January 10, 2025

ଚତୁର୍ଥ ଦିନରେ ପୁତନା ଏବଂ ଷଡ଼ମଲ୍ଲଙ୍କୁ ବଧ କଲେ ଶ୍ରୀକୃଷ୍ଣ

1 min read

ବରଗଡ଼ : ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ମାହୋଲ ପ୍ରତିଦିନ ବଢ଼ିବାରେ ଲାଗିଛି। କଂସ ମହାରାଜ ଏବଂ ଶ୍ରୀକୃଷ୍ଣଙ୍କ ଦୃଶ୍ୟାଭିନୟ ଲୋକଙ୍କୁ ବାନ୍ଧି ରଖୁଛି। ଉଭୟ ମଥୁରା ଏବଂ ଗୋପପୁରରେ ଦର୍ଶକଙ୍କ ପ୍ରବଳ ସମାଗମ ହେଉଛି। ଏହି ଧନୁଯାତ୍ରା ମାଧ୍ୟମରେ ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ, ଯାହା ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରୁଛି।

ସୋମବାର ଧନୁଯାତ୍ରା ମହୋତ୍ସବର ଚତୁର୍ଥ ଦିନରେ ଶ୍ରୀକୃଷ୍ଣ-ବଳରାମଙ୍କୁ ନେଇ ଗୋପପୁରରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ଗୋପପୁରରେ ଦୁଇଭାଇ କୃଷ୍ଣ-ବଳରାମଙ୍କ ଲୀଳାଖେଳା ଚାଲିଛି। ଗୋପପୁରବାସୀ କୃଷ୍ଣ-ବଳରାମଙ୍କ ପ୍ରେମରେ ମସଗୁଲ ହୋଇଯାଇଛନ୍ତି।

ସୋମବାର କୃଷ୍ଣ-ବଳରାମ ଗୋପପୁର ପରିକ୍ରମା କରିବା ବେଳେ ସେମାନଙ୍କୁ ସ୍ୱାଗତ କରିବା ପାଇଁ ଗୋପଦାଣ୍ଡରେ ଚିତା ଅଙ୍କନ କରାଯାଇ ପୂର୍ଣ୍ଣ କଳସ ସ୍ଥାପନ କରାଯାଇଥିଲା। ଧୂପଦୀପ ଦେଇ କୃଷ୍ଣ-ବଳରାମଙ୍କ ପାଦ ପ୍ରକ୍ଷାଳନ କରିଥିଲେ ଗୋପପୁରବାସୀ। ବରଗଡ଼ ଧନୁଯାତ୍ରାର ଏହି ନିଆରା ଦୃଶ୍ୟ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା।

ଅନ୍ୟପଟେ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା ପାଇଁ ମଥୁରାର ମହାରାଜ କଂସ କଳ ବଳ ଲଗାଇଦେଇଛନ୍ତି। କଂସଙ୍କ ଆଦେଶରେ ବକାସୁର, ପୁତନା ଓ ଷଡ଼ମଲ୍ଲ ଭଳି ରାକ୍ଷସ ଗୋପପୁର ଯାଇଥିଲେ। ସେମାନେ କିପରି ସଫଳ ହୋଇ ଫେରିବେ ସେନେଇ ମହାରାଜ କଂସ ଆଜି ମୁକ୍ତେଶ୍ୱର ମହାଦେବଙ୍କୁ ଦର୍ଶନ କରି ରୁଦ୍ରାଭିଷେକ କରିଥିଲେ।
ତେବେ ପୁତନା, ବକା, ଶକଟା ଓ ଷଣ୍ଢାସୁର ଶ୍ରୀକୃଷ୍ଣଙ୍କ ହାତରେ ନିହତ ହୋଇଥିଲେ। ପୁତନା ନିଜ ସ୍ତନରେ ମାୟାବଳରେ ଉତ୍କଟ ବିଷକୂଟ ଭର୍ତ୍ତି କରି କୃଷ୍ଣଙ୍କୁ ସ୍ତନ୍ୟପାନ କରେଇବା ପାଇଁ ଉଦ୍ୟମ କରିବା ବେଳେ କୃଷ୍ଣ କ୍ଷୀର ସଙ୍ଗେ ପୁତନାର ପ୍ରାଣ ଶୋଷିଥିଲେ। ଗୋପାଳ ବାଳକମାନଙ୍କ ସହିତ ନିକଟସ୍ଥ ଜଙ୍ଗଲକୁ ଗୋଚାରଣ କରିବାକୁ ଯାଇଥିବା କୃଷ୍ଣ-ବଳରାମ ଅନ୍ୟ ରାକ୍ଷସଙ୍କୁ ମାରି କଂସଙ୍କ ଚକ୍ରାନ୍ତକୁ ଖଣ୍ଡନ କରିଥିଲେ।

ଧନୁଯାତ୍ରାର ଚତୁର୍ଥ ଦିବସରେ ଗୋପପୁରରେ କୃଷ୍ଣ ଓ ରାକ୍ଷସ ରାକ୍ଷସୀଙ୍କ ଭିତରେ ହୋଇଥିବା ଯୁଦ୍ଧ ଦର୍ଶକ ଏବଂ ପର୍ଯ୍ୟଟକଙ୍କ ପାଇଁ ବେଶ୍ ଆକର୍ଷଣୀୟ ହୋଇଥିଲା।

ତେବେ ଷଡ଼ମଲ୍ଲଙ୍କ ମୃତ୍ୟୁ ଖବର ପାଇଥିଲେ ମହାରାଜ କଂସ। ନିଜ ବିବ୍ରତ ମନ ସମ୍ପର୍କରେ ଯେଭଳି ମଥୁରାନଗରୀ ତିଳେମାତ୍ର ଆଭାସ ପାଇବେ ନାହଁ ସେଥିପାଇଁ ଅଟ୍ଟହାସ୍ୟ ଜାରି ରଖିଥିଲେ ମଥୁରା ନରେଶ। ଏହାପରେ ସେ ରଙ୍ଗମହଲରେ ନୃତ୍ୟଗୀତ ଆସରରେ ମସଗୁଲ୍‌ ହୋଇଥିଲେ।

ବରଗଡ଼ ଧନୁଯାତ୍ରାର ଚତୁର୍ଥ ଦିନରେ ମହାରାଜ କଂସଙ୍କ ରାଜଦରବାରରେ ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଅଭିନେତା ଅଶ୍ରୁମୋଚନ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଯୋଜିକା ନିବେଦିତା ବଳିଆରସିଂହ ଓ ମୀନା ମହାରଣା ଅତିଥି ଭାବେ ଯୋଗ ଦେଇଥିଲେ।