March 11, 2025

ଓଡିଶାରେ ବିବାହ ବିଚ୍ଛେଦ ରୋକିବେ ରାଜ୍ୟ ସରକାର

1 min read

ଭୁବନେଶ୍ୱର : ସମ୍ପ୍ରତି ଦେଶରେ ବଢିଚାଲିଥିବା ବିବାହ ବିଚ୍ଛେଦ ମାମଲାକୁ ହ୍ରାସ କରିବା ପାଇଁ ସବୁ ରାଜ୍ୟରେ ପ୍ରାକ୍ ବିବାହ ପରାମର୍ଶ କେନ୍ଦ୍ର ଖୋଲିବ। ଏହା ବିବାହ ପୂର୍ବରୁ ଯୁବକ ଯୁବତୀଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ ଓ ପରାମର୍ଶ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ପରାମର୍ଶ କେନ୍ଦ୍ର ମାଧ୍ୟମରେ ବିବାହ ପୂର୍ବରୁ ସାଂସାରିକ ଜୀବନ ସମ୍ବନ୍ଧରେ ଉପଯୁକ୍ତ ପରାମର୍ଶ ମିଳିଲେ ବିବାହ ବିଚ୍ଛେଦ ହାର ନିଶ୍ଚୟ କମିବ ଏବଂ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ। ଆସନ୍ତା ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଓଡ଼ିଶା ସମେତ ସମଗ୍ର ଦେଶର ବିଭିନ୍ନ ସ୍ଥାନରେ ଏଭଳି ପରାମର୍ଶ କେନ୍ଦ୍ର ଖୋଲାଯିବା ଯୋଜନା ରହିଛି। ଏଥିସହିତ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଗ୍ରାମସଭାର ମଧ୍ୟ ଆୟୋଜନ କରାଯିବ ବୋଲି ସ୍ଥିର ହୋଇଛି। ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର ମଙ୍ଗଳବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସମୟରେ ଏଭଳି ପ୍ରସ୍ତାବ ଉପରେ ଆଲୋଚନା କରିଛନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏଥିରେ ସମ୍ମତି ପ୍ରଦାନ କରି ଏଥିପାଇଁ ସମସ୍ତ ସହଯୋଗ କରାଯିବ ବୋଲି କହିଛନ୍ତି। ଏଥିସହିତ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଗ୍ରାମସଭା, ବାଲ୍ୟ ବିବାହ ଏବଂ ମହିଳା ହିଂସାକୁ ରୋକିବା, କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ମହିଳା କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସର୍ବବୃହତ ଯୋଜନା ‘ସୁଭଦ୍ରା’ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅବଗତ ହୋଇ ଅଧ୍ୟକ୍ଷା ଖୁସିବ୍ୟକ୍ତ କରିଥିଲେ। ଏଥିସହିତ ଓଡ଼ିଶାରେ ମହିଳା ଉଦ୍ୟୋଗୀ ଓ ମହିଳା ଚାଷୀଙ୍କ ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ। ସେହିପରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର କହିଛନ୍ତି ଯେ, ଓଡ଼ିଶାରେ ପ୍ରିମ୍ୟାରିଟାଲ ମେଣ୍ଟାଲ ହେଲ୍‌ଥ ଆଣ୍ଡ କାଉନସେଲିଂ ସେଣ୍ଟର ଖୋଲିବ। ଭାରତରେ ଯୌଥ ପରିବାର ପଦ୍ଧତି ଥିଲା। ଏବେ କିନ୍ତୁ ଏହା ହ୍ରାସ ପାଇବାରେ ଲାଗିଛି। ପରିବାରିକ ଛୋଟମୋଟ ଝଗଡ଼ା ମଧ୍ୟ ସିଧା ଥାନା, ଆୟୋଗ ଓ ଅଦାଲତକୁ ଯାଉଛି। ଯେଉଁଥିପାଇଁ ବିଭିନ୍ନ ସଂସ୍ଥା ଉପରେ ଚାପ ବଢ଼ିଛି। ଏହା ମଧ୍ୟ ଚିନ୍ତାର ବିଷୟ। ପିଲାଙ୍କ ବିବାହ ପରେ ସେମାନଙ୍କ ଜୀବନରେ କ’ଣ ପରିବର୍ତ୍ତନ ହେବ ତାହା ଉପରେ ଘରେ କି ପରିବାରରେ ଚର୍ଚ୍ଚା ହେଉନି। ସେଥିପାଇଁ ପ୍ରାକ୍ ବିବାହ ପରାମର୍ଶ କେନ୍ଦ୍ର ଖୋଲାଯିବା ଗୁରୁତ୍ୱପୂର୍ଣ୍ଣ ବୋଲି ରାୟତକର କହିଛନ୍ତି। ମାର୍ଚ୍ଚ ୮ ମହିଳା ଦିବସରେ ଦେଶର ବିଭିନ୍ନ ସ୍ଥାନରେ ଏଭଳି କେନ୍ଦ୍ର ଆରମ୍ଭ ହେବ। ମାର୍ଚ୍ଚ ୮ରେ ଏଥିପାଇଁ ସ୍ବତନ୍ତ୍ର ମହିଳା ଗ୍ରାମସଭା ହେବ ବୋଲି ରାହତକର କହିଛନ୍ତି। ପୁଣେରେ ଏନେଇ ଜାତୀୟ ସ୍ତରୀୟ ଆଲୋଚନା ହୋଇଥିବା ଜାତୀୟ ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି। ସରକାର, ସ୍ବେଚ୍ଛାସେବୀ ସଂଗଠନ, ଉଦ୍ୟୋଗ କ୍ଷେତ୍ର ପକ୍ଷରୁ ଏଭଳି ସେଣ୍ଟର ଖୋଲିବାକୁ ଅନୁରୋଧ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ରାଜ୍ୟ ମହିଳା କମିଶନର ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀମତୀ ରାହତକର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।