ଜାତୀୟ ପଞ୍ଚାୟତିରାଜ ଦିବସ
1 min read
ପଞ୍ଚାୟତ ବ୍ୟବସ୍ଥା ଆଜିର ନୁହେଁ, କେଉଁ ଆବହମାନ କାଳରୁ ଆମ ସମାଜରେ ଏହା ପ୍ରଚଳିତ ହୋଇଆସୁଛି। ସେଥିପାଇଁ ଆମ ଗଁା ଗହଳିରେ କଥା କଥାରେ କହନ୍ତି, ପାଞ୍ଚଜଣ ଲୋକଙ୍କୁ ଯାହା ସୁନ୍ଦର ଲାଗିବ ତାହା ହିଁ କରିବା। ପାଞ୍ଚଜଣ ଭଦ୍ରଲୋକ ଯାହା ନିର୍ଣ୍ଣୟ କରିବେ, ତାହାକୁ ମାନିବା। ମହାଭାରତ କାଳର ପଞ୍ଚପାଣ୍ଡବଙ୍କୁ ଯଦି ଭିନ୍ନ ଦୃଷ୍ଟିରେ ବିଚାର କରିବା, ସେମାନେ ମଧ୍ୟ ଭିନ୍ନ ଭିନ୍ନ ଶାରୀରିକ ଓ ମାନସିକ ବ୍ୟକ୍ତିତ୍ୱ ବହନ କରୁଥିବା ପାଞ୍ଚଜଣ ଗଁା ମୁଖିଆ, ଯେଉଁମାନେ ତାଙ୍କ ନେତୃତ୍ୱ ନେଉଥିବା ବରିଷ୍ଠ ଯୁଧିଷ୍ଠିରଙ୍କ ସମସ୍ତ ନିଷ୍ପତ୍ତିକୁ ମୁଣ୍ଡପାତି ଗ୍ରହଣ କରିଛନ୍ତି ଓ ଶେଷ ପର୍ଯ୍ୟନ୍ତ ଅନ୍ୟାୟ ବିରୋଧରେ ସଂଗ୍ରାମ କରିଛନ୍ତି। ତାହା ମଧ୍ୟ ଏକ ପଞ୍ଚାୟତ। ଏଣୁ ପଞ୍ଚାୟତ ବ୍ୟବସ୍ଥା ଆମ ସମାଜରେ କେଉଁ କାଳରୁ ପ୍ରଚଳିତ ଏବଂ ପଞ୍ଚାୟତର ନିଷ୍ପତ୍ତିକୁ ଆମେ ସର୍ବମାନ୍ୟ ଭାବେ ଗ୍ରହଣ କରିଆସିଅଛୁ।
ସ୍ବାଧୀନ ଭାରତର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ ସରକାର ୧୯୫୩ ମସିହାରେ ପଞ୍ଚାୟତ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଥିଲେ। ତେବେ ୧୯୫୭ରେ ତତ୍କାଳୀନ ସାଂସଦ ବଳବନ୍ତରାଓ ମେହେଟ୍ଟାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସ ଆଧାରରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଚଳିତ ହେଲା। ଏହି ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ୧୯୫୯ ଅକ୍ଟୋବର ୨ରେ ରାଜସ୍ଥାନର ନାଗୌରଠାରେ ଉଦ୍ଘାଟିତ ହୋଇଥିଲା।
ସମୟ ସ୍ରୋତରେ ଅନେକ ସଂଶୋଧନ, ପରିବର୍ତ୍ତନ ଓ ପରୀକ୍ଷା ନିରୀକ୍ଷା ପରେ ୧୯୯୨ ଏପ୍ରିଲ ୨୪ରେ ସମ୍ବିଧାନର ୭୩ତମ ସଂଶୋଧନ ବଳରେ ଏହି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କାର୍ଯ୍ୟକାରୀ ହେଲା। ଏହି ଆଇନ ପଞ୍ଚାୟତିରାଜ ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଲା। ସେଇଥିପାଇଁ ଏପ୍ରଲ ୨୪ ତାରିଖକୁ ‘ଜାତୀୟ ପଞ୍ଚାୟତିରାଜ ଦିବସ’ ରୂପେ ପାଳନ କରାଯାଇଆସୁଛି। ଏହି ସଂଶୋଧନ ଅନୁସାରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ଥିବା ୨୯ଟି ବିଷୟ ପଞ୍ଚାୟତିରାଜ ବିଭାଗ ଅଧୀନକୁ ଆସିବା ପରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ଗ୍ରାମାଞ୍ଚଳରେ ସକ୍ରିୟଭାବେ କାର୍ଯ୍ୟ ଆରମ୍ଭକଲେ।
ପଞ୍ଚାୟତିରାଜ ବ୍ୟବସ୍ଥା ଏକ ନିରବଚ୍ଛିନ୍ନ ନୀରବ ଆନ୍ଦୋଳନ। ଲୋକଙ୍କ ଭିତରେ ଶୋଇପଡ଼ିଥିବା ଶକ୍ତି ଓ ସାମର୍ଥ୍ୟକୁ ଜାଗ୍ରତକରିବା ପାଇଁ ଯେଉଁ ସାର୍ଥକ ନେତୃତ୍ୱର ଆବଶ୍ୟକତା ଅଛି, ତାହା ପଞ୍ଚାୟତିରାଜ ବ୍ୟବସ୍ଥା ମାଧ୍ୟମରେ ହିଁ ସମ୍ଭବ। ଏଣୁ ଏହି ବ୍ୟବସ୍ଥା ନେତୃତ୍ୱ ନିର୍ମାଣର ଏକ ପ୍ରୟୋଗଶାଳା କହିଲେ ଅତ୍ୟୁକ୍ତି ହେବନାହିଁ। ହେଲେ ଗତ ସରକାର ସମୟରେ ସାମନ୍ତବାଦୀ ସ୍ତବପାଠ ଓ ଦରବାରୀ କୋଳାହଳ ମଧ୍ୟରେ ପଞ୍ଚାୟତ ପ୍ରତିନିଧିମାନଙ୍କର ସ୍ବର କ୍ଷୀଣ ଓ ଉପେକ୍ଷିତ ଥିଲା।
ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସରକାର ଗଠନ ହେବା ପରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ଏକ ନୂଆ ଯୁଗର ଆରମ୍ଭ ହେଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ଓଡ଼ିଶାର ବିକାଶଧାରା ଆହୁରି ତ୍ୱରାନ୍ବିତ ହେଲା। ଡବଲ ଇଞ୍ଜିନ ସରକାରଙ୍କ ‘ବିକଶିତ ଗଁା, ବିକଶିତ ଓଡ଼ିଶା’ ଯୋଜନା ଦ୍ୱାରା ଗ୍ରାମାଞ୍ଚଳର ଦୀର୍ଘସ୍ଥାୟୀ ବହୁମୁଖୀ ପ୍ରକଳ୍ପ ମାଧ୍ୟମରେ ଭିତ୍ତିଭୂମିର ବିକାଶ ସହ ଗ୍ରାମାଞ୍ଚଳର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଅଭିବୃଦ୍ଧିକୁ ଆଧାରକରି ଗ୍ରାମ୍ୟ ସଂସ୍କୃତି, ପରମ୍ପରା ଓ ଚଳଣିର ସଂରକ୍ଷଣ ସହ ଏକ ସମୃଦ୍ଧ ଗଁା ଗଠନର ମୂଳଦୁଆ ପଡ଼ିଲା।
