March 13, 2025

ଆସିଲାନି ଆମ୍ବୁଲାନ୍ସ କି ମହାପ୍ରୟାଣ ଗାଡ଼ି

1 min read

ପୁରୀ: ଘଣ୍ଟା ଘଣ୍ଟା ଅପେକ୍ଷା ପରେ ବି ଆସିଲାନି ଆମ୍ବୁଲାନ୍ସ କି ମହାପ୍ରୟାଣ ଗାଡ଼ି। ଶେଷରେ ପରିବାର ଲୋକେ ବାଇକ୍‌ରେ ମୃତକଙ୍କ ଶବକୁ ବୋହି ଘରକୁ ନେଇଛନ୍ତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ବଜ୍ରକୋଟ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଲେ ବଜ୍ରକୋଟ ପଞ୍ଚାୟତ ହାଇସ୍କୁଲର ରାତ୍ର ଜଗୁଆଳ ଦିଗମ୍ବର ନାହାକ। ଏହି ଘଟଣା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ଅପାରଗତାକୁ ପଦାରେ ପକାଇଛି। ମିଳିଥିବା ସୂଚନା ମୁତାବକ, ସବୁଦିନ ପରି ସ୍କୁଲରେ ଝାଡୁ ମାରୁଥିବା ବେଳେ ଗତକାଲି ହୃଦ୍‌ଘାତରେ ତଳେ ଖସି ପଡ଼ିଥିଲେ ଦିଗମ୍ବର।
ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପହଞ୍ଚି ନଥିଲା। ଫଳରେ ସ୍କୁଲ କର୍ତ୍ତୃପକ୍ଷ ଓ ପରିବାର ଲୋକ ନିଜ ଉଦ୍ୟମରେ ଦିଗମ୍ବରଙ୍କୁ ମେଡିକାଲ ନେଇଥିଲେ। କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ସେ ଆଖି ବୁଜିଥିଲେ। ପରେ ମୃତଦେହ ଘରକୁ ନେବା ପାଇଁ ପରିବାର ଲୋକେ ମହାପ୍ରୟାଣ ଗାଡ଼ି ଓ ସରକାରୀ ଆମ୍ବୁଲାନ୍ସ ଖୋଜିଥିଲେ। ଘଣ୍ଟା ଘଣ୍ଟା ଏଥିପାଇଁ ଅପେକ୍ଷା କରିଥିଲେ। ହେଲେ ମୃତଦେହ ନେବା ପାଇଁ ମହାପ୍ରୟାଣ ଗାଡ଼ି କି ଆମ୍ବୁଲାନ୍ସ ମିଳିନଥିଲା। ଶେଷରେ ପରିବାର ଲୋକ ବାଇକ୍‌ରେ ଦିଗମ୍ବରଙ୍କ ମୃତଦେହ ଘରକୁ ନେଇଥିଲେ। ସ୍ୱାଧୀନତାର ଏତେ ବର୍ଷ ପରେ ବି କୃଷ୍ଣପ୍ରସାଦ ଭଳି ଅଞ୍ଚଳରେ ଏଭଳି ବିକଳ ଚିତ୍ର ପ୍ରଶାସନିକ ବ୍ୟବସ୍ଥାକୁ ଉପହାସ କରୁଛି।