ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ
1 min readରାୟଗଡା: ଭିଜିଲାନ୍ସ ଜାଲରେ ପଡିଥିବା କାଶୀପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ରାୟଗଡାସ୍ଥିତ ବାସଭବନରୁ ଆଜି ନଗଦ ୧୪ ଲକ୍ଷ ୮୧ ହଜାର ୩୦୦ ଟଙ୍କା ଜବତ ହୋଇଛି । ଗତକାଲି ଅପରାହ୍ନରେ ରାୟଗଡ଼ା ଦୁର୍ନୀତି ନିବାରଣ ବିଭାଗ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଯନ୍ତ୍ରୀଙ୍କୁ ଧରିଥିଲେ। ତା’ପରେ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବେ ଭଲ ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଆଜି ଭବାନୀପାଟଣାରୁ ଆସିଥିବା ଆଉ ଏକ ଭିଜିଲାନ୍ସ ଟିମ୍ କାଶୀପୁର ବ୍ଲକ କାର୍ଯ୍ୟାଳୟ ଏବଂ ଟିକିରିରେ ଥିବା ଏକ ଦୁଇ ମହଲା କୋଠାରେ ଚଢାଉ କରିଥିବା ସୂଚନା ରହିଛି । ତାଙ୍କ ପତ୍ନୀଙ୍କ ନାମରେ ରାୟଗଡାରେ ଏକାଧିକ ପ୍ଲଟ୍ ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ ବିଭାଗ। ତାଙ୍କ ଘରୁ ୪୭ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଛି। ରବିବାର ବି ଚଢାଉ ଜାରି ରହିଛି । ଆସନ୍ତାକାଲି ବ୍ୟାଙ୍କ ଲକର ଓ ବ୍ୟାଙ୍କରେ ଥିବା ଟଙ୍କାର ହିସାବ କରାଯିବ।
ରାୟଗଡ଼ା ସହରର ଫରେଷ୍ଟ କଲୋନୀ ଅଞ୍ଚଳରେ ଥିବା ଯନ୍ତ୍ରୀଙ୍କ ବାସଭବନରେ ଗତକାଲି ଅପରାହ୍ନ ୫ଟାବେଳେ କାଶୀପୁର ବ୍ଲକ ମାଣ୍ଡିବିସି ପଞ୍ଚାୟତର କ୍ଷେତ୍ର ମାଝୀଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ମନରେଗା ଯୋଜନାରେ ଏକ ରାସ୍ତା କାମର ମାପଚୁପ ଏବଂ ଶ୍ରମିକଙ୍କ ମଜୁରୀ ବିଲ ପାସ୍ କରିବା ପାଇଁ ୬୦ ହଜାର ଟଙ୍କା ଦାବି କରିଥିଲେ କନିଷ୍ଠ ଯନ୍ତ୍ରୀ । ସେ ପ୍ରଥମେ ୩୦ ହଜାର ଟଙ୍କା ତାପରେ ଆଉ ବଳକା ଟଙ୍କା ଦେବା ପାଇଁ ୫ ଦିନ ତଳେ ନିଷ୍ପତ୍ତି ହୋଇଥିଲା । ସେହି ଅନୁସାରେ ଶନିବାର ୨୫ ହଜାର ଟଙ୍କା ଆଣି ତାଙ୍କ ବାସଭବନରେ ଦେବା ବେଳେ ସେଠାରେ ଛପି ରହିଥିବା ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଥିଲେ । ଜେଇଙ୍କ ଘରୁ କେମିକାଲ ରଙ୍ଗ ମିଶା ଟଙ୍କାକୁ ଜବତ କରିଥିଲା ଭିଜିଲାନ୍ସ ଟିମ । ଜୟପୁର ଭିଜିଲାନ୍ସର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅରୁଣ କୁମାର ନାୟକଙ୍କ ନେତୃତ୍ୱରେ ଜୟପୁରର ଭିଜିଲାନ୍ସ ଇନ୍ସପେକ୍ଟର ସଞ୍ଜୟ ପ୍ରଧାନ, ସାବିତ୍ରୀ ପ୍ରଧାନ, ସରିତା ତ୍ରିପାଠୀ ଏବଂ ରାୟଗଡ଼ାର ତରୁଲତା ବେହେରାଙ୍କ ସମେତ ୧୫ ଜଣିଆ ଟିମ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।