ଫେବ୍ରୁଆରି ୧୫ ସୁଦ୍ଧା ଇ-କେଓ୍ଵାଇସି ନହେଲେ କଟିଯିବ ରାସନକାର୍ଡ
1 min read
ଭୁବନେଶ୍ଵର: ଓଡ଼ିଶାରେ ଏବେ ରାସନକାର୍ଡ ଇ-କେୱାଇସି ଜାରି ରହିଛି। ଫେବ୍ରୁଆରି ୧୫ ତାରିଖ ମଧ୍ୟରେ ହିତାଧିକାରୀମାନଙ୍କୁ ଇ-କେୱାଇସି କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ଇ-କେୱାଇସି ଅପଡେଟ ପାଇଁ ଆବେଦନ କରିନଥିଲେ ଆଉ ସୁଯୋଗ ମିଳିବନି। ତେବେ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ନଫେରାଇଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
“ବର୍ତ୍ତମାନ ସୁଦ୍ଧା ୨ କୋଟି ୯୮ ଲକ୍ଷ ହିତାଧିକାରୀ ଇ-କେଓ୍ଵାଇସି ଅପଡେଟ୍ କରିଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ୩୭ ଲକ୍ଷ ଲୋକ ଇ-କେୱାଇସି କରି ନାହାଁନ୍ତି। ଅଯୋଗ୍ୟ କିମ୍ବା ମୃତ ବ୍ୟକ୍ତିଙ୍କ ନାଁରେ ରାସନକାର୍ଡ ରହିଥିବାରୁ ଇ-କେଓ୍ଵାଇସି ଅପଡେଟ ସମ୍ଭବ ହେଉନାହିଁ”, କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର।
ଧାର୍ଯ୍ୟ ସମୟ ମଧ୍ୟରେ ଇ-କେୱାଇସି ନକଲେ ହିତାଧିକାରୀଙ୍କ ରାସନକାର୍ଡ ଅକାମୀ ହୋଇଯିବ। ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଶେଷ ହେବାପରେ ହିତାଧିକାରୀଙ୍କୁ ରାଜ୍ୟ ସରକାର ନୂଆ ରାସନକାର୍ଡ ଯୋଗାଇ ଦେବେ ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ୟ ପକ୍ଷରେ ସରକାରୀ ଚାକିରିଆ ଏବଂ ଇନକମ ଟ୍ୟାକ୍ସ ଦେଉଥିବା ବ୍ୟକ୍ତି ଯଦି ରାସନକାର୍ଡରୁ ସୁବିଧା ପାଉଛନ୍ତି, ତେବେ ତୁରନ୍ତ କାର୍ଡ ଫେରାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଦିନରେ ଏ ନେଇ ପ୍ରମାଣ ମିଳିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି।