ସୂଚନା ଅଧିକାର ଦିବସ ପାଳିତ, ବିଜ୍ଞ ଓ ସଚେତନ ନାଗରିକତ୍ୱ ତିଆରି ଉପରେ ଗୁରୁତ୍ୱ
1 min readଭୁବନେଶ୍ୱର: ଏକ ଗଣତନ୍ତ୍ର ରାଷ୍ଟ୍ର ବିଜ୍ଞ ନାଗରିକ ଓ ସୂଚନାର ସ୍ବଚ୍ଛତା ଆବଶ୍ୟକ କରେ, ଯାହାକି ପ୍ରଶାସନକୁ ଶାସିତମାନଙ୍କ ନିକଟରେ ଉତ୍ତରଦାୟୀ କରାଇବା ନିମନ୍ତେ ଅପରିହାର୍ଯ୍ୟ | ଲୋକେ ସଚେତନ ହେଲେ ପ୍ରଶାସନିକ ବ୍ୟବସ୍ଥା ସ୍ଵଚ୍ଛତା ହୋଇପାରିବ | ଯେପର୍ଯ୍ୟନ୍ତ ଏକ ବିଜ୍ଞ ଓ ସଚେତନ ନାଗରିକତ୍ୱ ସୃଷ୍ଟି ହୋଇ ନାହିଁ, ସେ ଯାଏଁ ଏକ ବିକଶିତ ଭାରତର ନିର୍ମାଣ କରିବା ସମ୍ଭବ ନୁହଁ, ବୋଲି ବକ୍ତାମାନେ ଆଜି ସୂଚନା ଅଧିକାର ଦିବସ ପାଳନ ଅବସରରେ ମତ ପ୍ରକାଶ କରିଛନ୍ତି |
ଭୁବନେଶ୍ୱର ସ୍ଥିତ ଏକାମ୍ର ହାଟ ଠାରେ ଆର.ଟି.ଆଇ. କ୍ଲିନିକ (RTI Clinic) ଅନୁଷ୍ଠାନ ଦ୍ୱାରା ଏକ ଅନଔପଚାରିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା | ଏଥିରେ ଯୋଗ ଦେଇ ଓକିଲ ତଥା ସୂଚନା ଅଧିକାରକର୍ମୀ ମନୋରଞ୍ଜନ ଜେନା କହିଥିଲେ ଯେ ସରକାରୀ କଳ ଗୁଡ଼ିକ ପାଖରେ ଥିବା ସମସ୍ତ ତଥ୍ୟ ଲୋକମାନଙ୍କର ମଙ୍ଗଳ ପାଇଁ ହିଁ ବ୍ୟବହାର କରିବା ଉଦ୍ଦେଶ୍ୟରେ ସଂଗୃହିତ ଏବଂ ସଂକଳିତ ହୋଇଥାଏ। ଯେହେତୁ ଏସବୁ ତଥ୍ୟ ଜନହିତ ପାଇଁ ଉଦ୍ଦିଷ୍ଟ, ଏଗୁଡ଼ିକ ସେହି ହିତାଧିକାରୀ ଅର୍ଥାତ୍ ସାଧାରଣ ଲୋକଙ୍କ ଠାରୁ ଲୁଚାଇ ରଖିବାରେ କୌଣସି ଯୌକ୍ତିକତା ନାହିଁ । ପ୍ରକୃତରେ ଏହାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ଦୀର୍ଘକାଳ ଧରି ସରକାରଙ୍କ ପାଖରେ ଉପଲବ୍ଧ ସୂଚନା ସାଧାରଣ ଲୋକଙ୍କୁ ଯୋଗାଇ ଦିଆଯାଉନଥିଲା। ସୂଚନା ହିଁ ଶକ୍ତିର ଉତ୍ସ, ତେଣୁ ସମସ୍ତେ ସୂଚନା ଅଧିକାରକୁ ବ୍ୟବହାର କରିବା ଉଚିତ ବୋଲି ସେ ଗୁରୁତ୍ବ ଦେଇଥିଲେ |
ସମାଜସେବୀ ତଥା ପ୍ରାଧ୍ୟାପକ ରଘୁନାଥ ମଣ୍ଡଳ କହିଥିଲେ ଯେ ଭାରତରେ ଅକ୍ଟୋବର ୧୨, ୨୦୦୫ ମସିହାରୁ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହୋଇଆସୁଛି | ଆଜି ଏହାକୁ ୧୯ ବର୍ଷ ପୁରିଛି । ଦେଶର ପ୍ରଶାସନିକ ବ୍ୟବସ୍ଥାକୁ ସ୍ବଚ୍ଛ ଓ ଉତ୍ତରଦାୟୀ କରିବା ଏବଂ ଜନସାଧାରଣଙ୍କୁ ସୂଚନା ଯୋଗାଇଦେବାରେ ଏହି ଆଇନର ଭୂମିକା ବେଶ ଗୁରୁତ୍ୱପୂର୍ଣ ରହିଛି।
ଏହି ଅବସରରେ ସଭିଏଁ ଗୋଟିଏ ଗୋଟିଏ ଆର.ଟି.ଆଇ. ଦରଖାସ୍ତ କରିବା ସହ ସରକାରୀ ଦପ୍ତରରୁ ବୃହତ୍ତର ସ୍ୱାର୍ଥ ସାଧନ ହେବାପରି କିଛି ସୂଚନା ମାଗିବା ଏବଂ ସୂଚନା ଅଧିକାର ଆଇନକୁ ଜୀବିତ ରଖିବା ପାଇଁ ଆର.ଟି.ଆଇ. କ୍ଲିନିକର ଆବାହକ ମନୋରଞ୍ଜନ ପଣ୍ଡା ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ |
ଏହି କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ ଓ ସମାଜର ବିଭିନ୍ନ ବର୍ଗରୁ ଲୋକେ ଯୋଗଦେଇଥିଲେ |