ଏହି ଯୋଜନାରେ ସ୍ଥାୟୀ ଭିତ୍ତିଭୂମି, ଉନ୍ନତ ଯୋଗାଯୋଗ ବ୍ୟବସ୍ଥା, ଗ୍ରାମ୍ୟ ପରିବେଶର ସୁରକ୍ଷା, ସାଧାରଣ ସମ୍ପତ୍ତିର ସୁବିନିଯୋଗ, ଗ୍ରାମବାସୀଙ୍କ ଆବଶ୍ୟକତା ଅନୁଯାୟୀ ଗୋଷ୍ଠୀକେନ୍ଦ୍ର ପ୍ରତିଷ୍ଠା, ଧାର୍ମିକପୀଠଗୁଡ଼ିକର ଉନ୍ନତୀକରଣ, ପର୍ଯ୍ୟଟନ କ୍ଷେତ୍ରର ବିକାଶ, ଶିକ୍ଷା ଭିତ୍ତିଭୂମିର ଉନ୍ନତୀକରଣ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ଇଣ୍ଟରନେଟ୍ ସେବା, ଛାତ୍ରୀଛାତ୍ରଙ୍କ ପାଇ ଁ ପଠନଗୃହ, କ୍ରୀଡ଼ା ଭିତ୍ତିଭୂମିର ବିକାଶ, ପାନୀୟଜଳ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଇତ୍ୟାଦି ଅନ୍ତର୍ଭୁକ୍ତ। ଏହି ଯୋଜନାଗୁଡ଼ିକ ଗ୍ରାମସଭା ମାଧ୍ୟମରେ ସମସ୍ତଙ୍କ ସହଭାଗିତାରେ ସର୍ବସାଧାରଣଙ୍କ ଆବଶ୍ୟକତାକୁ ଆଖିରେ ରଖି ଅଗ୍ରାଧିକାର ଭିତ୍ତିରେ ଚୟନକରି ପର୍ଯ୍ୟାୟକ୍ରମେ ବିଭିନ୍ନ ବୈଷୟିକ କମିଟି ଦ୍ୱାରା ଯାଞ୍ଚକରିବା ପରେ ସମ୍ପୃକ୍ତ ଜିଲାପାଳଙ୍କ ଅନୁମୋଦନ ନିମନ୍ତେ ବିଭାଗକୁ ସୁପାରିସ କରିବେ। ପୂର୍ବରୁ ପଞ୍ଚାୟତିରାଜ ବ୍ୟବସ୍ଥା ଥିଲା ଉପର ସ୍ତରରେ ବସିଥିବା କେତେଜଣ ଧୋବଧାଉଳିଆ ବାବୁମାନଙ୍କର ବିଳାସର ବ୍ୟାପାର। ଏଥିରେ ଗଁାରେ ଥିବା ମଳିମୁଣ୍ଡିଆ ଲୋକଙ୍କର କିଛି ଭୂମିକା ନ ଥିଲା। ହେଲେ ଏହି ଯୋଜନା ମାଧ୍ୟମରେ ଗଁାର ବିକାଶ ଖସଡ଼ା ଗଁାରେ ପ୍ରସ୍ତୁତ ହେବ ଏବଂ ପଞ୍ଚାୟତ ସମିତି ଆକାଉଣ୍ଟିଂ ପ୍ରକ୍ରିୟା ନିୟମାବଳୀ-୨୦୦୨ ଅନୁସାରେ ପ୍ରଶାସନିକ ଓ ବୈଷୟିକ ମଞ୍ଜୁରୀ ପ୍ରଦାନ କରାଯିବ। ଏହି ପାରଦର୍ଶୀ ବ୍ୟବସ୍ଥା ଫଳରେ କାହାର ମନମାନି କିମ୍ବା ଏକଚାଟିଆ କାରବାର ଚାଲିପାରିବ ନାହିଁ ଏବଂ ଗ୍ରାମାଞ୍ଚଳର ପ୍ରକୃତ ବିକାଶ ହୋଇପାରିବ। କେବଳ ପ୍ରକଳ୍ପ ନିର୍ମାଣ ନୁହେଁ, ତା’ର ତଦାରଖ ଓ ପର୍ଯ୍ୟବେକ୍ଷଣ ମଧ୍ୟ ସୁନିଶ୍ଚିତ କରାଯିବ। ଏଥିପାଇଁ ଆଧୁନିକ ଯୋଗାଯୋଗ ବ୍ୟବସ୍ଥା ସହ ଏଗୁଡ଼ିକୁ ସଂଯୋଗ କରାଯିବ। ଏମ୍ଆଇଏସ୍(MIS) ଓ ମୋବାଇଲ ଆପ୍ (Mobile App) ମାଧ୍ୟମରେ କାର୍ଯ୍ୟାରମ୍ଭ ପୂର୍ବର, କାର୍ଯ୍ୟକାରିତା ସମୟର ଏବଂ ପ୍ରକଳ୍ପ ସମାପ୍ତ ପରେ ତାକୁ ଜିଓ ଟ୍ୟାଗ୍କରି ୱେବ୍ ପୋର୍ଟାଲରେ ଅପ୍ଲୋଡ୍ କରାଯିବ।
