September 8, 2024

ନିର୍ବାଚନ ପରବର୍ତ୍ତୀ କଲ୍ୟାଣକାରୀ ଯୋଜନା ଘୋଷଣା ବନ୍ଦ

1 min read

ଭୁବନେଶ୍ୱର:ନିର୍ବାଚନ ପରବର୍ତ୍ତୀ କଲ୍ୟାଣକାରୀ ଯୋଜନା ଘୋଷଣା ନିଷେଧ, ନିର୍ବାଚନ ପରବର୍ତ୍ତୀ ହିତାଧିକାରୀ ଆଧାରିତ କଲ୍ୟାଣକାରୀ ଯୋଜନା ଘୋଷଣା, ନୂଆ ପ୍ରକଳ୍ପ କିମ୍ବା କାର୍ଯ୍ୟକ୍ରମ ଘୋଷଣା, କୌଣସି ପ୍ରକାର ଆର୍ଥିକ ଅନୁଦାନ କିମ୍ବା ରିଆତି ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ଭଳି କାର୍ଯ୍ୟକୁ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ନିଷିଦ୍ଧ କରିଛନ୍ତି। ଏ ପ୍ରକାର ଆଦର୍ଶ ଆଚରଣ ବିଧ‌ିର ଉଲ୍ଲଘଂନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆୟୋଗ ନିର୍ଦେଶ ଦେଇଛନ୍ତି। ସମସ୍ତ ରାଜନୈତିକ ଦଳ ସର୍ବେକ୍ଷଣ ନାମରେ ହିତାଧିକାରୀ ଆଧାରିତ ଯୋଜନା ପାଇଁ ଭୋଟର ନାମଲେଖା ଏବଂ ପଞ୍ଜୀକରଣ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି।

ଚଳିତ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ନିରପେକ୍ଷ ଓ ସ୍ବଚ୍ଛ କରିବା ପାଇଁ ଇସିଆଇ ଆଦର୍ଶ ଆଚରଣବିଧି ଅନୁପାଳନ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ନିକୁଞ୍ଜ ବିହାରୀ ଧଳ ପ୍ରକାଶ କରିଛନ୍ତି।

ପ୍ରସ୍ତାବିତ ହିତାଧିକାରୀ ଯୋଜନା ପାଇଁ ବିଭିନ୍ନ ସର୍ବେକ୍ଷଣ ନାମରେ ଭୋଟରଙ୍କ ସବିଶେଷ ତଥ୍ୟ ସଂଗ୍ରହ କରୁଥିବା ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ କାର୍ଯ୍ୟକଳାପ ଉପରେ ଇସିଆଇ ଦୃଷ୍ଟି ଦେଇଛନ୍ତି। ସମସ୍ତ ଜାତୀୟ ତଥା ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକୁ ଇସିଆଇ କୌଣସି ବିଜ୍ଞାପନ, ସର୍ବେକ୍ଷଣ ଆପ୍ ମାଧ୍ୟମରେ ନିର୍ବାଚନ ପରବର୍ତ୍ତୀ ହିତାଧିକାରୀ ଆଧାରିତ ଯୋଜନା ପାଇଁ ପଞ୍ଜୀକରଣ ପରି କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ଆଇନଗତ ସର୍ବେକ୍ଷଣ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ପ୍ରୟାସ ମଧ୍ୟରେ କାର୍ଯ୍ୟକଳାପ ଗୁଡ଼ିକୁ ଆୟୋଗ ଧ୍ୟାନକୁ ନେଇଛନ୍ତି, ଯାହା ଛଦ୍ମ ଭାବରେ ଆଇନଗତ ସର୍ବେକ୍ଷଣ ମାଧ୍ୟମରେ ନିର୍ବାଚନରେ ଲାଭ ହାସଲ ପାଇଁ କରାଯାଉଛି।

ଖବରକାଗଜ ବିଜ୍ଞାପନ ମାଧ୍ୟମରେ ଭୋଟରଙ୍କୁ ଯୋଜନାର ଲାଭ ଉଠାଇବା ପାଇଁ ପଞ୍ଜୀକରଣ କରିବାକୁ ଫୋନ୍ କରିବାକୁ କୁହାଯିବା, ଏକ ଗ୍ୟାରେଣ୍ଟି/କାର୍ଡକୁ ସୂଚନାପତ୍ର ଭାବେ ପ୍ରଦାନ କରି ଭୋଟର ବିବରଣୀ ସଂଗ୍ରହ, ସାମାଜିକ-ଅର୍ଥନୈତିକ ସର୍ବେକ୍ଷଣ ନାମରେ ଚାଲୁଥିବା ସରକାରୀ ଯୋଜନାର ଲାଭ ବିସ୍ତାର କରିବାକୁ ଯାଇ ଫର୍ମ ବଣ୍ଟନ ଏବଂ ଭୋଟର ବିବରଣୀ ସଂଗ୍ରହ, ରାଜନୈତିକ ଦଳଗୁଡିକ ଭୋଟରଙ୍କ ସବିଶେଷ ସୂଚନା ପାଇବାକୁ ପ୍ରାର୍ଥୀମାନେ ୱେବ୍‌ ପ୍ଲାଟଫର୍ମ ଆପକୁ ପ୍ରୋତ୍ସାହିତ କରିବା, ଖବରକାଗଜ ବିଜ୍ଞାପନ/ ଲିଖିତ ଫର୍ମ ମାଧ୍ୟମରେ ସାଂପ୍ରତିକ ଲାଭ ଯୋଜନାରେ ପଞ୍ଜୀକରଣ ପାଇଁ ଭୋଟର ବିବରଣୀ ସଂଗ୍ରହ କରାଯିବାକୁ ଆୟୋଗ ପକ୍ଷରୁ ବାରଣ କରାଯାଇଛି।

ଆଦର୍ଶ ଆଚରଣବିଧି ଉଲ୍ଲଘଂନର ଉପରୋକ୍ତ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଇସିଆଇ ସମସ୍ତ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କୁ ଆଦର୍ଶ ଆଚରଣବିଧି ଅନୁପାଳନ କରିବାକୁ ନିର୍ଦେଶ ଦେଇଛନ୍ତି। ଯଦି କୌଣସି କ୍ଷେତ୍ରରେ ଆଦର୍ଶ ଆଚରଣବିଧି ଉଲ୍ଲଘଂନ ହୁଏ ତେବେ ଜିଲା ନିର୍ବାଚନ ଅଧିକାରୀଙ୍କୁ ଏହା ଉପରେ ବିଧି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି ବୋଲି ଶ୍ରୀ ଧଳ କହିଛନ୍ତି।

Leave a Reply

Your email address will not be published. Required fields are marked *