September 8, 2024

ଖଲ୍ଲିକୋଟରେ ରାଜନୈତିକ ହିଂସା: ଜଣେ ମୃତ, ୭ ଆହତ

1 min read

ଗଞ୍ଜାମ: ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଥିବାବେଳେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା। ବୁଧବାର ବିଳମ୍ବିତ ରାତିରେ ଖଲ୍ଲିକୋଟର ଶ୍ରୀକୃଷ୍ଣଶରଣପୁର ଗାଁରେ ହୋଇଥିବା ହିଂସାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏବେ ହିଂସା ଥମିଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି।

ତେବେ ଏହି ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ନାଁ ଦିଲ୍ଲୀପ ପାହାନ। ସେ ଜଣେ ବିଜେପି କର୍ମୀ ହୋଇଥିବା ସୂଚନା ମିଳିଛି। ତେବେ ଘଟଣାକୁ କେନ୍ଦ୍ର କରି ଦିଲ୍ଲୀପଙ୍କ ପରିବାର ଲୋକଙ୍କ ସହ ବିଜେପି ପକ୍ଷରୁ ଖଲ୍ଲିକୋଟ ଥାନା ଘେରାଉ କରାଯାଇଥିଲା।ଶ୍ରୀକୃଷ୍ଣଶରଣପୁର ଗାଁରେ ବୁଧବାର ରାତିରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ଗାଁରେ ବିଜେପି କର୍ମୀ ପୋଷ୍ଟର ବ୍ୟାନର ମାରୁଥିବାବେଳେ ଏହାକୁ ବିରୋଧ କରି ଏକାଧିକ ବିଜେଡି କର୍ମୀ ସେମାନଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଆକ୍ରମଣରେ ୪ ଜଣ ବିଜେପି କର୍ମୀ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହୋଇଥିଲା।ଅନ୍ୟପଟେ ଏହି ଘଟଣାପରେ ଶ୍ରୀକୃଷ୍ଣଶରଣପୁର ଗାଁରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏବେ ଗାଁରେ ସ୍ଥିତି ସୁଧୁରିଥିବା ଜଣାପଡ଼ିଛି।

ତେବେ ଖଲ୍ଲିକୋଟ ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ସେ ଏହି ଘଟଣାକୁ ନିନ୍ଦା କରିବା ସହ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

ସେହିପରି ଏହି ଘଟଣାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଉଦବେଗ ପ୍ରକାଶ କରିଛନ୍ତି। ଏ ବାବଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗଞ୍ଜାମ ଜିଲ୍ଲାପାଳ ଏବଂ ଏସପିଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *