ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ
1 min readଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରୁ ହିଁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଏନେଇ ଦିନ ୧୧ଟା ୪୫ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଛି।
ମଙ୍ଗଳବାର ବିଧାନସଭା ଅଧିବେଶନ ଆରମ୍ଭ ହେବା ସମୟରେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକମାନେ ବିଭିନ୍ନ ପ୍ରସଙ୍ଗରେ ହଙ୍ଗମା କରିଥିଲେ। ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେବା ତଥା ବାଚସ୍ପତିଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନହେବା ପ୍ରସଙ୍ଗକୁ ନେଇ ସେମାନେ ବିରୋଧ ପ୍ରଦର୍ଶନ କରିଥିଲେ। ଏହାପରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମୁଲତବୀ କରିଥିଲେ।
ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ବିଭିନ୍ନ ବିଭାଗୀୟ କମିଟିର ରିପୋର୍ଟ ଉପସ୍ଥାପନ ହେବ। ଏହାପରେ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗକୁ ମିଳିଥିବା ଅନୁଦାନ ନିମନ୍ତେ ଖର୍ଚ୍ଚ ଦାବି ଆଲୋଚନା ହେବ। ସେପ୍ଟେମ୍ବର ୧୦ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପରେ ବିନିଯୋଗ ବିଲ୍ ଆସିବ।
ଚଳିତ ବର୍ଷ ଓଡ଼ିଶାରେ ନୂଆ ସରକାର ଗଠନ ହେବାପରେ ଜୁଲାଇ ୨୨ ତାରିଖରୁ ସପ୍ତଦଶ ବିଧାନସଭାର ପ୍ରଥମ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା। ଏଥିରେ ରାଜ୍ୟ ଅର୍ଥ ବିଭାଗର ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲେ। ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଚାଲିଥିଲା।