February 4, 2025

ରାଉରକେଲାରେ ଆଜିଠାରୁ ହକି ଇଣ୍ଡିଆ ଲିଗ୍

1 min read

ରାଉରକେଲା: ଆଜିଠାରୁ ଆରମ୍ଭ ହେଉଛି ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ୍)। ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଏହାର ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହେବ। ଏଥିରେ ଦିଲ୍ଲୀ ଏସ୍‌ଜି ପାଇପର୍ସ‌ ଓ ଗୋନାସିକା ଟିମ୍ ପ୍ରତିଦ୍ଵନ୍ଦ୍ଵିତା କରିବେ।

୮ ବର୍ଷର ଅପେକ୍ଷା ପରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଥିବା ହକି ଇଣ୍ଡିଆ ଲିଗକୁ ଧିକ ଦମ୍‌ଦାର ଓ ଆକର୍ଷଣୀୟ କରିବା ଲାଗି ହକି ଇଣ୍ଡିଆ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରଥମଥର ପୁରୁଷ ଲିଗ୍ ସହ ମହିଳା ଲିଗ୍‌ ମଧ୍ୟ ଆୟୋଜନ କରାଯାଉଛି। ପୁରୁଷ ଲିଗ୍‌ ରାଉରକେଲାରେ ଖେଳାଯିବାକୁ ଥିବାବେଳେ ରାଞ୍ଚିରେ ମହିଳା ଲିଗ୍‌ ଖେଳାଯିବ।

ଚଳିତ ସିଜିନରେ ଏହି ପ୍ରତିଯୋଗିତାରେ ୮ଟି ପୁରୁଷ ଓ ୬ଟି ମହିଳା ଦଳ ଅଂଶଗ୍ରହଣ କରିବେ। ଏହା ଡିସେମ୍ବର ୨୮ ତାରିଖରୁ ଆରମ୍ଭ ହୋଇ ୧ ଫେବ୍ରୁଆରି ୨୦୨୫ ଯାଏଁ ଚାଲିବ। ଏଥର ଏହି ଲିଗରେ ଓଡ଼ିଶାରୁ ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ୨ଟି ଦଳ ଭାଗ ନେବେ।

ଏଥର ଓଡ଼ିଶା ପୁରୁଷ ହକି ଦଳ କଳିଙ୍ଗ ଲାନ୍ସର୍ସର ମାଲିକାନା ହାସଲ କରିଛି ବେଦାନ୍ତ ଗ୍ରୁପ। ପୂର୍ବରୁ ଏହା ଓଡ଼ିଶା ସରକାରଙ୍କ ଇଡକୋ ଏବଂ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡର (ଏମସିଏଲ୍) ସହ-ମାଲିକାନାରେ ଥିଲା। ସେହିପରି ରାଜ୍ୟ ମହିଳା ଟିମ୍ ଓଡ଼ିଶା ୱାରିୟର୍ସ‌ର ମାଲିକାନା ନବୋୟମ୍ ସ୍ପୋର୍ଟ୍ସ ଭେନ୍‌ଚର୍ସ ପ୍ରାଇଭେଟ୍ ଲିମିଟେଡ ପାଖରେ ରହିଛି।

ପୁରୁଷ ଲିଗ୍‌ ମୋଟ୍‌ ଦୁଇଟି ପର୍ଯ୍ୟାୟରେ ଖେଳାଯିବ। ଡିସେମ୍ବର ୨୮ ତାରିଖରୁ ଜାନୁଆରି ୧୮ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁଥିବା ପ୍ରଥମ ପର୍ଯ୍ୟାୟରେ ସମସ୍ତ ୮ଟି ଦଳ ପରସ୍ପର ମଧ୍ୟରେ ଖେଳିବେ। ଜାନୁଆରି ୧୯ ତାରିଖରୁ ଆରମ୍ଭ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟରେ ଏହି ୮ଟି ଦଳଙ୍କୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି।

ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ଗ୍ରୁପର ଅନ୍ୟ ତିନି ଦଳ ସହ ମୁହାଁମୁହିଁ ହେବେ। ପ୍ରତି ଗ୍ରୁପରୁ ଶ୍ରେଷ୍ଠ ୨ଟି ଲେଖାଏଁ ଦଳ ସେମିଫାଇନାଲକୁ ଯିବେ। ଜାନୁଆରି ୩୧ରେ ପୁରୁଷ ଲିଗର ସେମିଫାଇନାଲ ଓ ଫେବ୍ରୁଆରି ୧ରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ।

ଅନ୍ୟପଟେ ମହିଳା ଲିଗ୍ ଜାନୁଆରି ୧୨ରୁ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋଟ୍‌ ୪ଟି ଦଳ ବେଙ୍ଗଲ ଟାଇଗର୍ସ‌୍, ଦିଲ୍ଲୀ ଏସ୍‌ଜି ପାଇପର୍ସ‌, ସୂରମା ହକି କ୍ଲବ ଏବଂ ଓଡ଼ିଶା ୱାରିୟର୍ସ‌୍ ରହିଛନ୍ତି। ପ୍ରତ୍ୟେକ ଦଳ ଅନ୍ୟମାନଙ୍କ ବିପକ୍ଷରେ ୨ଥର ଲେଖାଏଁ ଖେଳିବେ।

ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ଜିଲ୍ଲାରେ ଏହି ହକି ଇଣ୍ଡିଆ ଲିଗ୍ ଆୟୋଜିତ ହେଉଥିବାରୁ ରାଜ୍ୟର ହକିପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଡିଡି ସ୍ପୋର୍ଟସ୍ ସହ ସୋନି ସ୍ପୋର୍ଟସ୍ ନେଟୱାର୍କରେ ଏହି ଟୁର୍ଣ୍ଣାମେଣ୍ଟର ସିଧାପ୍ରସାରଣ ହେବ।