ରାଜ୍ୟରେ ଜାରି ରହିଛି ଆଳୁ ସଙ୍କଟ
1 min readଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଆଳୁ ସଙ୍କଟ । ପଶ୍ଚିମବଙ୍ଗରୁ ଆଳୁ ଗାଡି ନଆସିବା ଯୋଗୁଁ ବଜାରରେ ଉଭାନ ହେଇଗଲାଣି ଆଳୁ । ଛତ୍ରବଜାର ଗୋଦାମରେ କାଁ ଭାଁ ଆଳୁ ଦେଖିବାକୁ ମିଳୁଥିବାବେଳେ ଭୁବନେଶ୍ୱର ଆଇଗିଣିଆ ଗୋଦାମରେ ଖାଲି ପଡିଛି ଆଳୁ ବସ୍ତା । ଫଳରେ ବଜାରରେ ୪୦ ଟଙ୍କାରୁ ଆଳୁ ଦର ଏକାଥରେ ୨୦ ଟଙ୍କାରୁ ବଢି ୬୦ ଟଙ୍କାରେ ପହଁଚିଛି । ସୋମବାର ବଜାରରେ ଆଳୁ ଦର ୪୦ ଟଙ୍କା ଥିବାବେଳେ ମଙ୍ଗଳବାର ଆଳୁ ୬୦ ଟଙ୍କାରେ ପହଞ୍ଚିଥିଲା । ପାଖାପାଖି ମାସେ ହେଲାଣି ରାଜ୍ୟରେ ଦେଖାଦେଇଛି ଆଳୁ ସମସ୍ୟା । ପଶ୍ଚିମବଙ୍ଗର ମନମାନୀକୁ ଦେଖି ରାଜ୍ୟ ସରକାର ୟୁପିରୁ ଆଳୁ ଆଣି ଅଭାବ ମେଣ୍ଟାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ୟୁପି ଆଳୁକୁ ଗ୍ରାହକ ନେବାକୁ ଅମଙ୍ଗ ହେଉଥିବା ଜଣାପଡିଛି । ତେବେ ଆଳୁ ଅଭାବକୁ ଦେଖି ରାଜ୍ୟ ସରକାର ପଞ୍ଜବରୁ ଆଳୁ ଆଣିବାକୁ ଯୋଜନା କରୁଥିବା କହିଛନ୍ତି । ପଶ୍ଚିମବଙ୍ଗରୁ ଗତକାଲି ୨ ଟି ଆଳୁ ଗାଡି ଆସିଥିବାବେଳେ ଆଜି ଆଦୌ ଗାଡି ଆସିପାରି ନଥିବାରୁ ଏହି ସମସ୍ୟା ଦେଖାଦେଇଛି ।
ସୂଚନାନୁସାରେ, ଓଡିଶାକୁ ଆଳୁ ଗାଡି ପ୍ରବେଶ କରିବାକୁ ଦେଉନାହିଁ ପଶ୍ଚିମବଙ୍ଗ ପୋଲିସ । ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଗୋଟିଏ ବି ଗାଡି ପ୍ରବେଶ କରିବାର ଦେଖିବାକୁ ମିଳୁନି । ଯେଉଁ ଆଳୁ ବୋଝେଇ ଟ୍ରକ ଓଡିଶା ଭିତରକୁ ଆସିବାର ଥିଲା ଓଡିଶା-ପଶ୍ଚିମବଙ୍ଗ ସୀମା ସୋନାକନିଆରୁ ଲକ୍ଷ୍ମଣନାଥ ନିକଟରେ ଗାଡ଼ି ଫେରାଉଛି ପଶ୍ଚିମ ବଙ୍ଗ ପୋଲିସ ।
ଓଡ଼ିଶାକୁ ଆଳୁ ଆସି ପାରୁନ ଥିବାରୁ ଆଳୁ ସମସ୍ୟା ଦୂର କରିବା ଲାଗି ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ପ୍ରଦେଶରୁ ଆଳୁ ଆଣି ଆଳୁ ସମସ୍ୟା ଦୂର କରିଥିଲେ । ଉତ୍ତର ପ୍ରଦେଶ ପରେ ଏବେ ପଞ୍ଜାବରୁ ଆଳୁ ଆସିବ । ଲୋକଙ୍କ ଚାହିଦା ଅନୁସାରେ ଆଳୁ ଯୋଗାଇ ଦିଆଯିବ । ପଞ୍ଜାବରୁ ଆଳୁ ଆସିଲେ ବଜାର ଦର ନିୟନ୍ତ୍ରଣ ହେବ ବୋଲି କହିଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।