ନୀରଜଙ୍କୁ ରୌପ୍ୟ: ଅଲିମ୍ପିକ୍ସ ରେକର୍ଡ
1 min readପ୍ୟାରିସ୍: ପ୍ୟାରିସ୍ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଟୋକିଓ ସ୍ବର୍ଣ୍ଣ ପଦକ ବଜାୟ ରଖିପାରିଲେ ନାହିଁ। କିନ୍ତୁ ରୌପ୍ୟ ପଦକ ଜିତି ନୂଆ ଇତିହାସ ରଚିଛନ୍ତି। ସ୍ବାଧୀନ ଭାରତର ପ୍ରଥମ ଆଥ୍ଲେଟ୍ ଭାବେ ଦୁଇ ପଦକ (ଟୋକିଓ-ସ୍ବର୍ଣ୍ଣ, ପ୍ୟାରିସ୍-ରୌପ୍ୟ) ଜିତି ଗୌରବ ରଚିଛନ୍ତି। ଅନ୍ୟ ଖେଳକୁ ମିଶାଇଲେ ସୁଶୀଲ କୁମାର (କୁସ୍ତି), ପିଭି ସିନ୍ଧୁ(ବ୍ୟାଡମିଣ୍ଟନ), ମନୁ ଭାକର (ସୁଟିଂ)ଙ୍କ ପରେ ଚତୁର୍ଥ ଭାରତୀୟ ଭାବେ ଦୁଇଟି ବ୍ୟକ୍ତିଗତ ଅଲିମ୍ପିକ୍ସ ପଦକ ଜିତିବାର ସଫଳତା ପାଇଲେ। ଅଲିମ୍ପିକ୍ ଜାଭଲିନ୍ ଫାଇନାଲ୍ କିନ୍ତୁ ଭାରତ-ପାକିସ୍ତାନ ଲଢ଼େଇ
ଭଳି ଦୃଶ୍ୟମାନ ହୋଇଥିଲା। ପାକିସ୍ତାନର ଅର୍ଶଦ ନଦୀମ ଅଲିମ୍ପିକ୍ ରେକର୍ଡ (୯୨.୯୭ ମିଟର) ସହ ସ୍ବର୍ଣ୍ଣ ପଦକ ଜିତିନେଇଥିଲେ। ପଡ଼ୋଶୀ ପାକିସ୍ତାନର ଏହା ସର୍ବପ୍ରଥମ ଅଲିମ୍ପିକ୍ସ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ହୋଇଛି। ପୂର୍ବରୁ କେବଳ ଦୁଇଟି କାଂସ୍ୟ ଜିତିଥିଲା ପାକିସ୍ତାନ। ପାକିସ୍ତାନ ହକି ଦଳ କିନ୍ତୁ ୩ ସ୍ବର୍ଣ୍ଣ, ୨ ରୌପ୍ୟ, ୨ କାଂସ୍ୟ ଜିତିଥିଲା। ବ୍ୟକ୍ତିଗତ ପଦକ ଦୁଇଟି ମହମ୍ମଦ ବଶିର (କୁସ୍ତି, ୧୯୬୦, ରୋମ) ଏବଂ ହୁସେନ୍ ସାହା (ମୁଷ୍ଟିଯୁଦ୍ଧ, ୧୯୮୮, ସିଓଲ) ଜିତିଥିଲେ।
ନିରାଶାରୁ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ଅର୍ଶଦଙ୍କ ସ୍ବପ୍ନର ଥ୍ରୋ (୯୨.୯୭) ତାଙ୍କୁ ଏକାଥରକେ ଅଲିମ୍ପିକ୍ସ ରେକର୍ଡର ଅଧିକାରୀ କରାଇଥିଲା। ପୂର୍ବରୁ ଅଲିମ୍ପିକ୍ସ ରେକର୍ଡ ଡେନମାର୍କର ଆଣ୍ଡିଆସ୍ ଥୋର୍କିଲସେନ୍ (୯୦.୫୭ ମିଟର୍)ଙ୍କ ନାମରେ ଥିଲା। ଏହା ପରେ ନୀରଜ ତାଙ୍କ ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ ଥ୍ରୋକୁ ମଧ୍ୟ ଫାଉଲ୍ରେ ଶେଷ କରିଥିଲେ। କିନ୍ତୁ ନୀରଜଙ୍କ ସିଜନ୍ର ଶ୍ରେଷ୍ଠ (୮୯.୪୫ ମିଟର) ପ୍ରଦର୍ଶନ କରି ଦ୍ବିତୀୟ ସ୍ଥାନକୁ କାଏମ ରଖିବାରୁ ସେ ଶେଷ ପର୍ଯ୍ୟନ୍ତ ସୁରକ୍ଷିତ ରହିଥିଲେ। ଏସୀୟ କ୍ରୀଡ଼ା ଭଳି ନୀରଜ ଓ ଅର୍ଶଦଙ୍କ ମଧ୍ୟରେ ଭାରତ-ପାକିସ୍ତାନ ଲଢ଼େଇ ଶେଷ ପର୍ଯ୍ୟନ୍ତ ରୋମାଞ୍ଚ ବଢ଼ାଇଥିଲା। ନଦୀମ ତାଙ୍କ ତୃତୀୟ (୮୮.୭୨) ଓ ଚତୁର୍ଥ (୭୯.୪୦) ଥ୍ରୋରେ କ୍ରମେ ତଳକୁ ଖସିଥିଲେ। କିନ୍ତୁ ଶେଷଟିରେ ୯୧.୭୯ ମିଟର୍ ଫିଙ୍ଗି ପ୍ରଧାନ୍ୟ ବିସ୍ତାର କରିଥିଲେ।
ନୀରଜ ଟୋକିଓରେ ୮୭.୫୮ ମିଟର୍ ଫିଙ୍ଗି ସ୍ବର୍ଣ୍ଣ ଜିତିଥିଲେ। କିନ୍ତୁ ୨୦୨୨ରେ ଷ୍ଟକ୍ହୋମ୍ ଡାଏମଣ୍ଡ୍ ଲିଗ୍ରେ ୮୯.୯୪ (ବ୍ୟକ୍ତିଗତ ଶ୍ରେଷ୍ଠ) ଫିଙ୍ଗିଥିଲେ। ପ୍ୟାରିସ୍ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟରେ ଦ୍ବିତୀୟ ଶ୍ରେଷ୍ଠ (୮୯.୩୪ ମିଟର୍) ପ୍ରଦର୍ଶନ ସହ ଫାଇନାଲ୍ ଆସିଥିଲେ। ୨୦୨୨ରେ ନୀରଜ ୩ ଥର ୮୯ ମିଟର୍ରୁ ଊର୍ଧ୍ବ ଥ୍ରୋ କରିଥିଲେ ମଧ୍ୟ କେବେ ୯୦ ଟପି ପାରିନଥିଲେ। ୨୦୨୩ ବୁଦାପେଷ୍ଟ ବିଶ୍ବ ପ୍ରତିଯୋଗିତାରେ ବି ନୀରଜ ସ୍ବର୍ଣ୍ଣ ପଦକ ଜିତି ଏକକାଳୀନ ଅଲିମ୍ପିକ୍ ଓ ବିଶ୍ବ ବିଜେତା ହେବାର ବିରଳ ଗୌରବ ପାଇଥିଲେ।