September 16, 2024

ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ

1 min read

ଭୁବନେଶ୍ୱର : ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶନିବାର ସକାଳେ ପରଲୋକ ଘଟିଛି। କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ପଦ୍ମଶ୍ରୀ କମଳା ପୂଜାରୀ ଜୈବିକ ପଦ୍ଧତିରେ ପ୍ରାୟ ୧୦୦ରୁ ଅଧିକ କିସମର ଧାନ ଉତ୍ପାଦନ କରି ବେଶ୍ ଲୋକପ୍ରିୟ ହୋଇଥିଲେ। କମଳା ପୂଜାରୀ ଅନେକ ଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଗତ ମଙ୍ଗଳବାର ସେ ଅସୁସ୍ଥ ହେବା ପରେ ତାଙ୍କୁ ଜୟପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କର ସ୍ଥିତି ଅଧିକ ଖରାପ ହେବାରୁ ତାଙ୍କୁ ୨ ଦିନ ତଳେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏଠାରେ ଶନିବାର ସକାଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାର କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କମଳା ପୂଜାରୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କମଳା ପୂଜାରୀଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି।
ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ହେବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ପରିବେଶର ସୁରକ୍ଷା ପାଇଁ ତାଙ୍କର ଅବଦାନ ସ୍ମରଣୀୟ। ତାଙ୍କ ବିୟୋଗ ସାରା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି।

କମଳା ପୂଜାରୀ କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ବ୍ଳକ କାଣ୍ଡକିଗୁଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ଚାଷ କାର୍ଯ୍ୟ ପ୍ରତି ତାଙ୍କର ବିଶେଷ ରୁଚି ରହିଥିଲା। ସେ ଜୈବିକ ପଦ୍ଧତିରେ ପ୍ରାୟ ୧୦୦ରୁ ଅଧିକ କିସମର ଧାନ ଉତ୍ପାଦନ ଓ ସଂରକ୍ଷଣ କରି ବେଶ୍ ଚର୍ଚ୍ଚାକୁ ଆସିଥିଲେ।

ବିଶ୍ଵକୁ ବିରଳ କଳାଜିରା ପ୍ରଜାତିର ଧାନ ଉପହାର ଦେଇ ଜଣେ କୃଷି ବିଜ୍ଞାନୀ ହେବାର ସୌଭାଗ୍ୟ ଲାଭ କରିଥିଲେ କମଳା। ପାରମ୍ପରିକ ଧାନ କିସମ ଯଥା କଳାଜିରା, ବାୟାମଣ୍ଡା, ଆସାମଚୁଡ଼ି ଆଦିର ସଂରକ୍ଷଣ କ୍ଷେତ୍ରରେ କମଳା ପୂଜାରୀ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହୋଇଥିଲେ। ୨୦୧୯ ମସିହାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।

Leave a Reply

Your email address will not be published. Required fields are marked *