January 24, 2025

ଫେବ୍ରୁଆରି ୧୭ରେ ଓଡ଼ିଶା ବଜେଟ

1 min read

ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଆସନ୍ତା ଫେବ୍ରୁଆରି ୧୭ ତାରିଖରେ ଓଡ଼ିଶା ବିଧାନସଭାରେ ବଜେଟ ଉପସ୍ଥାପନ ହେବ। ଏହା ପୂର୍ବରୁ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ପ୍ରାକ୍ ବଜେଟ ପରାମର୍ଶ ବୈଠକ।

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ବଜେଟରେ ସାଧାରଣ ଲୋକଙ୍କୁ ଗୁରୁତ୍ଵ ମିଳିବ। ରାଜ୍ୟର ରାଜସ୍ଵ ବୃଦ୍ଧି କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ଵ ଦିଆଯାଉଛି। ଓଡ଼ିଶାର ଜିଡିପି ବୃଦ୍ଧି ପାଇଁ କୃଷି ଭିତ୍ତିକ ଶିଳ୍ପ ଉପରେ ଗୁରୁତ୍ଵ ଦିଆଯାଉଛି। ଏଥିପାଇଁ ବିକଶିତ ଗାଁ ବିକଶିତ ଓଡ଼ିଶା ଭଳି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର।

ଚଳିତ ବର୍ଷ ନୂଆ ନିଯୁକ୍ତିକୁ ପ୍ରାଥମିକତା ଭିତ୍ତିରେ ପୂରଣ କରାଯିବ। ଏ ବର୍ଷ ୪୦ ହଜାର ନିଯୁକ୍ତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଆଗାମୀ ଦୁଇବର୍ଷ ମଧ୍ୟରେ ୬୫ ହଜାରରୁ ଅଧିକ ପଦବୀ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଲୋକମତ ସଂଗ୍ରହ କରାଯାଉଛି। ଚଳିତ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକ ବଜେଟ ପାଇଁ ମତାମତ ଦେଇପାରିବେ। ବିଜେଟରେ ଲୋକଙ୍କ ମତାମତକୁ ଗୁରୁତ୍ଵ ମିଳିବ ବୋଲି ସେ କହିଛନ୍ତି।

ଆସନ୍ତା ଫେବ୍ରୁଆରି ୧୩ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭା ବଜେଟ ଅଧିବେଶନ। ଫେବ୍ରୁଆରି ୧୭ ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନ ହେବ। ଆସନ୍ତା ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବଜେଟ ଅଧିବେଶନରେ ମୋଟ ୨୮ଟି କାର୍ଯ୍ୟ ଦିବସ ରହିବ।

ଫ୍ରେବୃଆରି ୧୩ରୁ ୨୧ ଯାଏଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ। ଏହା ପରେ ମାର୍ଚ୍ଚ ୭ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନ କାର୍ଯ୍ୟ ଚାଲିବ। ତେବେ ଫେବ୍ରୁଆରି ୨୨ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଅଧିବେଶନ ବନ୍ଦ ରହିବ।

ଫେବ୍ରୁଆରି ୧୭ ତାରିଖରେ ଆସିବାକୁ ଥିବା ରାଜ୍ୟ ବଜେଟ ଉପରେ ରହିଛି ସମସ୍ତଙ୍କ ନଜର। ଏଥର ବଜେଟରେ ସାଧାରଣ ଲୋକଙ୍କ ପାଇଁ କ’ଣ ରହିବ ଖାସ। କେଉଁ ବିଭାଗ ପାଇଁ କେତେ ଅର୍ଥ ବ୍ୟୟ ବରାଦ ହେବ ତାହା ଗୁରୁତ୍ଵପୂର୍ଣ୍ଣ ରହିବ।