ଆଇପିଏଲ୍ ମହାସମର ଆଜି ସନରାଇଜର୍ସ ହାଇଦ୍ରାବାଦ-ଗୁଜରାଟ ଟାଇଟାନ୍ସ ଟକ୍କର
1 min readହାଇଦ୍ରାବାଦ: ଆଇପିଏଲ୍ ମହାସମର। ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡ଼ିୟମରେ ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମ୍ୟାଚ ଖେଳାଯିବ। ଉକ୍ତ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଗୁରୁତ୍ବପୂର୍ଣ୍ଣ। ପ୍ଲେ ଅଫ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ସନରାଇଜର୍ସକୁ ଉକ୍ତ ମ୍ୟାଚ କୌଣସି ମତେ ଜିତିବାକୁ ପଡ଼ିବ। ସନରାଇଜର୍ସ ହାଇଦ୍ରାବାଦ ୧୨ଟି ମ୍ୟାଚରୁ ୭ଟି ବିଜୟ ଓ ୫ଟି ପରାଜୟ ସହ ୧୪ ପଏଣ୍ଟ ପାଇଛି। ଦଳ ଉକ୍ତ ମ୍ୟାଚକୁ ଜିତି ପ୍ଲେ ଅଫ ଦୌଡ଼ ନିଶ୍ଚିତ କରିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ଗୁଜରାଟ ଟାଇଟାନ୍ସ ୧୩ଟି ମ୍ୟାଚରୁ ୫ଟି ବିଜୟ, ୭ଟି ପରାଜୟ ଓ ଗୋଟିଏ ବାତିଲ ସହ ୧୧ ପଏଣ୍ଟ ପାଇ ପ୍ଲେ ଅଫ ଦୌଡ଼ରୁ ବାଦ୍ ପଡ଼ିଛି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଚରଣ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ୭ ୱିକେଟରେ ସନରାଇଜର୍ସକୁ ପରାସ୍ତ କରିଥିଲା। ସନରାଇଜର୍ସ ପରାଜୟର ପ୍ରତିଶୋଧ ଲକ୍ଷ୍ୟ ନେଇ ଖେଳିବ। ସନରାଇଜର୍ସ ବ୍ୟାଟିଂରେ ବେଶ ଶକ୍ତିଶାଳୀ। ଦୁଇ ଓପନର ଟ୍ରେଭିସ ହେଡ୍ ଓ ଅଭିଷେକ ଶର୍ମା ଚମତ୍କାର ଫର୍ମରେ ରହିଛନ୍ତି। ହେଡ୍ ୫୩୩ ଓ ଅଭିଷେକ ୪୦୧ରନ କରିଛନ୍ତି। ହେନରିଚ କ୍ଲାସେନ ୩୩୯, ନିତିଶ କୁମାର ରେଡ୍ଡି ୨୩୯, ଆଇଡାନ ମାର୍କରାମ ୧୯୯ ରନ କରିଛନ୍ତି। ବୋଲିଂ ବିଭାଗରେ ଟି ନଟରାଜନ, ପ୍ୟାଟ୍ କମିନ୍ସ, ମାର୍କୋ ୟାନସେନ ଓ ଭୁବନେଶ୍ବର କୁମାର ଓ ଅବଦୁଲ ସାମଦ ପ୍ରମୁଖ ରହିଛନ୍ତି। କମିନ୍ସ, ଭୁବନେଶ୍ବର କୁମାର ଦ୍ରୁତ ବୋଲିଂ ବିଭାଗରେ ଭଲ ପ୍ରଦର୍ଶନ କରୁଛନ୍ତି। ଦଳ ଶେ ମ୍ୟାଚରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସକୁ ୧୦ ୱିକେଟରେ ପରାସ୍ତ କରିଥିଲା। ଲକ୍ଷ୍ନୌ ପକ୍ଷରୁ ଧାର୍ଯ୍ୟ ୧୬୬ରନ ଲକ୍ଷ୍ୟକୁ ସନରାଇଜର୍ସ ୯.୪ ଓଭରରେ ସଂଗ୍ରହ କରିନେଇଥିଲା । ଦଳ ଉକ୍ତ ପ୍ରଦର୍ଶନକୁ ବଜାୟ ରଖିବା ସହ ବିଜୟ ନେଇ ନିଶ୍ଚିତ ଉଦ୍ୟମ କରିବ।