଇଛି। ଆଜିର ଶୁଣାଣି ସମୟରେ ସୁପ୍ରିମକୋର୍ଟ ୱାକଫ୍ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗରେ ଘଟିଥିବା ହିଂସାକୁ ନେଇ ବ୍ୟଥିତ ବୋଲି କହିଛନ୍ତି। ପ୍ରଧାନ ବିଚାରପତି କହିଥିଲେ ଯେ ଏହି ପ୍ରସଙ୍ଗକୁ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିବା ପରେ ଏହାକୁ ନେଇ କୌଣସି ପ୍ରକାର ହିଂସା ଦେଶରେ ଘଟିବା ଉଚିତ୍ ନୁହେଁ।