November 22, 2024

ସ୍ଵାଧୀନତା ଦିବସ ପାଇଁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

1 min read

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୭୮ତମ ସ୍ଵାଧୀନତା ଦିବସ ପାଇଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତ ତଥା ଭାରତ ବାହାରେ ରହୁଥିବା ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ କହିଛନ୍ତି ଯେ, ଅଗଷ୍ଟ ୧୪ ତାରିଖକୁ ବିଭାଜନ-ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରାଯାଉଛି। ଏହି ସ୍ମୃତି ଦିବସକୁ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସାମାଜିକ ସଦଭାବ, ମାନବ ସଶକ୍ତିକରଣ ଏବଂ ଏକତାକୁ ଅଗ୍ରାଧିକାର ପ୍ରଦାନ କରିବା।

୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଆମେ ଔପନିବେଶିକ ଶାସନର ବେଡିକୁ କାଟି ଦେଇଥିଲେ। ସେହି ଶୁଭ ଦିବସର ପାଳନ ଅବସରରେ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ସାଦର ପ୍ରଣାମ ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି। ସେ ଆହୁରି କହିଥିଲେ ଯେ, ସଂଗ୍ରାମୀମାନଙ୍କ ବଳିଦାନ ଯୋଗୁଁ ଆମ ସମସ୍ତେ ସ୍ୱାଧୀନ ଭାରତରେ ସୁରକ୍ଷିତ ଭାବେ ବଞ୍ଚିପାରୁଛୁ। ଏହି ଅବସରରେ ରାଷ୍ଟ୍ରପତି ସର୍ଦ୍ଦାର ଭଲ୍ଲଭ ଭାଇ ପଟେଲ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବାବା ସାହେବ ଆମ୍ବେଦକରଙ୍କ ସ୍ମୃତି ଚାରଣ କରିଥିଲେ।

“ସମସ୍ତ ଦେଶବାସୀ ୭୮ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସ୍ୱାଧୀନତା ଦିବସ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଉଡୁଥିବା ତ୍ରିରଙ୍ଗାକୁ ଦେଖିବ, ଦେଖିବ ଏହା ଆମ ହୃଦୟ ଉତ୍ସାହରେ ପରିପୂର୍ଣ୍ଣ କରିଦେବ”, କହିଛନ୍ତି ଦ୍ରୌପଦୀ ମୁର୍ମୁ।

ସେ ଆହୁରି କହିଛନ୍ତି, ୨୦୨୧ରୁ ୨୦୨୪ ମଧ୍ୟରେ ହାରାହାରି ବାର୍ଷିକ ଅଭିବୃଦ୍ଧି ହାର ୮ ପ୍ରତିଶତ ହାସଲ କରି ଭାରତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ସାମିଲ ହୋଇପାରିଛି। ଏହା କେବଳ ଦେଶବାସୀଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟତା କରିବା ସହ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକଙ୍କ ସଂଖ୍ୟା ହ୍ରାସ କରିପାରିଛି।

ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହେବା ପ୍ରତି ଭାରତୀୟଙ୍କ ପାଇଁ ଗର୍ବର ବିଷୟ ପାଲଟିଛି। ଖୁବ୍ ଶୀଘ୍ର ଆମ ଦେଶ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବାକୁ ଯାଉଛି। ଏହି ସଫଳତା କୃଷକ ଓ ଶ୍ରମିକମାନଙ୍କ ଅକ୍ଲାନ୍ତ ପରିଶ୍ରମ, ନୀତି ନିର୍ମାତା ଏବଂ ଉଦ୍ୟୋଗୀମାନଙ୍କର ଚିନ୍ତାଧାରା ତଥା ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଯୋଗୁଁ ସମ୍ଭବପର ହୋଇପାରିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।

ସେ କହିଛନ୍ତି, ଆମର ଅନ୍ନଦାତା କୃଷକମାନେ ଆଶାଠାରୁ ଅଧିକ କୃଷି ଉତ୍ପାଦନ ନିଶ୍ଚିତ କରିଛନ୍ତି। କୃଷକ ଭାଇମାନେ କୃଷି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଓ ଦେଶବାସୀଙ୍କୁ ଖାଦ୍ୟ ଯୋଗାଇବାରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଦେଇଛନ୍ତି।

ସେ ଆହୁର କହିଛନ୍ତି ଯେ, ଦେଶରୁ ଗରିବୀ ହଟାଇବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ମହାମାରୀ କରୋନା କାଳରେ ପ୍ରଧାନମନ୍ତ୍ରୀ ଅନ୍ନ କଲ୍ୟାଣ ଯୋଜନାରେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଇଥିଲା। ଏହି ଯୋଜନା ଏବେ ମଧ୍ୟ କାର୍ଯ୍ୟକାରୀ ହେଉଛି।

“ବିବିଧତା ମଧ୍ୟରେ ଏକତା ରଖି ଆମେ ନିରନ୍ତର ଆଗକୁ ବଢ଼ୁଛୁ। ସାମାଜିକ ନ୍ୟାୟ ସରକାରଙ୍କର ପ୍ରାଥମିକତା। ମହିଳାମାନଙ୍କୁ କେବଳ ସମାନତା ନୁହେଁ, ସେମାନଙ୍କୁ ଆଗକୁ ବଢ଼ିବାକୁ ପ୍ରାଥମିକତା ଦିଆଯାଉଛି। ଏଥିପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ହୋଇଛି”, କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ ଭାରତୀୟ ଖେଳାଳିଙ୍କୁ ଉଚ୍ଚ ପ୍ରଶଂସା କରି କହିଛନ୍ତି, ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଉତ୍ତମ ପ୍ରଦର୍ଶନ କରିପାରିଛି। ଟି-୨୦ରେ ଭାରତୀୟ କ୍ରିକେଟ ଦଳ ମଧ୍ୟ ବିଶ୍ୱ ଚାମ୍ପିୟନ ହୋଇଛି। ସବୁ ବର୍ଗର ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି।

Leave a Reply

Your email address will not be published. Required fields are marked *