ଡିଜିପି ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
1 min readଭୁବନେଶ୍ଵର: ଭୁବନେଶ୍ଵରରେ ଚାଲିଛି ୩-ଦିନିଆ ଡିଜିପି ସମ୍ମିଳନୀ। ଭାରତର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଏଠାରେ ବିଚାରବିମର୍ଶ କରାଯାଉଛି। ଶନିବାର ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ସମ୍ମିଳନୀରେ ଯୋଗ ଦେଇଛନ୍ତି।
ଡିଜିପି ସମ୍ମିଳନୀକୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିବେ। ବାମପନ୍ଥୀ ଉଗ୍ରବାଦ, ଉପକୂଳ ସୁରକ୍ଷା, ନିଶାଦ୍ରବ୍ୟ କାରବାର ତଥା ସାଇବର ଅପରାଧର ମୁକାବିଲା ଭଳି ପ୍ରସଙ୍ଗ ଉପରେ ଦ୍ଵିତୀୟ ଦିନରେ ଆଲୋଚନା ହେବ।
ଶୁକ୍ରବାର ଡିଜିପି ସମ୍ମିଳନୀକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଉଦଘାଟନ କରିଥିଲେ। ସେ ଜାତୀୟ ସୁରକ୍ଷା ସହ ଜଡ଼ିତ ବିଭିନ୍ନ ବିଷୟର ସମୀକ୍ଷା କରିଥିଲେ। ଏହାସହ ୩ଟି ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ଏବଂ ପୋଲିସ ବିଭାଗର ଅଭ୍ୟାସଗୁଡ଼ିକର ମଧ୍ୟ ସମୀକ୍ଷା କରିଥିଲେ ଗୃହ ମନ୍ତ୍ରୀ।
“ଏବେ ଭାରତ ସୁରକ୍ଷା ଏଜେନ୍ସିଗୁଡ଼ିକୁ ବୈଷୟିକ ସ୍ତରରେ ଆହୁରି ସୁଦୃଢ଼ କରାଯିବ। ଯାହାଦ୍ୱାରା ଯେକୌଣସି ପ୍ରକାର ପରିସ୍ଥିତର ମୁକାବିଲା କରାଯାଇପାରିବ। ସାଇବର ଅପରାଧ ବିରୋଧରେ ସରକାର ରଣନୀତି ପ୍ରସ୍ତୁତ କରୁଛନ୍ତି। ଦେଶରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଆଇନଶୃଙ୍ଖଳା ବଜାୟ ରଖିବା ଉପରେ ଆହୁରି ଗରୁତ୍ଵ ଦିଆଯିବ”, କହିଛନ୍ତି ଅମିତ ଶାହ।
ନଭେମ୍ବର ୨୯ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରରେ ଡିଜିପି ସମ୍ମିଳନୀ ଚାଲିବ। ଏଥିରେ ଭାରତର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପି ଓ ଆଇଜିପିମାନେ ସାମିଲ ହୋଇଛନ୍ତି। ଏହାସହ ଏନଆଇଏ, ସିଆରପିଏଫ, ବିଏସଏଫ, ଆଇବି ଏବଂ ଏନଏସଜିର ବରିଷ୍ଠ ଅଧିକାରୀମାନେ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଓଡ଼ିଶାରେ ପ୍ରଥମ ଥର ଲାଗି ଏହି ସମ୍ମିଳନୀର ଆୟୋଜନ କରାଯାଉଛି।