September 7, 2024

ଶପଥ ଗ୍ରହଣ ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଶେଷ ପ୍ରସ୍ତୁତି କରାଯାଇଛି

1 min read

ଭୁବନେଶ୍ବର: ଶପଥ ଗ୍ରହଣ ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଶେଷ ପ୍ରସ୍ତୁତି କରାଯାଇଛି। ସମଗ୍ର ଭୁବନେଶ୍ବର ସମେତ ସଭାସ୍ଥଳ କିଭଳି ଓଡ଼ିଆ ଓଡ଼ିଆ ବାସିବ ଏବଂ ଓଡ଼ିଆ ଅସ୍ମିତାର ପ୍ରତିଫଳିତ ହେବ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ରାଜଭବନ ଛକରୁ ଜନତା ମଇଦାନ ପର୍ଯ୍ୟନ୍ତ ବିଭିନ୍ନ ଛକରେ ଓଡ଼ିଶୀ ନୃତ୍ୟ ପରିବେଷଣ ପୂର୍ବକ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରାଯିବ। ପ୍ରଥମେ ରାଜଭବନ ଛକ, ପରେ ପରେ ଶାସ୍ତ୍ରୀନଗର, କଳିଙ୍ଗ ଷ୍ଟାଡ଼ିୟମ୍‌ର ଗେଟ୍‌ ନମ୍ବର-୩, ପାଲ୍‌ହାଇଟ୍‌ସ୍‌ ଛକ, ସ୍ବସ୍ତି ପ୍ରିମିୟମ୍‌ ଅପରପକ୍ଷ ପ୍ରମୁଖରେ ନୃତ୍ୟ ପରିବେଷଣ କରାଯିବ। ସ୍ବସ୍ତି ପ୍ରିମିୟମ୍‌ ନିକଟରେ ଭାଗବତ ଟୁଙ୍ଗି ଓ ଓଡ଼ିଆଣୀଙ୍କ ମାଣବସା ଓଷାର ପରିବେଶ ସୃଷ୍ଟି କରାଯିବ। ଏଥିସହ ରାଜଧାନୀର କଳ୍ପନା ଛକ, ମାଷ୍ଟର କ୍ୟାଣ୍ଟିନ୍‌, ବରମୁଣ୍ଡା କାଳୀ ମନ୍ଦିର ନିକଟ ପ୍ରମୁଖ ସ୍ଥାନରେ ଓଡ଼ିଶୀ ନୃତ୍ୟ କରାଯିବ। ଜନତା ମଇଦାନର ମୁଖ୍ୟ ଫାଟକରେ କୋଣାର୍କ ଘୋଡ଼ା ଓ ଧଉଳି ହାତୀ ଶୋଭାପାଇ‌ବ। ଭିଆଇପି ଗେଟ୍‌-୨ରେ ପୁରୀ ସାହିଯାତର ଝଲକ ଦେଖିବାକୁ ମିଳିବ। ଏଥିସହ ସଭାସ୍ଥଳକୁ ଯିବାର ଦୁଇପାର୍ଶ୍ବରେ ଓଡ଼ିଶାର ବରପୁତ୍ରମାନଙ୍କର ଫଟୋଚିତ୍ର ଓ ପ୍ରତିମୂର୍ତ୍ତି ରହିବ।

ମୁଖ୍ୟମଞ୍ଚର ବାମପାଖ ମଞ୍ଚରେ ଓଡ଼ିଶାର କଳା ଓ ସଂସ୍କୃତିକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଏଥିରେ ଓଡ଼ିଶୀ ସମେତ ସମ୍ବଲପୁରୀ, ଢେମସା, ଛଉ ନୃତ୍ୟ, ଦୋରିଆ ନୃତ୍ୟ ପରିବେଷଣ କରାଯିବ। ଏଥିସହ ୧୯୩୬ ମସିହାରେ ଓଡ଼ିଶା ଭାଷା ଭିତ୍ତିକ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇବାର ଏକ ସ୍ବତନ୍ତ୍ର ଭିଡ଼ିଓ ଓ ଭାଗବତ ଟୁଙ୍ଗି ଉପରେ ଏକ ସ୍ବତନ୍ତ୍ର ଭିଡ଼ିଓ ଚଲାଯିବ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମୁଖ୍ୟମଞ୍ଚରେ ସ୍ବାଗତ ସଙ୍ଗୀତ ଗାନ କରାଯିବ। ଡାହାଣ ପାଖ ମଞ୍ଚରେ ସାଧୁସନ୍ଥମାନେ ଉପସ୍ଥିତ ରହିବେ।

Leave a Reply

Your email address will not be published. Required fields are marked *