ଗତ ସରକାରଙ୍କ କାଳକ୍ଷେପଣ ନୀତି ଯୋଗୁ ଆଦିବାସୀ ଭାଇଭଉଣୀଙ୍କ ଜୀବନଜୀବିକା ସହ ଜଡ଼ିତ ପେସା ଆଇନ ଠିକଣା ଭାବେ କାର୍ଯ୍ୟକାରୀ ହୋଇପାରି ନ ଥିଲା। ଆମ ସରକାର ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣକରି ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଲାଗୁକରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ସେହି ଅନୁସାରେ ଆମ ରାଜ୍ୟର ୧୩ ଜିଲାର ୧୧୯ ବ୍ଲକ୍ର ୨,୦୬୮ ଗ୍ରାମପଞ୍ଚାୟତର ୧୯,୪୯୮ଟି ଗ୍ରାମରେ ଗ୍ରାମସଭା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇ ତଥା ୧୧ଟି ଭିନ୍ନ ଭିନ୍ନ କମିଟି ଗଠନ କରାଯାଇ ଆଦିବାସୀ ଅଞ୍ଚଳର ବିକାଶ ନିମନ୍ତେ ଯୋଜନା ପ୍ରଣୟନ ଏବଂ ତା’ର ତଦାରଖ କରିବାର ଖସଡ଼ା ପ୍ରସ୍ତୁତି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଆଇନ କାର୍ଯ୍ୟକାରୀ ହେବାପରେ ଆଦିବାସୀ ଅଞ୍ଚଳର ଗ୍ରାମସଭାଗୁଡ଼ିକ ସଶକ୍ତ ହେବ। ସେମାନଙ୍କର ସ୍ଥାବର ସମ୍ପତ୍ତିର ସୁରକ୍ଷା, ବୃହତ୍ ଏବଂ ଲଘୁ ଖଣିଜ ଉତ୍ସଗୁଡ଼ିକର ଲାଇସେନ୍ସ ପ୍ରଦାନରେ ସ୍ବଚ୍ଛତା, ଆର୍ଥିକ ନେଣଦେଣ ଉପରେ ନିୟନ୍ତ୍ରଣ, ମାଦକଦ୍ରବ୍ୟ ବ୍ୟବହାରକୁ ନିଷିଦ୍ଧ ଓ ନିୟନ୍ତ୍ରଣ କରିବା, ଲଘୁ ବନଜାତ ଦ୍ରବ୍ୟଗୁଡ଼ିକର ସଂଗ୍ରହ, ବ୍ୟବହାର ଓ ବିକ୍ରି କରିବାର ଅଧିକାର ପ୍ରଦାନ କରିବା, ସାମାଜିକ ସମସ୍ୟାଗୁଡ଼ିକର ସମାଧାନ। ଶାନ୍ତି ଓ ସୌହାର୍ଦ୍ଦ୍ୟ ତଥା ସାଂସ୍କୃତିକ ବାତାବରଣକୁ ସୁରକ୍ଷିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଫଳରେ ପୁରୁଷ ପୁରୁଷ ଧରି ବଣ ଜଙ୍ଗଲରେ ବସବାସ କରୁଥିବା ଆଦିବାସୀମାନଙ୍କୁ ଶୋଷଣର ଶିକାର ହେବାରୁ ସୁରକ୍ଷା ଦେଇ ବିକାଶର ମୁଖ୍ୟସ୍ରୋତରେ ସାମିଲ କରାଯାଇପାରିବ।
ଅନ୍ତ୍ୟୋଦୟ ଗୃହ ଯୋଜନା ଆମ ସରକାରର ଏକ ବଡ଼ ଉପଲବ୍ଧି। ସମାଜରେ ବସବାସ କରୁଥିବା ବିଧବା, ଭିନ୍ନକ୍ଷମ, ନିଃସହାୟ, ଏଡ୍ସ ରୋଗାକ୍ରାନ୍ତ, ବନ୍ୟା-ବାତ୍ୟା-ଭୂମିକମ୍ପ ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟ ପ୍ରପୀଡ଼ିତ, ବନ୍ୟଜନ୍ତୁ ଦ୍ୱାରା କ୍ଷତିଗ୍ରସ୍ତ, ସରକାରୀ ଯୋଜନା ପାଇଁ ବିସ୍ଥାପିତ ଅଧିବାସୀଙ୍କୁ ଅଗ୍ରାଧିକାର ଭିତ୍ତିରେ ପକ୍କାଘର ଯୋଗାଇ ଦେବାପାଇଁ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ଆରମ୍ଭ ହୋଇଛି। ଏହି ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ପକ୍କାଘର ପାଇଁ ଆଉ ବେଶିଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ।
ଗତ ସରକାର ସମୟରେ ପଞ୍ଚାୟତିରାଜ ବ୍ୟବସ୍ଥା କେବଳ ଯୋଜନା ପ୍ରଣୟନରେ ସୀମିତ ଥିଲା। ସେଗୁଡ଼ିକୁ କାର୍ଯ୍ୟକାରୀ କରିବାରେ କାହାର ତିଳେ ବି ଆନ୍ତରିକତା ନ ଥିଲା। ଫଳରେ ପଞ୍ଚାୟତଗୁଡ଼ିକ କେବଳ ଭିତ୍ତିଭୂମି ବିକାଶ କୈନ୍ଦ୍ରିକ ହୋଇ ରହିଗଲା। ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ ଓ ଆଧୁନିକ ଆହ୍ବାନଗୁଡ଼ିକର ସମ୍ମୁଖୀନ ହେବା ପାଇଁ ଉଦ୍ଦିଷ୍ଟ ବହୁ ମହତ୍ତ୍ୱାକାଂକ୍ଷୀ ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଆଦର୍ଶ ପଞ୍ଚାୟତ ଗଠନ ପାଇଁ ପଞ୍ଚାୟତ ପ୍ରତିନିଧିମାନେ କୌଣସି ଆଗ୍ରହ ପ୍ରକାଶ କଲେ ନାହିଁ। ଫଳରେ ଦାରିଦ୍ର୍ୟମୁକ୍ତ ଓ ଉନ୍ନତ ଜୀବିକାଯୁକ୍ତ ଗ୍ରାମପଞ୍ଚାୟତ, ସୁସ୍ଥ ଗ୍ରାମପଞ୍ଚାୟତ, ଶିଶୁ ଅନୁକୂଳ ଗ୍ରାମପଞ୍ଚାୟତ, ସ୍ବଚ୍ଛ ଓ ସବୁଜ ଗ୍ରାମପଞ୍ଚାୟତ, ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମପଞ୍ଚାୟତ, ଭିତ୍ତିଭୂମି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ଗ୍ରାମପଞ୍ଚାୟତ, ସାମାଜିକ ଭାବେ ସୁରକ୍ଷିତ ଗ୍ରାମପଞ୍ଚାୟତ, ସୁଶାସନ ଥିବା ଗ୍ରାମପଞ୍ଚାୟତ ଏବଂ ମହିଳା ଅନୁକୂଳ ଗ୍ରାମପଞ୍ଚାୟତ ଗଠନର ସ୍ବପ୍ନ ଆଜି ବିଡ଼ମ୍ବିତ। ଆମ ସରକାର ଏଗୁଡ଼ିକୁ ଅଗ୍ରାଧିକାର ଭିତ୍ତିିରେ କାର୍ଯ୍ୟକାରୀ କରିବାକୁ ଉତ୍ସାହିତ କରିଆସୁଛନ୍ତି। ସେଥିପାଇଁ ଗ୍ରାମପଞ୍ଚାୟତ ବିକାଶ ଯୋଜନାକୁ ଗୋଟିଏ ମିଶନ ବା ଅଭିଯାନ ଭାବରେ ଗ୍ରହଣକରି ଏହାର ବ୍ୟାପକ ପ୍ରଚାରପ୍ରସାର, ସଚେତନତା, ଲୋକ ପ୍ରତିନିଧିମାନଙ୍କୁ ବାରମ୍ବାର ପ୍ରଶିକ୍ଷଣ, ସ୍ଥାନୀୟ କମିଟିଗୁଡ଼ିକୁ ସକ୍ରିୟ କରିବାର ପ୍ରୟାସ ଜାରି ରହିଛି।
ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ସମସ୍ତ ସ୍ତରକୁ ସକ୍ରିୟକରି ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ କ୍ରିୟାଶୀଳ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ସହଯୋଗ ପ୍ରଦାନ କରୁଛନ୍ତି। ଗୋଟିଏ ମହାଭାରତୀୟ ସ୍ରୋତରେ ସାମିଲ ହେବାର ଏହି ମହାର୍ଘ ମୁହୂର୍ତ୍ତକୁ ସ୍ମରଣୀୟ କରିବାପାଇଁ ଯେଉଁ ସଂକଳ୍ପ, ସାଧନା ଓ ସାମର୍ଥ୍ୟର ଆବଶ୍ୟକତା ଅଛି, ତାକୁ ଆଧାରକରି ଏକ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ଆମକୁ ଏକାଠିହୋଇ କାମ କରିବାକୁ ପଡ଼ିବ।
‘ବିକଶିତ ଗଁା, ବିକଶିତ ଓଡ଼ିଶା’ ଯୋଜନା ଅପାର ସମ୍ଭାବନାର ଅସରନ୍ତି ପସରା ନେଇ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଅଭୟହସ୍ତ ପ୍ରଦାନକାରୀ ଅଭିଭାବକ ଭଳି ଆମ ପଛରେ ଦୃଢ଼ଭାବରେ ଠିଆ ହୋଇଛନ୍ତି। ଶିକ୍ଷା, ସଚେତନତା, ପ୍ରଶିକ୍ଷଣ, ଦୂରଦୃଷ୍ଟି ଓ ଆତ୍ମବିଶ୍ୱାସ ବଳରେ ଗାନ୍ଧିଜୀଙ୍କ ପରିକଳ୍ପିତ ଗ୍ରାମସ୍ବରାଜର ସ୍ବପ୍ନକୁ ସାକାର କରିବାକୁ ସମସ୍ତେ ସହଯୋଗର ହାତ ବଢ଼ାଇବେ ବୋଲି ଆମେ ଆଶାବାଦୀ।
୧୯୯୨ ଏପ୍ରିଲ ୨୪ରେ ସମ୍ବିଧାନର ୭୩ତମ ସଂଶୋଧନ କ୍ରମେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କାର୍ଯ୍ୟକାରୀ ହେଲା। ୧୯୯୩ ମସିହାରୁ ଏପ୍ରିଲ ୨୪କୁ ‘ଜାତୀୟ ପଞ୍ଚାୟତିରାଜ ଦିବସ’ ରୂପେ ପାଳନ କରାଯାଇଆସୁଛି। ସୂଚନାଯୋଗ୍ୟ, ଆମ ଦେଶରେ ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ ସରକାର ୧୯୫୩ରେ ପଞ୍ଚାୟତ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଥିଲେ। ୧୯୫୭ରେ ଏମ୍ପି ବଳବନ୍ତରାଓ ମେହେଟ୍ଟାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିସ ଆଧାରରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଚଳିତ ହେଲା। ଏହି ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ୧୯୫୯ ଅକ୍ଟୋବର ୨ରେ ରାଜସ୍ଥାନର ନାଗୌରଠାରେ ଉଦ୍ଘାଟିତ ହୋଇଥିଲା।