October 18, 2024

୭୯ ବର୍ଷ ବୟସରେ ବର୍ତ୍ତମାନ ନବୀନ ପଟ୍ଟନାୟକ

1 min read

ଭୁବନେଶ୍ୱର: ୭୯ ବର୍ଷ ବୟସରେ ପାଦ ଥାପିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ଜନ୍ମଦିନ ଅବସରରେ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନ ପଟ୍ଟନାୟକଙ୍କୁ ଶୁଭକାମନା ଜଣାଇବା ସହ ତାଙ୍କର ସୁସ୍ଥ ଏବଂ ଦୀର୍ଘ ଜୀବନ କାମନା କରିଛନ୍ତି।

ସୋସିଆଲ ମିଡିଆରେ ଅନେକ ବିଶିଷ୍ଟ ବ୍ୟକ୍ତି ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଚସ୍ପତି ସୁରମା ପାଢ଼ୀ, ଡିଏମକେ ସାଂସଦ କନିମୋଝିଙ୍କ ଭଳି ବହୁ ବରିଷ୍ଠ ରାଜନେତା ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି। ନବୀନ ପଟ୍ଟନାୟକ ଶୁଭେଚ୍ଛା ବାର୍ତ୍ତା ପାଇବା ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ବିଜେଡିର କମକର୍ତ୍ତାମାନେ ନିଜ ନିଜ ଜିଲ୍ଲାରେ ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ଧୂମଧାମରେ ପାଳନ କରିଛନ୍ତି।

୧୯୪୬ ଅକ୍ଟୋବର ୧୬ ତାରିଖରେ କଟକରେ ଜନ୍ମ ନେଇଥିଲେ ନବୀନ ପଟ୍ଟନାୟକ। ଜୀବନର ୫୦ ବର୍ଷରୁ ଅଧିକ ସମୟ ରାଜନୀତିରୁ ଦୂରେଇ ରହିଥିବା ନବୀନ ପିତା ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ରାଜନୀତିରେ ପ୍ରବେଶ କରିଥିଲେ। ସେ ୧୯୯୭ ମସିହାରେ ବିଜୁ ଜନତା ଦଳ ଗଢ଼ିଥିଲେ। ପ୍ରଥମେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ରହିବା ପରେ ଲଗାତର ୫ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ। ୨୪ ବର୍ଷ କାଳ ଶାସନ କ୍ଷମତାରେ ରହିବା ପରେ ଏବେ ସେ ରାଜ୍ୟର ବିରୋଧୀ ଦଳ ନେତା।