ରାଜନୀତିର ଚକ୍ରବ୍ୟୁହରେ ମାଲକାନଗିରିର ଭବିଷ୍ୟତ
1 min readମାଲକାନଗିରି: ରାଜନୈତିକ ଚକ୍ରବ୍ୟୁହରେ ପୋଲାଭରମ ପ୍ରକଳ୍ପ। ପୋଲାଭରମ ପ୍ରକଳ୍ପକୁ ନେଇ ମୁହାଁମୁହିଁ ଓଡ଼ିଶା-ଆନ୍ଧ୍ରପ୍ରଦେଶ। ପୋଲାଭରମ ପାଇଁ ରାଜ୍ୟ ରାଜନୀତିରେ ବି ଉଠିଛି ଝଡ଼। ଏହି ପ୍ରକଳ୍ପକୁ ନେଇ ବୟାନବାଜିରେ ଲାଗିପଡ଼ିଛନ୍ତି ବିଜେପି-ବିଜେଡି।
ପୋଲାଭରମକୁ ନେଇ ବିଜେଡି ସରକାରରେ ଥିଲାବେଳେ ଟାର୍ଗେଟ କରୁଥିଲା ବିଜେପି। ହେଲେ ଆଜି ବିଜେପି ଓଡ଼ିଶାରେ ସରକାରକୁ ଆସିବା ପରେ ବିଜେଡି ଟାର୍ଗେଟରେ ବିଜେପି। ଦୁଇ ଦଳଙ୍କ କାଦୁଅ ଛଟାଛଟି ଭିତରେ ଆନ୍ଧ୍ରପ୍ରଦେଶରେ ଆଗେଇ ଚାଲିଛି ପୋଲାଭରମ କାମ। ଏପଟେ ପୋଲାଭରମ ପାଣିରେ ନିଜ ଠିକଣା ହଜାଇବା ଆଶଙ୍କାରେ ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନାର ଶହଶହ ଲୋକ।ବର୍ଷ ବର୍ଷ ଧରି ପୋଲାଭରମ ପ୍ରକଳ୍ପ ବିବାଦ ଚାଲି ଆସିଥିବାବେଳେ ଗତ ବଜେଟ ପରେ ଏହି ନିଆଁ ପୁଣି ଜୋର ଧରିଛି। ୨୦୨୪ରେ ଏନଡିଏ ସରକାର ବଜେଟରେ ଏହି ପ୍ରକଳ୍ପ ପାଇଁ ୧୨, ୧୫୭ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ୨୦୨୭ ମାର୍ଚ୍ଚ ସୁଦ୍ଧା ଏହି ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରହିଛି।
ପୋଲାଭରମ ପ୍ରକଳ୍ପକୁ ନେଇ ଦିନେ ବିରୋଧୀଙ୍କ ଟାର୍ଗେଟର ଶିକାର ହୋଇଥିବା ବିଜେଡି ଏବେ ପାଲଟା ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ସରକାରଙ୍କୁ ଘେରିବାକୁ ପୋଲାଭରମକୁ ଅସ୍ତ୍ର କରିଛି ବିଜେଡି। ଏପରିକି ବିଜେଡିର ବରିଷ୍ଠ ନେତାଙ୍କୁ ନେଇ ଗଠିତ ଏକ ଟିମ ମାଲକାନଗିରି ଅଞ୍ଚଳ ଗସ୍ତ କରି ଘଟଣାସ୍ଥଳର ଅନୁଧ୍ୟାନ କରିଛନ୍ତି।
ସେପ୍ଟେମ୍ବର ୫ ତାରିଖରେ ବିଧାନସଭାରେ ପୋଲାଭରମ ପ୍ରକଳ୍ପ ସମ୍ପର୍କୀତ ତଥ୍ୟ ଉପସ୍ଥାପନ କରି ବିଜେଡିକୁ କଡ଼ା ସମାଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗତ ୧୭ ବର୍ଷ ମଧ୍ୟରେ ତତକାଳୀନ ବିଜେଡି ସରକାର ପୋଲାଭରମ ପ୍ରକଳ୍ପକୁ ନେଇ କେବଳ ରାଜନୀତି କରୁଥିଲେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।
ମୋହନ ଚରଣ ମାଝୀ ଅଭିଯୋଗ ଆଣିଥିଲେ, ପ୍ରକଳ୍ପ ଦ୍ୱାରା ଓଡ଼ିଶାର କେତେ ଅଞ୍ଚଳ କ୍ଷତିଗ୍ରସ୍ତ ହେବ ତାହାର ସର୍ଭେ ଏକ ନିରପେକ୍ଷ କମିଟି ଦ୍ୱାରା କରି ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟଙ୍କ ବରିଷ୍ଠ ଓକିଲ କହିଥିଲେ। ଗତ ୨୦୨୩ ମସିହା ସେପ୍ଟେମ୍ବର ୧୫ ତାରିଖରେ ରାଉରକେଲା ଏନଆଇଟିର ପ୍ରଫେସରମାନଙ୍କ ଦ୍ଵାରା ଗଠିତ ଏକ କମିଟି ଅନୁଧ୍ୟାନ ପାଇଁ ସହମତି ଦେଇଥିଲେ। ହେଲେ ବିଜେଡି ସରକାର ଅନୁଧ୍ୟାନ କରିବା ଦିଗରେ ଆଗ୍ରହ ଦେଖାଇ ନଥିଲେ।
ସେ ଆହୁରି କହିଥିଲେ, ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ପୋଲାଭରମ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ପ୍ରକଳ୍ପ ବିଷୟରେ ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ଙ୍କ ସହ ବୈଷୟିକ ଆଲୋଚନା ଜାରି ରହିଛି। ପ୍ରକଳ୍ପ ହେଲେ କେଉଁ ଅଞ୍ଚଳ ଜଳମଗ୍ନ ହେବ ତାହାର ଆକଳନ ହେଲା ପରେ ସଠିକ୍ ତଥ୍ୟ ଜଣାପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
୧୯୭୮ ମସିହାରେ ଆନ୍ଧ୍ରପ୍ରଦେଶ ସରକାର ଆନ୍ତଃରାଜ୍ୟ ଚୁକ୍ତି ଅନୁସାରେ ପୋଲାଭରମ ପ୍ରକଳ୍ପ ପାଇଁ ପରିକଳ୍ପନା କରିଥିଲେ। ସେତେବେଳେ ଡ୍ୟାମର ଉଚ୍ଚତା ୧୫୦ ଫୁଟ କରିବାକୁ ଯୋଜନା ଥିଲା। ହେଲେ ୧୯୯୭ ମସିହାରେ ଏହାର ଉଚ୍ଚତା ୧୮୨ ଫୁଟ କରିବା ପାଇଁ ନିଷ୍ପତ୍ତି ନିଆଯିବା ସହ ଡିଜାଇନରେ ମଧ୍ୟ ପରିବର୍ତ୍ତନ କରାଗଲା। ଏହି ନକ୍ସା ପରିବର୍ତ୍ତନ ପରେ ଆରମ୍ଭ ହୋଇଥିଲା ବିବାଦ।
ଏହା ଜାତୀୟ ପ୍ରକଳ୍ପର ମାନ୍ୟତା ପାଇଥିବାରୁ କେନ୍ଦ୍ରର ସହଯୋଗ କ୍ରମେ ଏହାର ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଲା। କେନ୍ଦ୍ର ସରକାର ସତ୍ୟପାଠରେ ଉଲ୍ଲେଖ କରିଥିଲେ ଯେ, ସିଲେରୁ ଓ ସାବେରୀ ନଦୀ କୂଳରେ ଆଡ଼ିବନ୍ଧ ହେବ। ଫଳରେ ଓଡ଼ିଶା କିମ୍ବା ଛତିଶଗଡ଼କୁ ବନ୍ୟାଜଳ ପ୍ରବେଶ କରିପାରିବ ନାହିଁ।