March 23, 2025

ସୁନୀତା ୱିଲିୟମ୍ସ ଓ ବୁଚ୍‌ ୱିଲ୍‌ମୋର ବୁଧବାର ଭାରତୀୟ ସମୟ ଭୋର ୩ଟା ୨୭ ମିନିଟ୍‌ରେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି

1 min read

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୯ ମାସରୁ ଅଧିକ ସମୟ ଧରି ଫସି ରହିଥିବା ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍‌ ୱିଲ୍‌ମୋର ବୁଧବାର ଭାରତୀୟ ସମୟ ଭୋର ୩ଟା ୨୭ ମିନିଟ୍‌ରେ ଫ୍ଲୋରିଡା ନିକଟ ସମୁଦ୍ରରେ ସୁରକ୍ଷିତ ଭାବେ ଅବତରଣ କରିଛନ୍ତି। ସେମାନଙ୍କ ସହିତ ଆଉ ଦୁଇ ମହାକାଶଚାରୀ ନିକ୍‌ ହେଗ୍‌ ଓ ଆଲେକଜାଣ୍ଡର ଗ୍ରିବୟୋଙ୍କି ମଧ୍ୟ ପୃଥିବୀକୁ ‌ଫେରିଛନ୍ତି। ସେମାନଙ୍କର ଅବତରଣ ବେଳର ଦୃଶ୍ୟ ବିଜ୍ଞାନପ୍ରେମୀଙ୍କ ମଧ୍ୟରେ ରୋମାଞ୍ଚ ସୃଷ୍ଟି କରିଛି। ଏଥିସହିତ ମହାକାଶଚାରୀଙ୍କୁ ସୁରକ୍ଷିତ ଅବତରଣକୁ ନେଇ ରହିଥିବା କଳ୍ପନାଜଳ୍ପନା ଓ ଆଶଙ୍କାର ଅବସାନ ଘଟିଛି।
ସ୍ପେସ୍‌ଏକ୍ସର ଡ୍ରାଗନ୍‌ କ୍ୟାପ୍‌ସୁଲ ଜଳଭାଗରେ ଆକାଶଛତା ଜରିଆରେ ବେଗକୁ ନିୟନ୍ତ୍ରଣ କରି ଓହ୍ଲାଇବା ବେଳର ବିରଳ ମୁହୂର୍ତ୍ତକୁ ଦେଖିବା ପରେ ଲୋକମାନେ ଆନନ୍ଦରେ ନାଚି ଉଠିଥିଲେ। ଡ୍ରାଗନ୍‌ କ୍ୟାପ୍‌ସୁଲ ସମୁଦ୍ରରେ ଓହ୍ଲାଇବାର କିଛି ସମୟ ଯାଏ ତାହା ଭାସିଥିଲା। ‌ସେହି ସମୟ ମଧ୍ୟରେ ସମୁଦ୍ରରେ ପୂର୍ବରୁ ମୁତୟନ ଥିବା ଜାହାଜ କ୍ୟାପ୍‌ସୁଲକୁ ଟାଣି ଟାଣି କିଛି ବାଟ ଆଣିଥିଲା। ଏହା ପରେ ଜାହାଜରେ ଥିବା ଦୁଇଟି ଲିଫ୍ଟ ଜରିଆରେ କ୍ୟାପ୍‌ସୁଲକୁ ଜାହାଜର ଉପରଭାଗକୁ ନିଆଯାଇଥିଲା। ଅଧଘଣ୍ଟା ପରେ କ୍ୟାପ୍‌ସୁଲର ଦ୍ବାରକୁ ସ୍ପେସ୍‌ଏକ୍ସର କର୍ମଚାରୀମାନେ ଖୋଲି ମହାକାଶଚାରୀମାନଙ୍କ ଫଟୋ ଉତ୍ତୋଳନ କରିବା ସହିତ ସେମାନେ ସୁରକ୍ଷିତ ବାହାରିବାର ବ୍ୟବସ୍ଥା କରିଥିଲେ। ଏହା ପରେ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଜଣଙ୍କ ପରେ ଜଣେ ମହାକାଶଚାରୀଙ୍କୁ ସ୍ପେସଏକ୍ସର କର୍ମଚାରୀମାନେ ମେଡିକାଲ୍‌ ଷ୍ଟ୍ରେଚର୍‌ ଜରିଆରେ ବାହାର କରିଥିଲେ। ମହାକାଶଚାରୀମାନେ ଏହି ସମୟରେ ଲୋକଙ୍କୁ ହାତ ହଲାଇ ଅଭିନନ୍ଦନ ଜଣାଇଥିଲେ।

ଫ୍ଲୋରିଡାରେ ଡ୍ରାଗନ୍‌ କ୍ୟାପସୁଲ ଜଳାବତରଣ କରିବା ‌ପରେ ଜାହାଜରୁ ମହାକାଶଚାରୀମାନଙ୍କୁ ଏକ ହେଲିକପ୍ଟର ଦ୍ବାରା ସ୍ଥଳଭାଗ ଆଡ଼କୁ ନିଆଯାଇଥିଲା। ଏହା ପରେ ସେଠା‌ରୁ ସେମାନେ ‘ନାସା’ର ଗଲ୍‌ଫଷ୍ଟ୍ରିମ ଜେଟ୍‌ ଜରିଆରେ ହ୍ୟୁଷ୍ଟନ୍‌ସ୍ଥିତ ଏଲିଙ୍ଗଟନ୍ ଫିଲ୍‌ଡକୁ ଯାଇଥିଲେ। ସେଠାରେ ସ୍ଥାନୀୟ ସମୟ ରାତି ୧୧ଟା ୧୯ରେ (ଭାରତୀୟ ସମୟ ବୁଧବାର ସକାଳ ୯ଟା ୪୯)ରେ ପହଞ୍ଚିବା ପରେ ସେମାନଙ୍କୁ ନାସାର ଅନ୍ୟ କ୍ରୁ ସଦସ୍ୟ, ମହାକାଶଚାରୀ, ଅଧିକାରୀ ଏବଂ ପରିବାର ସଦସ୍ୟମାନେ ଅଭିନନ୍ଦନ ଜଣାଇଥିଲେ। ହ୍ୟୁଷ୍ଟନ୍‌ର ଏଲିଙ୍ଗଟନ୍‌ ଫିଲ୍‌ଡ ହେଉଛି ନାସା (ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେସନ)ର ବିମାନ ଚଳାଚଳ ଘାଟି। ଯାହା ଜନ୍‌ସନ୍‌ ମହାକାଶ କେନ୍ଦ୍ର ନିକଟରେ ଅବସ୍ଥିତ।

ମହାକାଶରେ ୨୮୬ ଦିନ ବିତାଇଥିବାରୁ ‌ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସହିତ ଖାପ ଖୁଆଇବା ପାଇଁ ମହାକାଶଚାରୀମାନଙ୍କୁ ୪୫ ଦିନ ଚିକିତ୍ସକମାନଙ୍କ ସ୍ବତନ୍ତ୍ର ନିରୀକ୍ଷଣରେ ରଖାଯିବ। ‘ନାସା’ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଗୁରୁତ୍ବର ସହ ନିରୀକ୍ଷଣ କରୁଛି। ସେମାନଙ୍କ ଶରୀରର ଓଜନ ହ୍ରାସ ପାଇବା ସହ ମାଂସପେଶୀ ଦୁର୍ବଳ ହୋଇଯାଇଛି। ଏଥିଯୋଗୁ ସେମାନଙ୍କଠାରେ ଦୃଷ୍ଟିଶକ୍ତି ହ୍ରାସ, ମାଂସପେଶୀ ଓ ଅସ୍ଥି ଦୁର୍ବଳ ସହିତ ହୃଦ୍‌ଜନିତ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ଉଲ୍ଲେଖଯୋଗ୍ୟ, ଭାରତୀୟ ସମୟ ମଙ୍ଗଳବାର ପୂର୍ବାହ୍ଣ ୧୦ଟା ୩୫ରେ ଡ୍ରାଗନ୍‌ କ୍ୟାପ୍‌ସୁଲ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ପୃଥିବୀ ଅଭିମୁଖେ ବାହାରିଥିଲା। ୧୭ ଘଣ୍ଟା ଅନ୍ତରୀକ୍ଷରେ ଯାତ୍ରା କରିବା ପରେ ଡ୍ରାଗନ୍‌ କ୍ୟାପ୍‌ସୁଲ ଜଳାବତରଣ କରିଥିଲା।