September 8, 2024

ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇବ ଓଡ଼ିଶା

1 min read

ଭୁବନେଶ୍ୱର: ଫେବ୍ରୁଆରି ୩ରୁ ୫ ମଧ୍ୟରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ତାହାକୁ ନଜରରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୩ ଦିନିଆ ବିଦ୍ୟାଳୟ ସ୍ତରୀୟ ଉତ୍ସବ ମାଧ୍ୟମରେ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବାକୁ ଲକ୍ଷ୍ୟ ରଖିଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ଥାନୀୟ ଭାଷା ପ୍ରତି ସକରାତ୍ମକ ମନୋଭାବ ଜାଗ୍ରତ କରିବାକୁ ପ୍ରତି ବିଦ୍ୟାଳୟରେ ଏହି ଦିନିକିଆ କାର୍ଯ୍ୟକ୍ରମ ଆୟୋଜିତ ହେବ। ଯାହାକି ସେମାନଙ୍କ ସ୍ଥାନୀୟ ସଂସ୍କୃତି ଓ ପରମ୍ପରାକୁ ପ୍ରୋତ୍ସାହିତ କରିବ। ବିଦ୍ୟାଳୟ ସ୍ତରୀୟ ଉତ୍ସବର ସର୍ବୋତ୍ତମ ପ୍ରକଳ୍ପଗୁଡ଼ିକ ବ୍ଲକସ୍ତରୀୟ ଉତ୍ସବରେ ୪ ତାରିଖରେ ପ୍ରଦର୍ଶିତ ହେବ। ଯଦି ସେହି ପ୍ରକଳ୍ପ ବ୍ଲକସ୍ତରରେ ମନୋନୀତ ହୁଏ, ତାହାକୁ ୫ ତାରିଖରେ ଜିଲ୍ଲାସ୍ତରୀୟ ଉତ୍ସବରେ ପ୍ରଦର୍ଶନ କରାଯିବ।

ବିଦ୍ୟାଳୟ ସ୍ତରୀୟ ଉତ୍ସବ ପୂର୍ବରୁ ଆସନ୍ତା ୨ ତାରିଖରେ ଗିନିଜ ବୁକ୍‌ ଅଫ୍‌ ରେକର୍ଡରେ ଓଡ଼ିଶାକୁ ସ୍ଥାନିତ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ମଧ୍ୟରେ ଓଡ଼ିଶାର ଏକ ଲକ୍ଷ ଛାତ୍ରଛାତ୍ରୀ ନିଜେ ପ୍ରସ୍ତୁତ କରିଥିବା ସାହିତ୍ୟ ସୃଜନୀକୁ ଫେସ୍‌ବୁକ୍‌ରେ ଅପଲୋଡ୍‌ କରିବେ। ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା କହିଛନ୍ତି ଯେ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଛାତ୍ରଛାତ୍ରୀଙ୍କ ରୁଚି ବଢ଼ାଇବାକୁ ସମସ୍ତ ବିଦ୍ୟାଳୟରେ ‘ସାହିତ୍ୟ ସୃଜନୀ’ କ୍ଲବ ଗଠନ ହୋଇଛି। କ୍ଲବର ପିଲାମାନେ ପ୍ରସ୍ତୁତ କରିଥିବା ନିଜର ସାହିତ୍ୟ ସୃଜନୀକୁ ଫେସ୍‌ବୁକ୍‌ରେ ଗୋଟିଏ ସମୟରେ ଅପଲୋଡ୍‌ କରିବାକୁ କୁହାଯାଇଛି। ଏଥିପାଇଁ ‘ମୋ ସ୍କୁଲ’ ଅଭିଯାନ ପକ୍ଷରୁ ଲିଙ୍କ୍‌ ପଠାଯାଇଛି। ଗୋଟିଏ ଘଣ୍ଟା ମଧ୍ୟରେ ଲକ୍ଷାଧିକ ପିଲା ସାହିତ୍ୟ ସୃଜନୀରେ ଯେଉଁ ଲେଖା ଲେଖିଛନ୍ତି ସେଥିରେ ନିଜର ନାଁ, ଫଟୋ ଏବଂ ବହି ସହ ଫଟୋ ଉଠାଇ ତାହାକୁ ଅପଲୋଡ୍‌ କରିବେ।

ଏହାଦ୍ବାରା ଆମେ ରେକର୍ଡ କରିପାରିବୁ। ୩ ତାରିଖରେ ‌ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଏଥିସହ ବିଭିନ୍ନ ପ୍ରତିଯୋଗିତା, ଆଲୋଚନାଚକ୍ର, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଓ ସମ୍ପ୍ରଦାୟଙ୍କ ସହ ସାକ୍ଷାତକାର କରାଯିବ। ଓଡ଼ିଶା ଭାଷାର ପ୍ରଚାର ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଓ ସମ୍ପ୍ରଦାୟର ସଦସ୍ୟମାନେ ଶପଥ ଗ୍ରହଣ କରିବେ। ସମୁଦାୟ କାର୍ଯ୍ୟକ୍ରମ ଲାଗି ୧୫ କୋଟି ୬୨ ଲକ୍ଷ ୪୭ ହଜାର ଟଙ୍କା ମଞ୍ଜୁର ହୋଇଥିବା ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *