ଓଡ଼ିଶା ରାଜ୍ୟ ଦକ୍ଷତା ଓ ସହାୟକ ଅଭିବୃଦ୍ଧି ନୀତି ସମ୍ପର୍କିତ ଉଚ୍ଚସ୍ତରୀୟ ପରିଚାଳନା କମିଟି ବୈଠକ
1 min readଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଦକ୍ଷତା ଓ ସହାୟକ ଅଭିବୃଦ୍ଧିନୀତି (ଓଏସସିଆରଜିପି) କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଉଚ୍ଚସ୍ତରୀୟ ପରିଚାଳନା କମିଟିର ଦ୍ୱିତୀୟ ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସଭାଗୃହରେ ଗୁରୁବାରଅନୁଷ୍ଠିତ ହୋଇଯାଇଛି । ଏହି ପ୍ରକଳ୍ପ ଅଧିନରେ କରାଯାଉଥିବା କାର୍ଯ୍ୟ ସଂପର୍କରେ ବୈଠକରେବିସ୍ତୃତ ଭାବେ ସମୀକ୍ଷା କରାଯାଇଥିଲା । ଏହା ଅଧିନରେ ରାଜ୍ୟରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କ ତଥ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଅଧିନସ୍ଥ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ଦ୍ୱାରା ଅଦ୍ୟତନ କରାଯାଉଛି, ଯାହା ଫଳରେ ରାଜ୍ୟରେ ଏ କ୍ଷେତ୍ରରେ ସୁଦୃଢଗ୍ରହଣୀୟ ବ୍ୟବସ୍ଥା ପୂର୍ବକ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସେବା ପ୍ରଦାନକୁ ନିଶ୍ଚିତ କରିବ।
ସେହିପରି ଏହି ପ୍ରକଳ୍ପ ଅନ୍ତର୍ଗତ ରାଜ୍ୟ ପାଇଁ ଉନ୍ନତ ଯୋଜନା ଏବଂ ନିରନ୍ତର ବିକାଶ ନିମନ୍ତେ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଅଧିନସ୍ଥ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଦ୍ୱାରା ରାଜ୍ୟର ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ନିମନ୍ତେ କାର୍ଯ୍ୟ ଜାରି ରହିଛି । ଆହୁରି ମଧ୍ୟ ଏହି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରି କ୍ଷୟକ୍ଷତି ହ୍ରାସ କରିବା ପାଇଁ ଆଗୁଆ ସତର୍କ ସୂଚନା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଉଛି ।